୧୭ ନାବାଳକ ଫେରାର ବାଳ ସୁଧାର ଗୃହରୁ

ସତ୍ୟଶିଖା (ହିସାର) ୧୩/୧୦/୨୦୨୦ : ହରିୟାଣାର ହିସାରରେ ବରବାଲା ରୋଡ ସ୍ଥିତ ବାଳ ସୁଧାର ଗୃହରୁ ସୋମବାର ବିଳମ୍ବିତ ସନ୍ଧ୍ୟାରେ ୧୭ଜଣ ବନ୍ଦୀ ନାବାଳକ ୱାର୍ଡ଼ରଙ୍କୁ ଆକ୍ରମଣ କରି ଫେରାର ହୋଇ ଯାଇଛନ୍ତି । ଏହି ଆକ୍ରମଣରେ ଘଟଣାସ୍ଥଳରେ ମୁତୟନ ଥିବା ୩ଜଣ ୱାର୍ଡ଼ର ଆହତ ହୋଇଥିଲେ ଯେଉଁମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନାବାଳକ ବନ୍ଦୀ ଫେରାର ହେବା ପରେ ପୋଲିସ୍ ୱାୟାରଲେସ୍ ଜରିଆରେ ଜିଲ୍ଲାର ସମସ୍ତ ଥାନା ସହ ଜିଲ୍ଲା ସହ ଲାଗିଥିବା ଅନ୍ୟ ଜିଲ୍ଲାର ପୋଲିସଙ୍କୁ ମଧ୍ୟ ଆଲର୍ଟ କରି ଦେଇଥିଲା । ଖବର ଲେଖାଯିବା ସୁଦ୍ଧା ପୋଲିସ୍ ଫେରାର ଥିବା ନାବାଳକ ବନ୍ଦୀଙ୍କ ମଧ୍ୟରୁ କାହାକୁ ବି ଧରି ପାରିନଥିଲା । ଘଟଣା ପରେ ଏଏସପି ଉପାସନା ଯାଦବ ବାଳ ସୁଧାର ଗୃହ ଗସ୍ତ କରିଥିଲେ ଏବଂ ସ୍ଥିତିର ସମୀକ୍ଷା କରିଥିଲେ ।ଏହା ପରେ ଘଟଣାସ୍ଥଳରେ ଫରେନସିକ୍ ଟିମ୍ ମଧ୍ୟ ପହଞ୍ଚିଥିଲା ଯେଉଁମାନେ ଘଟଣାସ୍ଥଳରୁ ତଥ୍ୟ ଜୁଟାଇଥିଲେ । ସୂଚନା ଅନୁଯାୟୀ ସୋମବାର ସନ୍ଧ୍ୟା ପାଖାପାଖି ୬ଟାବେଳେ ନାବାଳକ ବନ୍ଦୀଙ୍କୁ ବାରାକରୁ ବାହାରକୁ ଆଣି ସେମାନଙ୍କୁ ଗଣା ଯାଉଥିଲା । ଗଣା ସରିବା ପରେ ସେମାନଙ୍କୁ ଖାଇବା ପାଇଁ ଯିବାର ଥିଲା କିନ୍ତୁ ହଠାତ୍ କିଛି ନାବାଳକ ସେଠାରେ ମୁତୟନ ଥିବା ୱାର୍ଡ଼ରଙ୍କ ଉପରେ ଆକ୍ରମଣ କରି ଦେଇଥିଲେ । ହଠାତ୍ ହୋଇଥିବା ଏହି ଆକ୍ରମଣ ବିଷୟରେ ୱାର୍ଡ଼ର କିଛି ବୁଝିପାରିନଥିଲେ ଏବଂ ନାବାଳକ ବନ୍ଦୀ କାଠ ଝରକାରୁ ସେମାନଙ୍କୁ ଯାହା ବି ମିଳିଥିଲା ସେଥିରେ ସେମାନେ ଆକ୍ରମଣ କରିଥିଲେ । ଆହତ ୱାର୍ଡ଼ରଙ୍କୁ ନାଗରିକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।