

ସତ୍ୟଶିଖା( ଭୁବନେଶ୍ୱର )୩୦.୦୫.୨୦୨୨ : ରାଜ୍ୟରେ ଧୀରେଧୀରେ କମୁଛି କରୋନା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜିର କରୋନା ମାମଲା ରାଜ୍ୟର ୪ଜିଲ୍ଲା ଓ ଷ୍ଟେଟପୁଲରୁ ଚିହ୍ନଟ ହୋଇଥିବା ବେଳେ ୨୬ ଜିଲ୍ଲା କରୋନା ମୁକ୍ତ ରହିଛି । ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୪ ଓ ସ୍ଥାନୀୟ ସଂକ୍ରମିତ ୨ଜଣ ରହିଛନ୍ତି । ଚିହ୍ନଟ ୬ ସଂକ୍ରମିତଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷର କୌଣସି ଆକ୍ରାନ୍ତ ନଥିବା କୁହାଯାଇଛି । ଖୋର୍ଦ୍ଧାରୁ ସର୍ବାଧିକ ୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼, ସମ୍ବଲପୁର, କଟକ ଓ ଷ୍ଟେଟପୁଲରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ରାଜ୍ୟରେ ଆଉ ୮ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ସଂକ୍ରମଣ ତୁଳନାରେ ସୁସ୍ଥତା ସଂଖ୍ୟା ବୃଦ୍ଧି ପାଇଥିବାରୁ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି । ରାଜ୍ୟରେ ମୋଟ୍ କରୋନା ସକ୍ରିୟ ଆକ୍ରାନ୍ତ ୭୪ଜଣ ରହିଛନ୍ତି ।