

ସତ୍ୟଶିଖା : କୁଲଗାମରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟ । ଦକ୍ଷିଣ କଶ୍ମୀରର କୁଲଗାମ ଜିଲ୍ଲା ଅନ୍ତର୍ଗତ ନାଗନାଦ ଚିମ୍ମେର ଅଞ୍ଚଳରେ ଚାଲିଥିବା ଗୁଳି ବିନିମୟରେ ୩ ଆତଙ୍କବାଦୀ ନିହତ ଏବଂ ଭାରତୀୟ ସେନାର ତିନି ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି । ନିହତ ହୋଇଥିବା ତିନିଜଣ ଆତଙ୍କବାଦୀଙ୍କ ପରିଚୟ ପାଇବାକୁ ଉଦ୍ୟମ ଚାଲିଛି । ଆତଙ୍କବାଦୀମାନେ ଆତ୍ମଗୋପନ କରିଛନ୍ତି ବୋଲି ବିଶ୍ବାସ କରାଯାଉଥିବା ନାଗନାଦ ଚିମ୍ମେରରେ ଜମ୍ମୁ ଓ କଶ୍ମୀର ପୁଲିସ, ସେନାର ୦୯ ଆର୍ ଆର୍ ଏବଂ ସିଆର୍ଏଫ୍ର ମିଳିତ ଟିମ୍ କର୍ଡନ୍-ଆଣ୍ଡ୍-ସର୍ଚ ଅଭିଯାନ ଚଳାଉଥି ବା ବେଳେ ଏନ୍କାଉଣ୍ଟର୍ର ସୂତ୍ରପାତ ହୋଇଥିଲା ।
ତଲାସ ଅଭିଯାନ ଚାଲିଥିବା ବେଳେ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ନିରାପତ୍ତା ବଳଙ୍କ ଉପରକୁ ଗୁଳି ଚଳାଇଥିଲା । ଏହାର ଜବାବ ଦେବାକୁ ଯାଇ ମିଳିତ ଟିମ୍ ପାଲଟା ଗୁଳି ଚଳାଇଥିଲେ। ଏନ୍କାଉଣ୍ଟର୍ ଆରମ୍ଭ ହୋଇଯିବା କାରଣରୁ ତିନିଜଣ ଆତଙ୍କବାଦୀ ଘଟଣାସ୍ଥଳରେ ନିହତ ହୋଇଛନ୍ତି । ଏଥିରେ ତିନି ଜଣ ଯବାନ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଏ ପର୍ଯ୍ୟନ୍ତ ଏ ବର୍ଷ କଶ୍ମୀର ଉପତ୍ୟକାରେ ଅନ୍ୟୂନ ୧୩୧ଜଣ ଆତଙ୍କବାଦୀ ଗୁଳି ଚୋଟରେ ପ୍ରାଣ ହରାଇଲେଣି।