

ନୂଆଦିଲ୍ଲୀ (ସତ୍ୟଶିଖା)୦୧|୦୭: ଭାରତ ଚୀନକୁ ଆଉ ଏକ ଝଟକା ଦେଇଛି । ବିଏସଏନଏଲ ଓ ଏମଟିଏନଏଲ ନିଜ ୪ଜି ଟେଣ୍ଡରକୁ ରବ୍ଦ କରିଦେଇଛନ୍ତି । ଏବେ ପୁଣି ନୂଆ ଟେଣ୍ଡର ଜାରି କରାଯିବ । ସରକାର ବିଏସଏନଏଲ ଓ ଏମଟିଏନଏଲକୁ ଚୀନ କମ୍ପାନୀଠୁ ସାମଗ୍ରୀ ନକିଣିବା ପାଇଁ ନିର୍ଦେଶ ଦେଇଛନ୍ତି । ଏହାପରେ ଟେଣ୍ଡରକୁ ରବ୍ଦ କରାଯାଇଛି ।
ଏବେ ନୂଆ ଟେଣ୍ଡରରେ ମେକ୍ ଇନ୍ ଇଣ୍ଡିଆ ଓ ଭାରତୀୟ ଟେକନୋଲୋଜିର ପ୍ରୋତ୍ସାହନ ଦେବା ପାଇଁ ପ୍ରାବଧାନ ରହିବ । ନିକଟରେ ବିଏସଏନଏଲ ଓ ଏମଟିଏନଏଲ ବିରୋଧରେ ଅଧିକ ଚୀନ ସାମଗ୍ରୀ କିଣୁଥିବା ଅଭିଯୋଗ ଲାଗିଥିଲା । ଟେଲିକମ୍ ମନ୍ତ୍ରାଳୟ ତରଫରୁ ଜାରି ନିର୍ଦ୍ଦେଶରେ କୁହାଯାଇଛି ଯେ, ୪ଜି ଫାସିଲିଟିକୁ ଅପଗ୍ରେଡେସନରେ କୌଣସି ଚାଇନିଜ୍ କମ୍ପାନୀର ନିର୍ମିତ ଉପକରଣର ବ୍ୟବହାର କରାଯିବ ନାହିଁ । ସମ୍ପୂର୍ଣ୍ଣ ଟେଣ୍ଡରକୁ ପୁଣି ଥରେ ଆରମ୍ଭ କରାଯିବ । ଏହାସହ ସମସ୍ତ ପ୍ରାଇଭେଟ୍ ସର୍ଭିସ୍ ଅପରେଟରଙ୍କୁ ମଧ୍ୟ ଚୀନ ଉପକରଣ ଉପରେ ନିର୍ଭରତା ହ୍ରାସ କରିବାକୁ କୁହାଯାଇଛି ।
ଏହାପୂର୍ବରୁ ବିଏସଏନଏ ଓ ଏମଟିଏନଏଲ ୪ଜି ନେଟଓ୍ୱର୍କ ଚୀନ ଯନ୍ତ୍ରପାତି ବ୍ୟବହାର ନକରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏପରିକି ରେଳବାଇ ମଧ୍ୟ ଚୀନ କମ୍ପାନୀର ୪୭୧ କୋଟିର ସିଗନାଲିଂ ପ୍ରକଳ୍ପ ରବ୍ଦ କରିଥିଲା ।