
ସତ୍ୟଶିଖା (ଭୁବନେଶ୍ୱର) ୨୬/୧୨/୨୦୨୦ : ଠକି ଦେଲା ବିଦେଶୀ ବନ୍ଧୁ । ଫେସ୍ବୁକ୍ରେ ୭୦ ଲକ୍ଷ ଟଙ୍କାର ଲୋଭ ଦେଖାଇ ସାଢ଼େ ୮ ଲକ୍ଷ ଟଙ୍କା ଚଳୁ କରିଦେଲା । ଏବେ ବନ୍ଧୁଙ୍କ ଫୋନ୍ ବନ୍ଦ। ତେଣୁ ସାଇବର ଠକର ଜାଲରେ ଫସି ଯାଇଥିବା ଜାଣିବା ପରେ ମହିଳାଜଣକ ପୁଲିସର ଦ୍ବାରସ୍ଥ ହୋଇଛନ୍ତି । ପୁଲିସ ସାଇବର ଠକକୁ ଖୋଜିବା ପାଇଁ ଛାନ୍ଭିନ୍ ଆରମ୍ଭ କରିଛି । ମହିଳାଙ୍କ ଆକାଉଣ୍ଟରୁ କେଉଁ ଆକାଉଣ୍ଟକୁ ଟଙ୍କା ଯାଇଛି, ତାହାକୁ ନେଇ ବ୍ୟାଙ୍କ ସହ ଯୋଗାଯୋଗ କରି ପୁଲିସ ପ୍ରାଥମିକ ତଦନ୍ତ ଚଳାଇଛି ବୋଲି ସୂଚନା ମିଳିଛି । ଘଟଣାଟି ଘଟିଛି, ଚନ୍ଦ୍ରଶେଖରପୁର ଅଞ୍ଚଳରେ । ଠକାମିର ଶିକାର ହୋଇଥିବା ମହିଳା ହେଲେ ସତ୍ୟଭାମା ସେନାପତି ।କେମିତି ଠକିଲା
ତାଙ୍କ ଅଭିଯୋଗ ଅନୁସାରେ, ପ୍ରାୟ ଚାରି ପାଞ୍ଚ ମାସ ତଳେ ତାଙ୍କ ଫେସ୍ବୁକ୍କୁ ଆକାଉଣ୍ଟକୁ ଜଣେ ବିଦେଶୀ ବ୍ୟକ୍ତିଙ୍କ ଫ୍ରେଣ୍ଡ୍ ରିକ୍ୟୁଏଷ୍ଟ ଆସିଥିଲା । ସେ ଏହାକୁ ଗ୍ରହଣ କରିବା ପରେ ଉଭୟଙ୍କ ଭିତରେ ବନ୍ଧୁତା ହୋଇଥିଲା । ସେମାନେ ବିଭିନ୍ନ ସମୟରେ ଚାଟିଂ କରୁଥିଲେ ଓ ଧୀରେ ଧୀରେ ସେମାନଙ୍କ ବନ୍ଧୁତା ଘନିଷ୍ଠ ହେବାକୁ ଲାଗିଥିଲା । ଥରେ ସେ ଏକ ବ୍ୟବସାୟ ବାବଦରେ ତାଙ୍କୁ ୭୦ ହଜାର ପାଉଣ୍ଡ (ଭାରତୀୟ ମୁଦ୍ରାରେ ପ୍ରାୟ ୭୦ ଲକ୍ଷ ଟଙ୍କା) ଦେବ ବୋଲି ଲୋଭ ଦେଖାଇଥିଲା । ସତ୍ୟଭାମା ଉକ୍ତ ବିଦେଶୀ ବନ୍ଧୁକୁ ଏତେ ବିଶ୍ୱାସ କରିସାରିଥିଲେ ଯେ ସେ ତାଙ୍କୁ ଠକିବ ବୋଲି ଆଦୌ ଭାବି ପାରିନଥିଲେ । ଉକ୍ତ ଟଙ୍କାକୁ ନେଇ ଜଣେ ଏଜେଣ୍ଟ ଭାରତ ଯିବେ ଓ ତା’ ସାଙ୍ଗରେ ଯୋଗାଯୋଗ କରିବା ପାଇଁ ବିଦେଶୀ ବନ୍ଧୁ ତାଙ୍କୁ ଏକ ଫୋନ୍ ନମ୍ବର ଦେଇଥିଲା । ସତ୍ୟଭାମା