ଦେଶନ୍ୟୁଜ୍

ଭାରତରେ ବଢୁଛି କର୍ମଚାରୀଙ୍କ ଚାକିରି ଛାଡ଼ ହାର

ସତ୍ୟଶିଖା( ନୂଆଦିଲ୍ଲୀ )୨୯.୦୯ . ୨୦୨୨:  ଭାରତର ବଡ଼ ବଡ଼ କମ୍ପାନୀ ବର୍ତ୍ତମାନ ମୁନଲାଇଟିଂ ସମସ୍ୟାରେ ସମ୍ମୁଖୀନ ହେଉଥିବା ନେଇ ଚର୍ଚ୍ଚା ଚାଲିଛି। ଏ ନେଇ କମ୍ପାନୀଗୁଡ଼ିକ ବାରମ୍ବାର କର୍ମଚାରୀମାନଙ୍କୁ ଚେତାବନୀ ମଧ୍ୟ ଦେଉଛନ୍ତି। ତେବେ ଏହାରି ଭିତରେ କମ୍ପାନୀଗୁଡ଼ିକ ପାଇଁ ଆଉ ଏକ ବଡ଼ ସମସ୍ୟା ହେଉଛି ଆଟ୍ରିସନ୍‌ ହାର ବା କର୍ମଚାରୀଙ୍କ ଚାକିରି ଛାଡ ହାର ବୃଦ୍ଧି ପାଇବା। ଭାରତରେ ବର୍ତ୍ତମାନ ବହୁ ସଂଖ୍ୟାରେ କମ୍ପାନୀ କର୍ମଚାରୀ ଚାକିରିରୁ ଇସ୍ତଫା ଦେଉଛନ୍ତି।ବର୍ଷ ୨୦୨୨ ପ୍ରଥମାର୍ଦ୍ଧରେ ଦେଶରେ କର୍ମଚାରୀଙ୍କ ଚାକିରି ଛାଡ ହାର ୨୦.୩ ପ୍ରତିଶତ ହୋଇଯାଇଛି। ୨୦୨୦ର ଏହି ସମୟରେ କର୍ମଚାରୀଙ୍କ ଚାକିରି ଛାଡ ହାର ମାତ୍ର ୬ ପ୍ରତିଶତ ରହିଥିଲା। ଗ୍ଲୋବାଲ ପ୍ରଫେସନାଲ ସର୍ଭିସ୍ କମ୍ପାନୀ ଏଓଏନ୍‌ ପିଏଲ୍‌ସିର ଏକ ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି।

ରିପୋର୍ଟ ଅନୁସାରେ, ଦୁଇ ବର୍ଷର କରୋନା ମହାମାରୀ ପରେ କର୍ମଚାରୀଙ୍କ ମଧ୍ୟରେ ଚାକିରି ଛାଡ଼ିବା ସମସ୍ୟା ଅଧିକ ଦେଖାଦେଇଛି। ଚାକିରି ଛାଡ଼ିବା ହାରକୁ ଦେଖି ‘ଗ୍ରେଟ୍ ରେଜିଗ୍‌ନେସନ’ର ଆଲୋଚନା ଜୋର ଧରିଛି। ବିଶ୍ୱର ଅନେକ ଶିଳ୍ପ ଏହି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଗ୍ରେଟ୍ ରେଜିଗ୍‌ନେସ ଗତ ଏକ ବର୍ଷରେ ସମସ୍ତ ରେକର୍ଡ ଭାଙ୍ଗି ଦେଇଛି। କାରଣ ମହାମାରୀ ପରେ ବିଶ୍ୱସ୍ତରରେ ଚାକିରି ବିକଳ୍ପ ଅଧିକ ବାହାରିଛି। ଗତ ୧୮ ମାସରେ ଆଇଟି କମ୍ପାନୀଗୁଡ଼ିକ ଆଟ୍ରିସନ୍‌ର ସବୁଠାରୁ ଖରାପ ସମୟ ଦେଇଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି।

ଗବେଷଣାରୁ ଏହା ମଧ୍ୟ ଜଣାପଡ଼ିଛି ଯେ ବାରମ୍ବାର ଇସ୍ତଫା ପରେ ଦରମାରେ ମଧ୍ୟ ବୃଦ୍ଧି ହୋଇଛି। ଭାରତରେ କମ୍ପାନୀଗୁଡ଼ିକ ଦରମାରେ ୨୦୨୨ରେ ୧୦.୬ ପ୍ରତିଶତ ବୃଦ୍ଧି କରିଛନ୍ତି। ତେବେ ୨୦୨୩ରେ ଦରମା ବୃଦ୍ଧି ପରିମାଣ ହ୍ରାସ ହୋଇ ୧୦.୪ ପ୍ରତିଶତ ହୋଇପାରେ ବୋଲି ରିପୋର୍ଟରେ କୁହାଯାଇଛି। ୨୦୨୨ରେ ଭାରତରେ ସବୁ ଉଦ୍ୟୋଗରେ ଚାକିରି ଛାଡ଼ିବା ହାର ୨୦୨୧ ତୁଳନାରେ ସାମାନ୍ୟ କମ୍‌ ରହିଛି।  ଏହି ସମସ୍ୟା ଆସନ୍ତା ୬ ମାସ ପର୍ଯ୍ୟନ୍ତ ଜାରି ରହିବ ବୋଲି ସର୍ଭେରେ ଜଣାପଡ଼ିଛି। ତେବେ କମ ଦରମା ସାଙ୍ଗକୁ କମ୍ପାନୀ ଅଧିକ ଚାପ ଆଟ୍ରିସନ ପ୍ରତିଶତ ବଢ଼ାଇଛି।

Show More
Back to top button