ରାଜନୀତିରାଜ୍ୟ

ବିଜେପିର ଜନ ଆଶୀର୍ବାଦ ଯାତ୍ରା, ୩୧ ନୂଆ ମନ୍ତ୍ରୀ ସାମିଲ

ସତ୍ୟଶିଖା(ଭୁବନେଶ୍ୱର ) ୧୯.୦୮ .୨୦୨୧:  ବିଜେପିର ଜନ ଆଶୀର୍ବାଦ ଯାତ୍ରା ଅବସରେ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି । କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ନେଇ ବିଭିନ୍ନ ଜିଲ୍ଲା ବୁଲି ଜନତାଙ୍କୁ ଅବଗତ କରାଇବେ ଦୁଇ ମନ୍ତ୍ରୀ ।ଭୁବନେଶ୍ୱରରେ ବିମାନବନ୍ଦରରେ ପହଞ୍ଚିବା ପରେ ଉଭୟ ପୁରୀ ଗସ୍ତରେ ଯାଇଛନ୍ତି । ପୁରୀ ଗସ୍ତ କାର୍ଯ୍ୟକ୍ରମରେ ରାସ୍ତାର ବିଭିନ୍ନ ସ୍ଥାନରେ ଉଭୟଙ୍କୁ ସମ୍ବର୍ଦ୍ଧିତ କରିବା କାର୍ଯ୍ୟକ୍ରମ ରହିଛି । ଶ୍ରୀଜିଉଙ୍କ ଦର୍ଶନ କରି ଦୁଇ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱର ଫେରିବେ ।

ଆଜିଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ସେପଟେ ସଂଧ୍ୟାରେ ଟ୍ରେନ ଯୋଗେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାୟଗଡ଼ା ଗସ୍ତରେ ଯିବେ । ୨୦ ତାରିଖରେ କୋରାପୁଟରେ ରହଣୀ, ୨୧ ତାରିଖରେ ଜୟପୁର କାର୍ଯ୍ୟକ୍ରମ ସହ ନବରଙ୍ଗପୁର, କେସିଙ୍ଗା, ଟିଟିଲାଗଡ଼, କଣ୍ଟାବାଞ୍ଝି, ପାଟଣାଗଡ଼ ଦେଇ ବଲାଙ୍ଗିର ଯିବେ । ୨୨ ତାରିଖରେ  ମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ କାର୍ଯ୍ୟକ୍ରମ ରହିଛି ।

ଉଭୟ ମନ୍ତ୍ରୀ ୪୧୯ କିଲୋମିଟର ଯାତ୍ରା କରି ୧୧୫ଟି ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ  । ୭ ଜିଲ୍ଲାର ୬ଟି ଲୋକସଭା ନିର୍ବାଚନମଣ୍ଡଳୀ ବୁଲିବେ ଦୁଇ କେନ୍ଦ୍ରମନ୍ତ୍ରୀ । ବିଜେପିର ଏହି ଜନ ଆଶୀର୍ବାଦ ଯାତ୍ରାରେ କେନ୍ଦ୍ର ସରକାରଙ୍କ ୩୧ ନୂଆ ମନ୍ତ୍ରୀ ସାମିଲ ହୋଇଛନ୍ତି  । ମୋଟ ୧୪୨ ଦିନର ହେବ ଏହି ଜନ ଆଶୀର୍ବାଦ ଯାତ୍ରା  ।

Show More
Back to top button