

ସତ୍ୟଶିଖା(ଭୁବନେଶ୍ୱର) ୧୪.୧୨.୨୦୨୧: କୋରାପୁଟ: ଜିଲ୍ଲାର କୋଟିଆରେ ବିଭିନ୍ନ ଉନ୍ନତିମୂଳକ କାର୍ୟ୍ୟକ୍ରମ ଜାରି ରହିଛି । କୋଟିଆ ପଞ୍ଚାୟତ ତଥା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ନିକଟବର୍ତ୍ତୀ ଗ୍ରାମ ଗୁଡିକର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏ ନେଇ କୋଟିଆ ନିକଟସ୍ଥ ଗଂଜେଇପଦରରେ ଏକ ସ୍ବତନ୍ତ୍ର ଆଦର୍ଶ ବିଦ୍ୟାଳୟ ଖୋଲିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।
ଏ ନେଇ ପୂ୍ର୍ବରୁ ଜିଲ୍ଲା ପ୍ରଶାସନ ତରଫରୁ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ସରକାର ଏହାକୁ ଗ୍ରହଣ କରିଛନ୍ତି । ଆଦିବାସୀ ଜାତି ଓ ଜନଜାତି ଉନ୍ନୟନ ବିଭାଗ ତରଫରୁ ନିର୍ମାଣ ହୋଇଥିବା ବଡ ବିଲ୍ଡିଂଗୁଡିକୁ ଅସ୍ଥାୟୀ ଭାବରେ ସ୍ବତନ୍ତ୍ର ଆଦର୍ଶ ବିଦ୍ୟାଳୟ ଭାବରେ କାର୍ୟ୍ୟକ୍ଷମ କରାଯିବ । ଓଡ଼ିଆ ଓ ଇଂରାଜୀ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯାଉଥିବା ଏହି ବିଦ୍ୟାଳୟରେ କୋଟିଆ ଅଞ୍ଚଳର ଆଗ୍ରହୀ ଛାତ୍ରଛାତ୍ରୀ ଉନ୍ନତମାନର ଶିକ୍ଷା ପାଇ ପାରିବେ । ଆସନ୍ତା ଏକାଡେମୀ ବର୍ଷରୁ ନାମଲେଖା ପର୍ୟ୍ୟାୟ ଆରମ୍ଭ ହେବ ।ବିଦ୍ୟାଳୟ ଖୋଲିବା ଫଳରେ ତେଲୁଗୁ ଭାଷାରେ ପାଠ ପଢିବା ପାଇଁ କୋଟିଆ ଅଞ୍ଚଳରେ ଆନ୍ଧ୍ର ମୁହାଁ ହେଉଥିବା ଛାତ୍ରଛାତ୍ରୀ ମଧ୍ୟ ଏଠାରେ ଇଂରାଜୀ ମାଧ୍ୟମରେ ପଢିବା ପାଇଁ ଆକର୍ଷିତ ହେବେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।