ସେହି ନମ୍ବରରେ ଉକ୍ତ ଏଜେଣ୍ଟ ସହ ଯୋଗାଯୋଗ କରିଥିଲେ । ସେଇଟି ଦିଲ୍ଲୀର ନମ୍ବର ଥିବାରୁ ସେ ଅବିଶ୍ୱାସ କରିନଥିଲେ । ତେବେ ଏହି ଟଙ୍କା ପାଇବାକୁ ହେଲେ କିଛି ଟିକସ ଭରିବାକୁ ପଡ଼ିବ ବୋଲି ଏଜେଣ୍ଟ ସତ୍ୟଭାମାଙ୍କୁ କହିଥିଲା । ପ୍ରଥମେ ଲକ୍ଷେ, ତା’ପରେ ଦୁଇ ଲକ୍ଷ, ଏମିତି କରି ଏଜେଣ୍ଟଜଣକ ତାଙ୍କଠାରୁ ୭ ଲକ୍ଷ ଟଙ୍କା ନେଇ ଯାଇଥିଲା । କିନ୍ତୁ ଏହା ପରେ ଏଜେଣ୍ଟଙ୍କ ଫୋନ୍ ବନ୍ଦ ହୋଇ ଯାଇଥିଲା । ତେଣୁ ସତ୍ୟଭାମା ଫେସ୍ବୁକ୍ର ସେହି ବିଦେଶୀ ବନ୍ଧୁଙ୍କ ସହ ଯୋଗାଯୋଗ କଲେ । ଏହା ଶୁଣିବା ପରେ ବିଦେଶୀ ବନ୍ଧୁ ଖୁବ୍ ବ୍ୟସ୍ତତା ପ୍ରକାଶ କଲା ଓ ନିଜେ ଦିଲ୍ଲୀ ଯାଇ ସମସ୍ୟାର ସମାଧାନ କରିବ ବୋଲି କହିଥିଲା । କିଛି ଦିନ ପରେ ଦିଲ୍ଲୀର ଏକ ନମ୍ବରରୁ ସତ୍ୟଭାମା ଏକ କଲ୍ ପାଇଲେ । କଲ୍ କରିଥିଲେ ବିଦେଶୀ ବନ୍ଧୁ । ସତ୍ୟଭାମାଙ୍କ ମନ ଖୁସି ହୋଇ ଯାଇଥିଲା । ବିଦେଶୀ ବନ୍ଧୁ କହିଲା ଯେ ଦିଲ୍ଲୀ ଏୟାରପୋର୍ଟରେ ତାଙ୍କୁ ଅଟକାଇ ଦିଆଯାଇଛି । ତାଙ୍କ ଏଟିଏମ୍ କାର୍ଡ ଭାରତରେ କାମ କରୁନି । ତେଣୁ ଦେଢ଼ଲକ୍ଷ ଟଙ୍କା ନ ପଠାଇଲେ ସେ ଅସୁବିଧାରେ ପଡ଼ିବେ ଓ ତାଙ୍କ ୭୦ ହଜାର ପାଉଣ୍ଡ ସମସ୍ୟା ମଧ୍ୟ ସମାଧାନ ହୋଇ ପାରିବନାହିଁ । ପୁଣି ସତ୍ୟଭାମା ବିଦେଶୀ ବନ୍ଧୁକୁ ବିଶ୍ୱାସ କଲେ ଓ ବନ୍ଧୁ ଦେଇଥିବା ଏକ ଆକାଉଣ୍ଟକୁ ଦେଢ଼ ଲକ୍ଷ ଟଙ୍କା ପଠାଇ ଦେଲେ । କିନ୍ତୁ ତା’ ପରେ ବନ୍ଧୁଙ୍କ ଫୋନ୍ ସୁଇଚ୍ ଅଫ୍ ହୋଇ ଯାଇଥିଲା । ସତ୍ୟଭାମା ଯେତେ ଚେଷ୍ଟା କଲେ ବି ନା ଉକ୍ତ ଏଜେଣ୍ଟ ନା ବିଦେଶୀ ବନ୍ଧୁ କାହା ଫୋନ୍ ଖୋଲା ନଥିଲା । ସେତେବେଳେ ଯାଇ ସତ୍ୟଭାମା ଠକାମିର ଶିକାର ହୋଇଥିବା ବୁଝି ପାରିଥିଲେ ।