

ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ରେଡ୍ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ମାମଲାରେ ଜଣେ ବରିଷ୍ଠ ଅଧିକାରୀଙ୍କ ସହ ୩ ଜଣଙ୍କୁ ଗିରଫ କରିଛି ସିବିଆଇ । ପାରାଦୀପ ପୋର୍ଟ ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ ଦାସଙ୍କୁ ଗିରଫ କରାଯାଇଛି ।
ଏହା ସହ ଠିକାଦାର ସୁମନ୍ତ ରାଉତଙ୍କୁ ମଧ୍ୟ ସିବିଆଇ ଗିରଫ କରିଛି । ସରୋଜ ଓ ସୁମନ୍ତଙ୍କ ସହ ଆଉ ଜଣେ ମଧ୍ୟ ଗିରଫ ହୋଇଥିବା ସୂଚନା ମିଳିଛି । ୨୫ ଲକ୍ଷ ଟଙ୍କାର ଲାଞ୍ଚ କାରବାର ମାମଲାରେ ଗିରଫ ହୋଇଥିବା ଜଣାପଡିଛି । ୨୪ ଘଣ୍ଟାର ମାରାଥନ୍ ରେଡ୍ ପରେ ଏପରି କାର୍ଯ୍ୟାନୁଷ୍ଠାନ ନେଇଛି ସିବିଆଇ । ଅନ୍ୟପଟେ ଏବେ ବି ମହିମା ମିଶ୍ରଙ୍କୁ ପଚରାଉଚରା ଜାରି ରହିଛି । ଆଜି ସକାଳେ ଭୁବନେଶ୍ୱର ସ୍ଥିତ ସିବିଆଇ ଅଫିସରେ ମହିମା ମିଶ୍ର ହାଜର ହୋଇଥିବା ନେଇ ସୂଚନା ମିଳିଛି । ସେହି ସମୟରେ ଆଇନ ଉପରେ ମୋର ଶତ ପ୍ରତିଶତ ଭରସା ଅଛି ବୋଲି କହିଥିଲେ ।
ତେବେ ମହିମାଙ୍କୁ ଗତକାଲି ପାରାଦୀପ ବନ୍ଦର ଗେଷ୍ଟ ହାଉସରେ ୬ ଘଣ୍ଟା ଧରି ସିବିଆଇ ଜେରା କରିଥିଲା । ସେହିପରି ଭୁବନେଶ୍ୱର ସିବିଆଇ ଅଫିସରେ ସାଢ଼େ ୩ ଘଣ୍ଟାରୁ ଅଧିକ ସମୟ ଧରି ପୁଅ ଚନ୍ଦନ ମିଶ୍ରଙ୍କୁ ପଚରାଉଚରା କରିଥିଲା ସିବିଆଇ। ଉଭୟଙ୍କୁ ୨୫ ଲକ୍ଷ ଟଙ୍କା ଲିଙ୍କ୍ ନେଇ ଜେରା କରାଯାଇଥିବା ଅନୁମାନ କରାଯାଉଛି ।