ସ୍ୱାସ୍ଥ୍ୟ

ବ୍ଲାକ୍ ଫଙ୍ଗସକୁ ଓଡ଼ିଶା ମହାମାରୀ ଘୋଷଣା କଲା

ସତ୍ୟଶିଖା(ଭୁବନେଶ୍ୱର) ୨୧ .୦୫.୨୦୨୧: କରୋନା ମହାମାରୀ ସଂକ୍ରମଣ ମଧ୍ୟରେ ରାଜ୍ୟ ସରକାର ‘ବ୍ଲାକ ଫଙ୍ଗସ୍‌’କୁ ଆଜି ମହାମାରୀ ଭାବେ ଘୋଷଣା କରିଛନ୍ତି। ଓଡ଼ିଶା ମହାମାରୀ ଆଇନ-୧୮୯୭ର ଧାରା-୩ ଅନୁସାରେ ଏହି ଘୋଷଣା ହୋଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି।

ଗୁରୁବାର ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଓଡ଼ିଶାରେ ୧୧ଜଣ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି। ସରକାର ଏହି ରୋଗୀଙ୍କ ଉପରେ ନଜର ରଖିଛନ୍ତି। ବ୍ଲାକ ଫଙ୍ଗସ୍ ପରେ ଏବେ ହ୍ୱାଇଟ୍ ଫଙ୍ଗସ୍ ସଂକ୍ରମଣକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। କିନ୍ତୁ ଓଡ଼ିଶାରେ ଏପର୍ଯ୍ୟନ୍ତ ହ୍ୱାଇଟ୍ ଫଙ୍ଗସ୍ ସଂକ୍ରମିତ ରୋଗୀ ଚିହ୍ନଟ ହୋଇନାହାନ୍ତି। ରାଜ୍ୟ ସରକାର ଗତ ୩ଦିନ ତଳେ ବ୍ଲାକ ଫଙ୍ଗସ୍ ରୋଗର ଲକ୍ଷଣ ଓ ଏହାର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରିଥିଲେ। ବରିଷ୍ଠ ଡାକ୍ତରମାନଙ୍କୁ ନେଇ ଗଠିତ ଏହି କମିଟି ରାଜ୍ୟ ସରକାରଙ୍କୁ ମୁଖ୍ୟତଃ ୬ଟି ସୁପାରିସ୍ କରିଛି। ସେମାନଙ୍କ ସୁପାରିଶ୍ ଆଧାରରେ ସରକାର ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କରିଛନ୍ତି।

ବିଶେଷଜ୍ଞ କମିଟି ସୁପାରିସ ମଧ୍ୟରେ ବ୍ଲାକ ଫଙ୍ଗସ ରୋଗରେ ପୀଡ଼ିତ ରୋଗୀଙ୍କୁ ଆବଶ୍ୟକ ଔଷଧ ଯୋଗାଇ ଦେବା, ଏହାକୁ ମହାମାରୀ ଘୋଷଣା କରିବା, ପରୀକ୍ଷା, ନିରୀକ୍ଷା ଓ ଚିକିତ୍ସା ପାଇଁ ସ୍ୱତନ୍ତ୍ର ପ୍ରୋଟୋକଲ, ଜିଲ୍ଲାସ୍ତରରେ ରୋଗ ଜଣାଇବାକୁ ବାଧ୍ୟ କରାଯିବ, ଲୋକଙ୍କ ସଚେତନ ଓ ଖବର ସଂଗ୍ରହ ଉପରେ ବ୍ୟବସ୍ଥା କରିବା ରହିଛି।

Show More
Back to top button