ଦେଶନ୍ୟୁଜ୍

ଏଫ୍‌ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ଡ୍ର’ ଘୋଷଣା: ଭାରତ ପୁଲ୍‌ରେ ଇଂଲଣ୍ଡ ଓ ସ୍ପେନ୍‌

ସତ୍ୟଶିଖା( ଭୁବନେଶ୍ୱର )୦୯.୦୯ . ୨୦୨୨:  ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ ଓ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ଠାରେ ଆସନ୍ତା ବର୍ଷ ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଏଫ୍‌ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ଖେଳାଯିବ । କ୍ରମାଗତ ଦ୍ୱିତୀୟ ଥର ପାଇଁ ଓଡ଼ିଶା ପୁରୁଷ ବିଶ୍ୱକପ୍‌ର ଆୟୋଜନ କରୁଥିବା ବେଳେ ଆୟୋଜକ ଭାବେ ପଞ୍ଚମ ର‌୍ୟାଙ୍କ୍‌ର ଦଳ ଭାରତ ସିଧାସଳଖ ପ୍ରତିଯୋଗିତାରେ ଭାଗ ନେବା ସକାଶେ ଯୋଗ୍ୟତା ପାଇଛି । ସ୍ଥାନୀୟ ଲୋକସେବା ଭବନଠାରେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଟୁର୍ଣ୍ଣାମେଣ୍ଟ୍ ସକାଶେ ଡ୍ର’ ଘୋଷଣା ହୋଇଛି । ଏଥିରେ ୪ଟି ପୁଲ୍‌ରେ ୧୬ଟି ଦଳ ସ୍ଥାନ ପାଇଛନ୍ତି । ଆୟୋଜକ ଭାରତ ପୁଲ୍‌-ଡି’ରେ ସ୍ଥାନ ପାଇଥିବା ବେଳେ ଏଥିରେ ଦଳର ମୁକାବିଲା ଇଂଲଣ୍ଡ ଓ ସ୍ପେନ୍ ପରି ଦଳ ସହ ହେବ । ଏହି ଗ୍ରୁପ୍‌ରେ ଅନ୍ୟତମ ଦଳ ଭାବେ ୱେଲ୍ସ ସ୍ଥାନ ପାଇଛି, ଯାହାକି ପ୍ରଥମ ଥର ପାଇଁ ବିଶ୍ୱକପ୍ ଖେଳିବ । ଏହି ପୁଲ୍‌ରେ ଭାରତର ର‌୍ୟାଙ୍କିଙ୍ଗ୍ ସର୍ବାଧିକ ରହିଥିବା ବେଳେ ର‌୍ୟାଙ୍କିଙ୍ଗରେ ଇଂଲଣ୍ଡ ଷଷ୍ଠ, ସ୍ପେନ୍ ଅଷ୍ଟମ ଓ ୱେଲ୍ସ ଷୋଡ଼ଶ ସ୍ଥାନରେ ରହିଛି । ସେହିପରି ଏଫ୍‌ଆଇଏଚ୍ ର‌୍ୟାଙ୍କିଙ୍ଗ୍‌ର ଏକ ନମ୍ବର ଦଳ ଅଷ୍ଟ୍ରେଲିଆ ପୁଲ୍‌-ଏ’ରେ ରହିଛି । ଏଥିରେ ଅଷ୍ଟ୍ରେଲିଆ ସହ ୨୦୧୬ ଅଲିମ୍ପିକ୍ ଚାମ୍ପିଅନ୍ ତଥା ର‌୍ୟାଙ୍କିଙ୍ଗ୍‌ରେ ସପ୍ତମ ସ୍ଥାନରେ ଥିବା ଆର୍ଜେଣ୍ଟିନା, ଏକାଦଶ ର‌୍ୟାଙ୍କ୍‌ର ଦଳ ଫ୍ରାନ୍ସ ଓ ଚତୁର୍ଦ୍ଦଶ ର‌୍ୟାଙ୍କ୍‌ର ଦଳ ସାଉଥ୍ ଆଫ୍ରିକା ରହିଛନ୍ତି । ପୁଲ୍‌-ବି’ରେ ବିଶ୍ୱ ଚାମ୍ପିଅନ୍ ତଥା ଦ୍ୱିତୀୟ ର‌୍ୟାଙ୍କ୍‌ର ଦଳ ବେଲ୍‌ଜିୟମ୍‌, ୨୦୦୨ ଓ ୨୦୦୬ ବିଶ୍ୱକପ୍ ବିଜେତା ତଥା ର‌୍ୟାଙ୍କିଙ୍ଗ୍‌ରେ ଚତୁର୍ଥ ସ୍ଥାନରେ ଥିବା ଜର୍ମାନୀ, ଦ୍ୱାଦଶ ର‌୍ୟାଙ୍କ୍‌ର ଏସୀୟ ଚାମ୍ପିଅନ୍ ସାଉଥ୍ କୋରିଆ ଓ ସପ୍ତଦଶ ର‌୍ୟାଙ୍କ୍‌ର ଜାପାନ ରହିଛନ୍ତି । ସେହିପରି ପୁଲ୍‌-ସି’ରେ ତୃତୀୟ ର‌୍ୟାଙ୍କ୍‌ର ଦଳ ନେଦରଲ୍ୟାଣ୍ଡ୍‌ସ, ଓସିନିଆ ଦଳ ନ୍ୟୁଜିଲାଣ୍ଡ୍ (ର‌୍ୟାଙ୍କିଙ୍ଗ୍ ୯), ମାଲେସିଆ (ର‌୍ୟାଙ୍କିଙ୍ଗ୍ ୧୦) ଓ ନବାଗତ ଚିଲି (ର‌୍ୟାଙ୍କିଙ୍ଗ୍ ୨୩) ସାମିଲ୍ ଅଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ସମସ୍ତ ଦଳକୁ ସ୍ୱାଗତ କରିବା ସହ ରାଉରକେଲାର ନୂଆ ଷ୍ଟାଡିୟମ୍ ହକିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ବହୁଗୁଣିତ କରିବ ବୋଲି ଆଶା କରିଛନ୍ତି । ସେହିପରି ଏଫ୍‌ଆଇଏଚ୍‌ର କାର୍ଯ୍ୟକାରୀ ସଭାପତି ସିଫ୍ ଅହମ୍ମଦ ଆୟୋଜନ ପାଇଁ ହକି ଇଣ୍ଡିଆ ଓ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେବା ସହ ବିଶ୍ୱକପ୍‌ର ପଞ୍ଚଦଶ ସଂସ୍କରଣ ଅବିସ୍ମରଣୀୟ ଅନୁଭୂତି ଦେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ଇଣ୍ଡିଆ ପ୍ରଶାସକ କମିଟି ସଦସ୍ୟ ଡ. ଏସ୍‌ୱାଇ କୁରୈଶୀ, ଜାଫର୍ ଇକ୍‌ବାଲ୍‌, ଓଡ଼ିଶା ହକି ପ୍ରମୋସନ୍ କାଉନ୍‌ସିଲ୍ ଅଧ୍ୟକ୍ଷ ଦିଲୀପ ତିର୍କୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍‌, କ୍ରୀଡ଼ା ସଚିବ ଆର ଭିନୀଲ୍‌କ୍ରିଷ୍ଣା ଉପସ୍ଥିତ ଥିଲେ । ଏଫ୍‌ଆଇଏଚ୍ ସିଇଓ ଥିଏରୀ ୱିଲ ଡ୍ର’ ପ୍ରକ୍ରିୟା ପରିଚାଳନା କରିଥିଲେ ।

Show More
Back to top button