
ସତ୍ୟଶିଖା (ଭୁବନେଶ୍ୱର) ୨୩ /୧୨/୨୦୨୦ : ନୂଆ ବର୍ଷ ଆସିବାକୁ ଆଉ ମାତ୍ର କିଛି ଦିନ ବାକି ରହିଲା । ନୂଆ ବର୍ଷ ଆଗମନ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ନୂଆ ବର୍ଷ ପ୍ରତି ବର୍ଷ ନିଜ ସହ ନୂଆ ଆଶା, ନୂଆ ଖୁସି, ନୂଆ ସ୍ବପ୍ନ, ନୂଆ ପର୍ବପର୍ବାଣି ନେଇ ଆସେ । ଠିକ୍ ସେହିଭଳି ୨୦୨୦କୁ ନେଇ ମଧ୍ୟ ଲୋକଙ୍କ ମନରେ ନାନା ଆଶା ଆକାଂକ୍ଷା ସଞ୍ଚାର ହୋଇଥିଲା । କିନ୍ତୁ ୨୦୨୦ ଶୁଭ ପ୍ରମାଣିତ ହେଲାନାହିଁ । ୨୦୨୦ ରେ କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱରେ ହାହାକାର ଖେଳିଗଲା । ଲୋକେ ବର୍ତ୍ତମାନ ୨୦୨୧କୁ ଅପେକ୍ଷା କରି ବସିଛନ୍ତି । ୨୦୨୧ ନୂଆ ଆଶା, ନୂଆ ଖୁସି ନେଇ ଆସିବ ବୋଲି ସମସ୍ତଙ୍କ ଭରସା । ଜ୍ୟୋତିଷଙ୍କ ଅନୁଯାୟୀ, ୨୦୨୧ ଅନେକ ଶୁଭ ସଂଯୋଗ ଓ ଶୁଭ ମୁହୂର୍ତ୍ତ ନେଇ ଆସୁଛି । ନୂଆ ବର୍ଷରେ ଏମିତି ଅନେକ ସଂଯୋଗ ରହିଛି ଯାହା କିଛି କୁଣ୍ଡଳୀ ପାଇଁ ବହୁତ ଶୁଭ ପ୍ରମାଣିତ ହେବ ।
ଜ୍ୟୋତିଷଙ୍କ ଅନୁଯାୟୀ, ନୂଆ ବର୍ଷରେ ଅମୃତ ସିଦ୍ଧି ଯୋଗ, ଗୁରୁ ପୁଷ୍ପ ଯୋଗ ଓ ସର୍ବାର୍ଥ ସିଦ୍ଧି ଯୋଗ ରହିଛି । ଏହା ଅତ୍ୟନ୍ତ ଶୁଭ ବୋଲି ବିଶ୍ୱାସ ରହିଛି । ପୌରାଣିକ ବିଶ୍ୱାସ ଅନୁଯାୟୀ, ଏହିସବୁ ଶୁଭ ଯୋଗରେ କରାଯାଇଥିବା କାମ ପୂର୍ଣ୍ଣ ହୋଇଥାଏ । ଜାଣନ୍ତୁ ଏହି ଯୋଗ ସମ୍ପର୍କରେ…
୧. ୨୦୨୧ ଜାନୁଆରୀ ୧ ତାରିଖ ସୂର୍ଯ୍ୟୋଦୟ ଯାଏଁ ଅମୃତ ସିଦ୍ଧି ଯୋଗ ରହିବ । ଏହି ଶୁଭ ସଂଯୋଗ ୨୦୨୦ର ଶେଷ ଦିନ ଅର୍ଥାତ ଡିସେମ୍ବର ୩୧ ତାରିଖ ସନ୍ଧ୍ୟା ୭ଟା ୪୯ ମିନିଟରୁ ଆରମ୍ଭ ହେବ ଏବଂ ୧ ତାରିଖ ସୂର୍ଯ୍ୟୋଦୟ ଯାଏଁ ରହିବ ।୨. ଜାନୁଆରୀ ୧ ତାରିଖ ସୂର୍ଯ୍ୟୋଦୟ ଯାଏଁ ଗୁରୁ ପୁଷ୍ପ ଯୋଗ ରହିବ । ଏହି ଯୋଗ ମଧ୍ୟ ଡିସେମ୍ବର ୩୧ ତାରିଖ ସନ୍ଧ୍ୟା ୭ଟା ୪୯ ମିନିଟରୁ ଆରମ୍ଭ ହେବ । ପୌରାଣିକ କଥା ଅନୁସାରେ, ଏହି ଯୋଗ ସମୟରେ ସୂର୍ଯ୍ୟଙ୍କ ପୂଜାର୍ଚ୍ଚନା କଲେ ଶରୀର ନିରୋଗ ରହେ ।
୩. ନୂଆ ବର୍ଷ ପୂର୍ବ ସନ୍ଧ୍ୟାରେ ସର୍ବାର୍ଥ ସିଦ୍ଧି ଯୋଗ ହେବ । ବିଶ୍ୱାସ ଅନୁସାରେ, ସର୍ବାର୍ଥ ସିଦ୍ଧି ଯୋଗରେ କରାଯାଇଥିବା ଯେକୌଣସି କାମ ସିଦ୍ଧ ହୋଇଥାଏ । ଏହି ଶୁଭ ଯୋଗ ଡିସେମ୍ବର ୩୧ ତାରିଖ ସୂର୍ଯ୍ୟୋଦୟ ରୁ ଜାନୁଆରୀ ୧ ତାରିଖ ସୂର୍ଯ୍ୟୋଦୟ ଯାଏଁ ରହିବ ।