ଦୁର୍ଘଟଣାରାଜ୍ୟ

ଜେଲ୍‌ ଭିତରେ ସୋଲାନ୍-ଇନ୍‌ ମାଲିକଙ୍କ ମୃତ୍ୟୁ

ସତ୍ୟଶିଖା (ଭୁବନେଶ୍ୱର) ୨୪ /୧୨/୨୦୨୦ : ଚେକ୍‌ବାଉନ୍ସ ମାମଲା‌ରେ ଗିରଫ ହୋଇ ଜେଲ୍‌ରେ ଥିବା ହୋଟେଲ ସୋଲାନ୍‌-ଇନ୍‌ ଏମ୍‌ଡି କମଳାକାନ୍ତ ଦାସଙ୍କର ମୃତ୍ୟୁ ଘଟିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଆଜି ସନ୍ଧ୍ୟାରେ କ୍ୟାପିଟାଲ ହସ୍‌ପିଟାଲ ନିଆଯାଇଥିବା ବେଳେ‌ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଲକ୍ଷ୍ମୀସାଗର ଥାନା ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଆସନ୍ତାକାଲି ଜାତୀୟ ମାନବାଧିକାର କମିସନଙ୍କ ନିର୍ଦ୍ଦେଶନାମା ଆଧାରରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି । ମୃତ୍ୟୁ ପଛରେ ରାଜନୈତିକ ବ୍ୟକ୍ତିଙ୍କର ହାତ ଥିବା ଅଭିଯୋଗ କରିଛନ୍ତି କମଳାକାନ୍ତଙ୍କ ପୁଅ କୌଶିକ ଦାସ । ସେ କହିଛନ୍ତି ଜଣେ ହୋଟେଲ ମାଲିକଙ୍କ ପୁଅଙ୍କ ଅଭିଯୋଗ ବଳରେ କମଳାକାନ୍ତ ଜେଲ୍‌ ଯାଇଥିଲେ ।ପୂର୍ବରୁ ତାଙ୍କ ସହିତ ବଚସା ମଧ୍ୟ ହୋଇଥିଲା । ଯାହା ଫଳରେ ତାଙ୍କର ଉଚ୍ଚ ରକ୍ତଚାପ ସହ ବିଭିନ୍ନ ରୋଗଗ୍ରସ୍ତ ହୋଇଥିଲେ । ଜେଲ୍‌ ଯିବା ବେଳେ ମେଡିକାଲରେ ଭର୍ତ୍ତି କରିବାକୁ ଅନୁରୋଧ କରାଯାଇଥିଲା । ହେଲେ ରାଜନୈତିକ ଚାପରେ ତାଙ୍କୁ ୱାର୍ଡରେ ରଖାଯାଇଥିଲା । ଫଳରେ ଚିକିତ୍ସା ଅଭାବରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରିଛନ୍ତି । ତାଙ୍କ ଓକିଲ ରଘୁନାଥ ଦାସ ମଧ୍ୟ ଅନୁରୂପ ଅଭିଯୋଗ ଆଣିଛନ୍ତି । ଜେଲ୍ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ତାଙ୍କର ଜୀବନ ଚାଲିଗଲା ବୋଲି ସେ କହିଛନ୍ତି । ଏ ନେଇ ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ ହେବ ବୋଲି ସେ କହିଛନ୍ତି ।ସୂଚନାଯୋଗ୍ୟ, ଖାରବେଳନଗର ଥାନା ୟୁନିଟ୍‌-୮ରେ ରହୁଥିବା କମଳାକାନ୍ତଙ୍କ ଡ୍ୟାନ୍ସ ବାର୍ ସୋଲାନ୍‌-ଇନ୍‌କୁ ସମ୍ପୃକ୍ତ ହୋଟେଲ ମାଲିକଙ୍କ ପୁଅ ଭଡ଼ାସୂତ୍ରରେ ଚଳାଇବାକୁ ଚାହିଥିଲେ । ଏ ନେଇ ସେ କମଳାକାନ୍ତଙ୍କୁ ଅଗ୍ରିମ ୧୦ ଲକ୍ଷ ଟଙ୍କା ଦେଇଥିଲେ । ୨୦୧୫ ମସିହାରେ ଏହି ଚୁକ୍ତି ହେବା ସହ ଟଙ୍କା କାରବାର ମଧ୍ୟ ହୋଇଥିଲା । ଟଙ୍କା ନେବା ପରେ କମଳାକାନ୍ତ ଆଜିକାଲି କହି ୫ବର୍ଷ ହେବ ଟଙ୍କା ଫେରାଇ ନଥିଲେ କି ଡ୍ୟାନ୍ସ ବାର୍ ଭଡ଼ାରେ ଦେଇ ନଥିଲେ ବୋଲି ଅଭିଯୋଗ ହେବା ପରେ ଖାରବେଳନଗର ଥାନା ପୁଲିସ୍‌ ତାଙ୍କୁ ଗିରଫ କରିଥିଲା । ତେବେ ସେ ଟଙ୍କା ଫେରାଇ ଦେଇଥିଲେ ମଧ୍ୟ ଚେକ୍‌ ବାଉନ୍ସ ହୋଇଥିଲା ।

Show More
Back to top button