

ସତ୍ୟଶିଖା ୦୨/୦୨/୨୦୨୧ : ଏଣିକି ରାଜଧାନୀବାସୀଙ୍କୁ ପ୍ରତି ଘର ପାଇଁ ମଳିବ ଗୋଟିଏ ସ୍ବତନ୍ତ୍ର ନମ୍ବର । ଆଉ କେବଳ ଘର ନମ୍ବରରୁ ହିଁ ମିଳିଯିବ ସବୁ ତଥ୍ୟ । ଠିକଣାକୁ ନେଇ ଆଉ ଦ୍ବନ୍ଦ୍ବ ରହିବ ନାହିଁ ବା ଠିକଣା ଖୋଜିବାକୁ କାହାକୁ ଅଧିକ କଷ୍ଟ କରିବାକୁ ପଡ଼ିବନି । ଏହି ସୁବିଧା ପୂରା ରାଜଧାନୀରେ ଆରମ୍ଭ ହେବାକୁ ଯାଉଛି । ବିଏମ୍ସି ରାଜଧାନୀବାସୀଙ୍କୁ ଗୋଟିଏ ସ୍ମାର୍ଟ ଆଡ୍ରେସ୍ ଦେବାକୁ ନିଷ୍ପତ୍ତି ନେଇଛି । ଏହି ସ୍ମାର୍ଟ ଆଡ୍ରେସ୍ ଏକ ଆଧାର କାର୍ଡ ଭଳି କାମ କରିବ । ଏଥିପାଇଁ ଆଜିଠାରୁ ଡିଜିଟାଲ୍ ଡୋର୍ ନମ୍ବରିଂ ସର୍ଭେ କାମ ଆରମ୍ଭ ହୋଇଛି ।
ଆପଣ ଯଦି ଜୟଦୁର୍ଗା ନଗରରେ ରହୁଛନ୍ତି ଏବଂ ଘରର ଠିକଣା ଲେଖିଲା ବେଳେ ଆପଣଙ୍କ ନାମ ପରେ ଜୟଦୁର୍ଗା ନଗର, ପାଖରେ ଥିବା ଲ୍ୟାଣ୍ଡ ମାର୍କ, ଫ୍ଲାଟ୍ ନମ୍ବର କିମ୍ବା ପ୍ଲଟ୍ ନମ୍ବର, ପୋଷ୍ଟ ଅଫିସ୍, ପିନ୍ ନମ୍ବର ଲେଖୁଛନ୍ତି; ତେବେ ଆଗକୁ ତାହା ଲେଖିବାକୁ ପଡ଼ିବନି । କେବଳ ନିଜର ନାମ ପରେ ଜୟଦୁର୍ଗା ନଗର ଅଞ୍ଚଳ ପାଇଁ ଜେଡିଏନ୍, ଗଳି ବା ଷ୍ଟ୍ରିଟ୍ ନମ୍ବର ପାଇଁ ବିଏମ୍ସି ପକ୍ଷରୁ ମିଳିବାକୁ ଥିବା ଗୋଟିଏ ନମ୍ବର, ବିଏମ୍ସି ପକ୍ଷରୁ ମିଳିବାକୁ ଥିବା ଘର ନମ୍ବର ଏବଂ ସେହି ଅଞ୍ଚଳ ପାଇଁ ୟୁନିଟ ନମ୍ବର ଲେଖିବାକୁ ପଡ଼ିବ । ଏତିକି ଲେଖି ଦେଲେ କୋରିଅର, ଡାକ ଦ୍ୱାରା ଆସୁଥିବା ଚିଠି କିମ୍ବା ଆପଣ ଅନଲାଇନ୍ରେ ମଗାଉଥିବା ସାମଗ୍ରୀ ଆସି ଆପଣଙ୍କ ଘରେ ପହଞ୍ଚିବ । ଏପରିକି ଯଦି ଆପଣଙ୍କ ନାମ ଲେଖି ନ ଥିବେ ତେବେ ବି କିଛି ଅସୁବିଧା ହେବନି । ଠିକଣାରେ ଲ୍ୟାଣ୍ଡମାର୍କ ଦେବାକୁ ପଡ଼ିବନି କି ପୋଷ୍ଟ ଅଫିସ୍ ଓ ପିନ୍ ନମ୍ବର ବି ଦେବାକୁ ପଡ଼ିବନି ।
ଆଜି ବିଏମ୍ସିର ତିନିଟି ୱାର୍ଡରେ ଏହି ଡିଜିଟାଲ ଡୋର୍ ନମ୍ବରିଂ ଆରମ୍ଭ ହୋଇଛି । ଏଥିରେ ଦକ୍ଷିଣ-ପୂର୍ବ ଜୋନ୍ରେ ୱାର୍ଡ ନଂ ୩୦ରେ ସହିଦନଗର ଭବାନୀ ମଲ୍ଠାରୁ, ଦକ୍ଷିଣ-ପଶ୍ଚିମ ଜୋନ୍ରେ ୱାର୍ଡ ନଂ ୨୩ରେ ଆମ୍ରି ହସ୍ପିଟାଲଠାରୁ ଏବଂ ଉତ୍ତର ଜୋନ୍ରେ ୱାର୍ଡ ନଂ ୬ରେ କିଟ୍ ବିଶ୍ୱବିଦ୍ୟାଳୟ ଅଞ୍ଚଳରୁ ଏହି ସର୍ଭେ ଆରମ୍ଭ ହୋଇଛି । ପରୀକ୍ଷାମୂଳକ ଭାବେ ଏହି ଡିଜିଟାଲ୍ ଡୋର୍ ନମ୍ବରିଂ ଏବଂ ସ୍ମାର୍ଟ ଆଡ୍ରେସ୍ ପଦ୍ଧତି ଆରମ୍ଭ ହୋଇଥିବାବେଳେ ଫେବ୍ରୁଆରି ୧୩ରୁ ମାର୍ଚ୍ଚ ୩୧ ମଧ୍ୟରେ ପୂରା ରାଜଧାନୀରେ ଏହି ସର୍ଭେ ହେବ ବୋଲି ବିଏମ୍ସିର ଡେପୁଟି କମିସନର (ରାଜସ୍ଵ) ଶ୍ରୀମନ୍ତ ମିଶ୍ର କହିଛନ୍ତି ।
