ନ୍ୟୁଜ୍ରାଜ୍ୟ

ଆରମ୍ଭ ହେଲା ମା’ ହିଙ୍ଗୁଳାଙ୍କ ଯାତ୍ରା : ୨ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ

ସତ୍ୟଶିଖା( ଭୁବନେଶ୍ୱର)୧୬.୦୪.୨୦୨୨ : : ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା ଓ ୧୮ତମ ଲୋକ ମହୋତ୍ସବ ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ପୀଠ ପରିସରରେ ଶୁକ୍ରବାର ଆରମ୍ଭ ହୋଇଯାଇଛି । ୯ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ଯାତ୍ରାରେ ପ୍ରାୟ ୨ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଯୋଗଦେଇ ପୂଜାର୍ଚ୍ଚନା କରିଥିଲେ । ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁଁ ଶ୍ରଦ୍ଧାଳୁଙ୍କ ଅନୁପସ୍ଥିତିରେ ମା’ଙ୍କ ଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ଚଳିତ ବର୍ଷ ଭକ୍ତମାନଙ୍କ ଉପସ୍ଥିତିରେ ମା’ ଅଗ୍ନିରୂପାଙ୍କ ଆରାଧନା କରାଯିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ତେଣୁ ମା’ଙ୍କ ପ୍ରତ୍ୟକ୍ଷ ଦର୍ଶନ ପାଇଁ ଉଭାସ୍ଥଳୀକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମା’ଙ୍କ ଉଭାସ୍ଥଳୀ ଓ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ । ମା’ କରଡେଇ ପୀଠ ଏବଂ ଗୋପାଳପ୍ରସାଦ ସିଙ୍ଗଡା ଜୋର ପାଖରେ ଟ୍ରଷ୍ଟ ବୋର୍ଡ ପକ୍ଷରୁ ମୁଣ୍ଡନ ବ୍ୟବସ୍ଥା କରାଯାଇଥିଲା । ପ୍ରତ୍ୟୁଷରୁ ପାରମ୍ପରିକ ରୀତିନୀତି ଅନୁଯାୟୀ ମା’ଙ୍କ ପୀଠରେ ମଙ୍ଗଳ ଆଳତୀ, ବାଳ ଭୋଗ ଆଦି ନୀତି ସମ୍ପନ୍ନ କରାଯାଇଥିଲା । ଅପରାହ୍ନରେ ମା’ଙ୍କ ଆଲମକୁ ଏକ ଭବ୍ୟ ଶୋଭାଯାତ୍ରାରେ ଦିଅଁ ଘରୁ ବଡ଼ ମଣ୍ଡପକୁ ଅଣାଯାଇଥିଲା । ସେଠାରେ ମା’ ହିଙ୍ଗୁଳାଙ୍କ ଚଳନ୍ତି ପ୍ରତିମା ଆଲମକୁ ମୁଖ୍ୟ ପୂଜକ ହୃଦାନନ୍ଦ ଦେହୁରୀ, କିଶୋର ଦେହୁରୀ ଓ ଟଙ୍କଧର ଦେହୁରୀ ପ୍ରମୁଖ ଶାବରୀ ମତରେ ପୂଜା କରିଥିଲେ । ଉଭାସ୍ଥଳୀରେ ସ୍ୱତନ୍ତ୍ର ବ୍ୟାରିକେଡରେ ପୁରୁଷ ଓ ମହିଳାମାନେ ମା’ଙ୍କୁ ଦର୍ଶନ କରିବା ସହ ଅଗ୍ନିରୂପାଙ୍କୁ ଭୋଗ ଅର୍ପଣ କରିଥିଲେ ।

ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା । ଅପରପକ୍ଷରେ ତାଳଚେର ଓ କଣିହାଁ ବ୍ଲକ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକ ସଂଘ, ଆଞ୍ଚଳିକ ଠିକା ମଜଦୁର ସଂଘ, ତାଳଚେର, ମହାନଦୀ କୋଲଫିଲ୍ଡସ୍ ଠିକାଦାର ସଂଘ, ମା’ ହିଙ୍ଗୁଳା ଅନ୍ନ ବସ୍ତ୍ର କମିଟି ଆଦି ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ମାଗଣାରେ ଅନ୍ନପ୍ରସାଦ ବିତରଣ କରାଯାଇଥିଲ।। । ଉଭୟ ମନ୍ଦିର ଓ ଉଭାସ୍ଥଳୀରେ ସିସିଟିଭି କ୍ୟାମେରା ଲଗାଯାଇ ଜିଲ୍ଲା ପୁଲିସ ପକ୍ଷରୁ ୨୪ ଘଣି୍ଟଆ ନିରୀକ୍ଷଣ କରାଯାଇଥିଲା । ଶ୍ରଦ୍ଧାଳୁମାନଙ୍କୁ ସୂଚନା ପ୍ରଦାନ କରିବା ପାଇଁ ଉଭୟ ଉଭାସ୍ଥଳ ଓ ମନ୍ଦିର ପରିସରରେ ସୂଚନା କେନ୍ଦ୍ର ଖୋଲାଯାଇଥିଲା। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଲୋକ ମହୋତ୍ସବ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପ୍ରତିଭାବାନ କଳାକାର ଯୋଗଦେଇ ନିଜର ପ୍ରତିଭା ପ୍ରଦର୍ଶନ କରିବେ ବୋଲି ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ମନ୍ଦିର ପରିସରରେ ଥିବା ପଡ଼ିଆରେ ପ୍ରାୟ ୩ ଶହ ଷ୍ଟଲ ନିର୍ମାଣ କରାଯାଇଥିଲା । ମା’ଙ୍କ ଏହି ଅନନ୍ୟ ଯାତ୍ରା ଆସନ୍ତା ୨୩ ତାରିଖରେ ସମାପନ ହେବ ।

Show More
Back to top button