ଦେଶ

କରୋନା: କେନ୍ଦ୍ରର ପଦକ୍ଷେପରେ ସୁପ୍ରିମକୋର୍ଟ ଖୁସ୍

ନୂଆଦିଲ୍ଲୀ: କୋଭିଡ ୧୯ର ପ୍ରକୋପ ଭାରତରେ ପ୍ରକୋପ ଦେଖାଇବା ଆରମ୍ଭ କରିଥିବା ବେଳେ ଇରାନରେ ଏହାର ପ୍ରଭାବ ଜାରି ରଖିଛି। ଏହାରି ଭିତରେ ଇରାନରେ ଥିବା ୧୧୪୨ ଭାରତୀୟଙ୍କୁ କେନ୍ଦ୍ର ସରକାର ସ୍ୱତନ୍ତ୍ର ବିମାନ ଯୋଗେ ସ୍ୱଦେଶ ଆଣିଛନ୍ତି। ଯେଉଁଥିରୁ ୭୮୭ ଭ୍ରମଣକାରୀ, ୨୧୯ ଛାତ୍ର ଏବଂ ୧୩୬ ଜଣ ଅନ୍ୟାନ୍ୟ ଥିଲେ। ଏହି ସମସ୍ତଙ୍କୁ ଏକାନ୍ତବାସରେ ବିଭିନ୍ନ ସ୍ଥାନରେ ରଖାଯାଇଛି। ବୁଧବାର କେନ୍ଦ୍ର ସରକାର ଏ ନେଇ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି।

ଇରାନ ଯାଇଥିବା ଜଣେ ଭ୍ରମଣକାରୀଙ୍କ ସମ୍ପର୍କୀୟ ସରକାରଙ୍କ ପଦକ୍ଷେପ ବାବଦରେ ଜାଣିବା ପାଇଁ ରିଟ୍ ପିଟିସନ ଦାଖଲ କରିଥିଲେ। ଏହାପରେ ଜଷ୍ଟିସ ଡି.ଓ୍ୱାଇ ଚନ୍ଦ୍ରଚୁଡଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ଷ୍ଟାଟସ ରିପୋର୍ଟ ଦାଖଲ କରିଛି।

ଆହୁରି ପଢ଼ନ୍ତୁ

ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା କୋର୍ଟରେ ଏକ ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି। ଯେଉଁଥିରେ ସରକାର କରୋନାକୁ ମୁକାବିଲା କରିବା ପାଇଁ ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବାବଦରେ ଉଲ୍ଲେଖ କରାଯାଇଛି। ତେବେ ଇରାନର ବିଭିନ୍ନ ସ୍ଥାନରେ ୬ ହଜାର ଭାରତୀୟ ରହିଛନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଯେଉଁଥିରୁ ୧୧୦୦ ଭ୍ରମଣକାରୀ ଥିଲେ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ ଏବଂ ଜମ୍ମୁ କଶ୍ମୀର ଓ ମହାରାଷ୍ଟ୍ରରୁ। ୩୦୦ ଛାତ୍ର ଥିଲେ ଗୁଜରାଟରୁ ଏବଂ ହଜାରେ ମତ୍ସ୍ୟଜୀବୀ ଥିଲେ ତାମିଲନାଡୁ (୭୪୪), କେରଳ (୭୦) ଏବଂ ଗୁଜରାଟ (୨୧୫)ରୁ।

ତେବେ କେନ୍ଦ୍ର ସରକାର ଇରାନ ସହିତ ଯୋଗାଯୋଗରେ ରହିଛନ୍ତି। ଇରାନରେ ଲକ୍‌ଡାଉନ୍ ରହିଛି। ତେଣୁ ବାକି ଭାରତୀୟଙ୍କୁ ଯାଇ ଆଣିବା କଷ୍ଟକର ରହିଛି। ତଥାପି ଜରୁରୀକାଳୀନ ସ୍ଥିତିରେ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଉଛନ୍ତି ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି।

ଇରାନରୁ ଆସିଥିବା ୨୫୦ ଯାତ୍ରୀ ତାଙ୍କ ପରିବାର ଲୋକଙ୍କ ସହିତ ସମ୍ପର୍କରେ ଆସିଥିଲେ। ସମସ୍ତଙ୍କର କରୋନା ପରୀକ୍ଷା ହୋଇଛି। ରେଜଲ୍ଟ ନେଗେଟିଭ୍ ଆସିଛି। ଇରାନରେ ଥିବା ଭାରତୀୟଙ୍କୁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ଭାରତୀୟ ଦୂତାବାସ ଚବିଶ ଘଣ୍ଟିଆ କାମ କରୁଛି ବୋଲି ସଲିଟର ଜେନେରାଲ ତୁଷାର ମେହେଟା କୋର୍ଟରେ କହିଛନ୍ତି। ତେବେ ଇରାନରେ ଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ସରକାରଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ପ୍ରଶଂସା କରିଛନ୍ତି।

[ad_2]
Show More
Back to top button