ଶ୍ରୀ ମିଶ୍ର କହିଛନ୍ତି ଯେ, ଡିଜିଟାଲ୍ ଡୋର୍ ନମ୍ବରିଂ ହୋଇଗଲେ ଲୋକଙ୍କୁ ଏକ ସ୍ମାର୍ଟ ଠିକଣା ମିଳିବ । କେବଳ ଘର ନମ୍ବର ଦେଇଦେଲେ ସବୁ ସୁବିଧା ମିଳିଯିବ । ଆଧାରକାର୍ଡ ଭଳି ଏହା କାମ କରିବ । ଏହି ଡିଜିଟାଲ୍ ଡୋର୍ ନମ୍ବରିଂ ଯେପରି ସଫଳ ହେବ ସେଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏଥିରେ ଓକାକ୍ଠାରୁ ଭୁବନେଶ୍ୱରର ମାନଚିତ୍ର ସଂଗ୍ରହ କରାଯାଇଛି । ଅମୀନ, ୱାର୍ଡ ଅଫିସର ଓ ଜୋନାଲ ଡେପୁଟି କମିସନରଙ୍କ ସହାୟତାରେ ବିଭିନ୍ନ ଅଞ୍ଚଳର ନକ୍ସା ପ୍ରସ୍ତୁତ କରିବା ସହ ବିଭିନ୍ନ ଅଞ୍ଚଳର କୋଡ୍ ପ୍ରସ୍ତୁତ କରାଯାଇଛି । ଏବେ ଡିଜିଟାଲ ଡୋର୍ ନମ୍ବରିଂ କରୁଥିବା ସଂସ୍ଥା ନବଯୁଗ ସ୍ପେସିଆଲ୍ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍ର ସଦସ୍ୟମାନେ ଘରକୁ ଘର ବୁଲି ଘର ମାଲିକଙ୍କ ନାମ, ଅଞ୍ଚଳ, ବିଦ୍ୟୁତ ସଂଯୋଗର ବିବରଣୀ, ଫୋନ୍ ନମ୍ବର, ଘର କେତେ ମହଲା, ଆପାର୍ଟମେଣ୍ଟ ହୋଇଥିଲେ ଘର ସଂଖ୍ୟା ଇତ୍ୟାଦି ସଂଗ୍ରହ କରିବେ ଏବଂ ଜିଓ ଟ୍ୟାଗିଂ ଆଧାରରେ ଗୃହ ସମ୍ପତ୍ତିର ବିବରଣୀକୁ ସ୍ମାର୍ଟ ଆଡ୍ରେସ୍ ସର୍ଭରରେ ଏଣ୍ଟ୍ରି କରିବେ । ଏହାପରେ ସ୍ମାର୍ଟ ଆଡ୍ରେସ୍ ପ୍ରସ୍ତୁତ ହେବ । ଆଉ ଘର ସମ୍ମୁଖରେ ଏକ ପ୍ଲେଟ୍ରେ ଘରର ଠିକଣା ଲେଖାଯିବ । ଏଥିରେ ଏକ କ୍ୟୁଆର୍ କୋଡ୍ ରହିବ । ଯାହାକୁ ସ୍କାନ୍ କଲେ ଅଧିକ ତଥ୍ୟ ମିଳିବ । ଏବେ ଏକ ଅସ୍ଥାୟୀ କାର୍ଡ ଲଗାଯିବ । ସର୍ଭେ ଶେଷ ହେବା ପରେ ସ୍ଥାୟୀ ଠିକଣା ପ୍ଲେଟ୍ ଲାଗିବ।ରାଜଧାନୀରେ ଘର ନମ୍ବର ଜିଓ ଟ୍ୟାଗିଂ ହୋଇଗଲେ, ଜିପିଏସ୍ ଟ୍ରାକିଂ କରି ଜଣକ ଘରେ ପହଞ୍ଚିବା ସହଜ ହେବ । ସ୍ମାର୍ଟ ଆଡ୍ରେସ୍ ଓ ଘର ନମ୍ବରିଂ ପ୍ରକ୍ରିୟା ଶେଷ ହେଲେ ଏହାର ତଥ୍ୟ ପୋଷ୍ଟ ଅଫିସ୍ ଏବଂ ବିଭିନ୍ନ ସଂସ୍ଥାକୁ ଦିଆଯିବ । ଏହାଦ୍ବାରା ଲୋକଙ୍କର ନୂଆ ଠିକଣା ଅନୁଯାୟୀ ସବୁ କାରବାର ହେବ । ଏପରିକି ବିଏମ୍ସି ଘରର ନିର୍ମାଣ ଅନୁଯାୟୀ ହୋଲଡିଂ ଟିକସ ବି ଆଦାୟ କରିବା ସହଜ ହେବ ।