

ସତ୍ୟଶିଖା( ବିହାର) ୦୭.୦୫.୨୦୨୧: ବିହାର ରାଜନୀତି ପାଇଁ ଏକ ବିଶେଷ ଦିନ । ଏହି ଦିନ ୩ ବର୍ଷ ପରେ ଜେଲରୁ ବାହାରିଥିବା ଆରଜେଡି ରାଷ୍ଟ୍ରୀୟ ସଭାପତି ଲାଲୁ ପ୍ରସାଦ ଯାଦବ ବିଧାୟକ ଏବଂ ଦଳୀୟ କର୍ମୀଙ୍କ ସହ କରିବେ ଆଲୋଚନା । କରୋନା ଏବଂ ଲାଲୁଙ୍କ ଅସୁସ୍ଥତା ହେତୁ ଏହି ଆଲୋଚନା ଭିଡିଓ କନଫରେନ୍ସିଂ ମାଧ୍ୟମରେ କରାଯିବ । ଏହି ସୂଚନା ଦେଇଛନ୍ତି ଦଳର ମୁଖପାତ୍ର ଶକ୍ତି ସିଂ ଯାଦବ ।
ସେ କହିଛନ୍ତି ଯେ ମେ ୯ରେ ଦଳର ଜାତୀୟ ସଭାପତି ଲାଲୁ ପ୍ରସାଦ ଯାଦବ, ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବଙ୍କ ସହ ଏକ ଭର୍ଚୁଆଲ ମିଟିଂ ମାଧ୍ୟମରେ ସମସ୍ତ ଦଳର ବିଧାୟକ ତଥା ପୂର୍ବତନ ନେତାଙ୍କ ସହ ଆଲୋଚନା କରିବେ । ଦୀର୍ଘ ଦିନ ପରେ ଲାଲୁ ପ୍ରସାଦଙ୍କ ଭର୍ଚୁଆଲ୍ ମିଟିଂକୁ ନେଇ ଦଳର ନେତାଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳିଛି ।
ବାସ୍ତବରେ, ଚାରା ଘୋଟାଲା ମାମଲାରେ ୩ ବର୍ଷରୁ ଅଧିକ ଜେଲରେ ରହିବା ପରେ ଲାଲୁ ଜାମିନରେ ଆସିଛନ୍ତି । ପ୍ରଥମ ଥର ପାଇଁ ତାଙ୍କ ବିଧାୟକ ଏବଂ ନେତାଙ୍କ ସହ ଲାଲୁ ଏକ ବୈଠକ କରୁଛନ୍ତି । ଜାମିନରେ ମୁକ୍ତ ହେବା ପରେ ଲାଲୁ ଯାଦବ ଏବେ ଝିଅ ମିସା ଭାରତୀଙ୍କ ଦିଲ୍ଲୀ ବାସଭବନରେ ରହିଛନ୍ତି ।