
ସତ୍ୟଶିଖା (ନୂଆଦିଲ୍ଲୀ) ୫/୧୧/୨୦୨୦ : ବିହାର ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାରର ଶେଷ ଦିନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପୂର୍ଣ୍ଣିୟାର ଧମଦାହାର ଜେଡିୟୁ ପ୍ରାର୍ଥୀ ଲେସି ସିଂହଙ୍କ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ରାଜନାଥ ସିଂହ ପାକିସ୍ତାନ ଉପରେ ବର୍ଷିଥିଲେ । ସେ କହିଛନ୍ତି ଯେ ପାକିସ୍ତାନ ଏହା ଭଲ ଭାବେ ଜାଣିରଖିବା ଉଚିତ ଯେ ପିଓକେ ଭାରତର ଥିଲା ଏବଂ ଆଜି ମଧ୍ୟ ଆମେ ପିଓକେକୁ ଭାରତର ଅଂଶ ବୋଲି ମାନୁଛୁ ଓ ପିଓକେ ଭାରତର ଅଂଶ ହିଁ ରହିବ ।
ରାଜନାଥ ସିଂହ କହିଛନ୍ତି ଯେ, ପାକିସ୍ତାନ ସଂସଦରେ ମଧ୍ୟ ଏ ସମ୍ବନ୍ଧରେ ଆଲୋଚନା ହୋଇସାରିଛି ଯେ ପାକିସ୍ତାନରେ ଭାରତକୁ ନେଇ କିଭଳି ଭୟ ପରିସ୍ଥିତି ଥିଲା ଯେତେବେଳେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ସେମାନେ କାବୁ କରିନେଇଥିଲେ । ସେ ପୁଣିଥରେ ପାକିସ୍ତାନ ସଂସଦରେ ଦେଇଥିବା ବୟାନକୁ ଦୋହରାଇଥିଲେ ଯେଉଁଥିରେ ପାକିସ୍ତାନର ଜଣେ ସାଂସଦ କହିଥିଲେ ଯେ ଯଦି ସେମାନେ ଅଭିନନ୍ଦନଙ୍କୁ ମୁକ୍ତ ନ କରନ୍ତି ତାହେଲେ ଭାରତ ୯ଟା ରେ ପାକିସ୍ତାନ ଉପରେ ହମଲା କରିବ ।କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଏହି ଅବସରରେ ପୂର୍ଵ ଲଦାଖରେ ଚୀନ ସହ ଚାଲିଥିବା ଗତିରୋଧ ଓ ସୀମା ବିବାଦ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଦେଶର ସେନା ଯେଉଁଭଳି ସୌର୍ଯ୍ୟ ଏବଂ ପରାକ୍ରମର ପରିଚୟ ଦେଇଛି ସେଥିରୁ ଚୀନ ସେନା ମଧ୍ୟ ଭୟଭୀତ ଅଛି । ଏହି ସମୟରେ ସୀମାରେ ଆମର ବହାଦୁର ଯବାନ ଶତ୍ରୁଙ୍କୁ ପଛକୁ ଧକ୍କା ଦେଉଛନ୍ତି । ଏହିଭଳି ସମୟରେ ଆମକୁ ଏକଜୁଟ ହୋଇ ସେନାକୁ ସମର୍ଥନ କରିବ ଉଚିତ । କିନ୍ତୁ କିଛି ନେତା ଲଗାତାର ଭାରତୀୟ ସେନା ଓ ବହାଦୁର ଯବାନଙ୍କ ସୌର୍ଯ୍ୟର ତାମସା କରିଦେଉଛନ୍ତି ।
ସେ କହିଛନ୍ତି ଯେ, ସ୍ୱାଭିମାନ ରାଜନୀତି ହେବା ଉଚିତ । ଜନତାଙ୍କ ଆଖିରେ ଧୂଳି ଦେବା ଭଳି ରାଜନୀତି କରିବା ଉଚିତ ନୁହେଁ। ବର୍ତ୍ତମାନ ସମୟ ଆସିଛି ଆଖିରେ ଆଖି ମିଶାଇ ରାଜନୀତି କରିବା ଉଚିତ । ଭାରତ କିଛି ଦିନ ହେଲା ନିଜର ଯେଉଁ ପରିଚୟ ସୃଷ୍ଟି କରିଛି ସେଥିରୁ ସାରା ଦୁନିଆକୁ ଭାରତର ଶକ୍ତିର ପ୍ରମାଣ ମିଳିଛି । କିନ୍ତୁ ରାହୁଲ ଗାନ୍ଧୀ ଏହାକୁ କେବେ ବି ସ୍ୱୀକାର କରିବେନି । ରାହୁଲଙ୍କ ପାଖରେ କୌଣସି ଜବାବ ବି ନାହିଁ ବୋଲି କହିଥିଲେ ରାଜନାଥ ସିଂହ । ଶେଷରେ ସେ ପୁଣି ଦୋହରାଇଥିଲେ ଯେ ଭାରତର ଇଞ୍ଚେ ଜମି ବି କେହି କବଜା କରିପାରିବେନି ।