ଜାନୁଆରୀରୁ ସଡ଼କ ନିରାପତ୍ତା ଯାଞ୍ଚ କଡ଼ାକଡ଼ି

ସତ୍ୟଶିଖା (ଭୁବନେଶ୍ୱର) ୨୩ /୧୨/୨୦୨୦ : ଦୁର୍ଘଟଣାଜନିତ ମୃତ୍ୟୁହାର ଉଦ୍ବେଗଜନକସ୍ଥିତି ସୃଷ୍ଟି କରୁଥିବାରୁ କରୋନା କଟକଣା କୋହଳ ହେବା ମାତ୍ରେ ଆସନ୍ତା ଜାନୁଆରୀରୁ ସଡ଼କ ନିରାପତ୍ତା ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟ ଶାସନ ସଚିବ ନିକଟରେ ପରିବହନ କମିସନର ଓ ପୁଲିସ୍ ଏସ୍ପିମାନଙ୍କୁ ଏନେଇ ନିର୍ଦେଶ ଦେଇଛନ୍ତି । ତେଣୁ ଜାନୁଆରୀରୁ ବାଇକ୍ର ପଛ ଯାତ୍ରୀଙ୍କ ପାଇଁ ମଧ୍ୟ ହେଲ୍ମେଟ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସଡ଼କ ନିରାପତ୍ତା ନିୟମ ମଧ୍ୟରେ ଥିବା ସମସ୍ତ ଆଇନ୍କୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯିବ । ଉଲ୍ଲଘଂନକାରୀଙ୍କର ଲାଇସେନ୍ସ ବାତିଲ୍ କରାଯିବ । ଏସବୁକୁ ନେଇ ଲର୍ଣ୍ଣିଂ ଲାଇସେନ୍ସ (ଏଲ୍ଏଲ୍) ଆବେଦନ କରି ନ ଥିବା ଏବଂ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍) ଆବେଦନକାରୀଙ୍କ ମନରେ ଛନକା ପଶିଛି । କୋଭିଡ୍ କଟକଣା ଯୋଗୁଁ ରାଜ୍ୟର ସବୁ ଆର୍ଟିଓ ବନ୍ଦ କରି ଦିଆଯାଇଥିଲା । ସ୍ଥିତିରେ ସୁଧାର ଆସିବା ପରେ ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ ସେବା ଆରମ୍ଭ ହୋଇଛି । କୋଭିଡ୍ କଟକଣା ଯୋଗୁଁ ଡିଏଲ୍ ଏବଂ ଏଲ୍ଏଲ୍ ଟେଷ୍ଟ ବନ୍ଦ ରହିଥିଲା ।ଆବେଦନକାରୀଙ୍କ ସଂଖ୍ୟା ବହୁ ପରିମାଣରେ ବଢ଼ି ଯିବାରୁ ଏଲ୍ଏଲ୍ ଏବଂ ଡିଏଲ୍ ଆବେଦନ ଉପରେ କଟକଣା ରହିଥିଲା । ଏବେ କଟକଣା ଉଠିଛି। ହେଲେ ସ୍ଲଟ୍ ବୁକିଂ ପାଇଁ ଧାର୍ଯ୍ୟ କରାଯାଇଥିବା ସମୟ ଓ ସଂଖ୍ୟା ଏବେ ଡିଏଲ୍ ଆବେଦନକାରୀଙ୍କ ପାଇଁ ଏକ ସମସ୍ୟା ହୋଇଛି । ସାରା ରାଜ୍ୟରେ ଡିଏଲ୍ ପରୀକ୍ଷା ପାଇଁ ଏବେ ମାତ୍ର ୩୦୦୦ ଆବେଦନକାରୀଙ୍କୁ ସୁଯୋଗ ମିଳୁଛି । ଅନେକ ଡିଏଲ୍ ଆବେଦନକାରୀ ପ୍ରତ୍ୟେକ ଦିନ ଉଦ୍ୟମ କରି ବିଫଳ ହେଉଛନ୍ତି । ସରକାର ଏଲ୍ଏଲ୍ର ଅବଧି ଡିସେମ୍ବର ୩୧ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଥିଲେ । ଅବଧି ପାଖେଇ ଆସୁଥିବା ବେଳେ ଆବେଦନ କରିବା ସମ୍ଭବ ହେଉ ନ ଥିବାରୁ ଅନେକ ଆବେଦନକାରୀ ଚିନ୍ତାରେ ପଡିଛନ୍ତି । ଆଉ ସପ୍ତାହକ ମଧ୍ୟରେ ତାରିଖ ସରିଯିବ କ’ଣ କରିବେ । ସେମାନଙ୍କୁ ଜୋରିମାନା ଦେବାକୁ ପଡ଼ିବ ।
ନଚେତ୍ ପୁନର୍ବାର ଏଲ୍ଏଲ୍ ଆବେଦନ କରିବାକୁ ହେବ । ତେବେ ଏସମ୍ପର୍କରେ ପରିବହନ କମିସନର ସଞ୍ଜୀବ ପଣ୍ଡାଙ୍କୁ ପଚରାଯିବାରେ ସେ କହିଥିଲେ, ବର୍ତ୍ତମାନ ୨୪ଟି ଆର୍ଟିଓରେ ନୂତନ ଏଲ୍ଏଲ୍ ଆବେଦନ କରାଯାଉଛି । ୧୪ଟି ଆର୍ଟିଓରେ ଏପର୍ଯ୍ୟନ୍ତ ଅନେକ ଆବେଦନକାରୀ ଅପେକ୍ଷାରେ ରହିଛନ୍ତି । କେଉଁ ଆର୍ଟିଓରେ କେତେ ଆବେଦନକାରୀ ଅଛନ୍ତି ସେସବୁକୁ ଅନୁଧ୍ୟାନ କରାଯିବା ପରେ ଶେଷ ସମୟ ସମ୍ପ୍ରସାରଣ କରାଯିବ କି ନାହିଁ ବା କେତେ ଦିନ ସମ୍ପ୍ରସାରଣ କରାଯିବ ସେ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି ପରିବହନ କମିସନର କହିଛନ୍ତି ।