

ସତ୍ୟଶିଖା (ଭୁବନେଶ୍ୱର)୨୬.୦୧.୨୦୨୨: କରୋନା ମହାମାରୀ କାରଣରୁ ସବୁଠାରୁ ଅଧିକ ବାଧାପ୍ରାପ୍ତ ହୋଇଛି ପିଲାମାନଙ୍କ ପାଠପଢା । ପ୍ରଥମ ଓ ଦ୍ୱିତୀୟ ଲହର ଭଳି ବର୍ତ୍ତମାନ ତୃତୀୟ ଲହର ସମୟରେ ମଧ୍ୟ ଅନଲାଇନ୍ ପାଠପଢା ଉପରେ ଭରଷା ।
ତେବେ ରାଜ୍ୟ ଶିକ୍ଷା ବିଭାଗ ଏନେଇ ପୂର୍ବ ଭଳି ପୁଣି ଥରେ ୟୁ-ଟ୍ୟୁବ୍ ପାଠପଢା ବ୍ୟବସ୍ଥା ଆରମ୍ଭ କରିଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାମାନଙ୍କ ପାଇଁ ୟୁ-ଟ୍ୟୁବ୍ରେ ଅନଲାଇନ୍ ପାଠପଢା ଯିବ । ଏନେଇ ଆଜି ଓସେପା ପକ୍ଷରୁ ସୂଚନା ଦିଆଯାଇଛି ।
ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଗୋଟିଏ ଲେଖାଏ କ୍ଲାସ ହେବ । ଏହି ପର୍ଯ୍ୟାୟରେ ୟୁ-ଟ୍ୟୁବ୍ରେ ପଢ଼ାଯାଇଥିବା ପାଠ ଆଉଥରେ ପଢ଼ାଯିବ । ପାଠପଢ଼ା ପ୍ରଣାଳୀକୁ ନେଇ ଶ୍ରେଣୀ ଅନୁଯାୟୀ ହ୍ୱାଟ୍ସଆପ ଗ୍ରୁପ ଗଠନ ହେବ । ପ୍ରତି ଲାଇଭ୍ ଷ୍ଟ୍ରିମିଂର ଲିଙ୍କ୍ ପୂର୍ବଦିନ ସନ୍ଧ୍ୟା ୫ଟା ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ଦିଆଯିବ ବୋଲି ସୂଚନା ମିଳିଛି ।
ଅନ୍ୟପଟେ ୟୁ-ଟ୍ୟୁବ୍ କ୍ଲାସ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ପକ୍ଷରୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।