ରାଜ୍ୟ

ଦେଶର ସବୁଠୁ ଗରିବ ରାଜ୍ୟ ଓଡ଼ିଶା

ସତ୍ୟଶିଖା(ଭୁବନେଶ୍ୱର )୧୬.୦୯ .୨୦୨୧:  ନ୍ୟାଶନାଲ ସାମ୍ପୁଲ ସର୍ଭେ ଅର୍ଗାନାଇଜେସନ କରିଥିବା ରିପୋର୍ଟରେ ଓଡ଼ିଶା ଦେଶର ସବୁଠୁ ଗରିବ ରାଜ୍ୟ ବୋଲି ଜଣାପଡ଼ିଛି। ଅନ୍ୟପଟେ ପଡୋଶୀ ଝାଡଖଣ୍ଡ ଆମଠାରୁ ଅଧିକ ଧନୀ ବୋଲି ଏହି ସର୍ଭେ ରିପୋର୍ଟ କହିଛି। ସେଠି ସରକାର ପ୍ରାୟତଃ ନିର୍ବାଚନ ବେଳେ ବଦଳୁଥିବାର ନଜିର ରହିଛି।  ଏନଏସଏସଓର ରିପୋର୍ଟ ଯେଉଁ ରିପୋର୍ଟ ଜାରି କରିଛି ସେଥିରେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ରହୁଥିବା ଲୋକଙ୍କର ହାରାହାରି ସମ୍ପତ୍ତି ବାବଦରେ ରିପୋର୍ଟ ଦେଇଛି। ଯାହାକୁ ନେଇ ଏପରି ଏକ ରିପୋର୍ଟ ସାମ୍ନାକୁ ଆସିଛି। ରାଜ୍ୟର ଗ୍ରାମାଞ୍ଚଳରେ ଘର ପିଛା ସମ୍ପତ୍ତିର ମୂଲ୍ୟ (ଆଭରେଜ ଆସେଟ ଭେଲ୍ୟୁ) ୫.୩୨ ଲକ୍ଷ ଟଙ୍କା ରହିଥିବା ବେଳେ ସହରାଞ୍ଚଳରେ ଏହା ୧୩.୪୧ ଲକ୍ଷ ରହିଛି। କିନ୍ତୁ ପଡ଼ୋଶୀ ଆସାମର ଗ୍ରାମାଞ୍ଚଳର ଘର ପିଛା ସମ୍ପତ୍ତିର ମୂଲ୍ୟ ୭ ଲକ୍ଷ ଟଙ୍କା ରହିଥିବା ବେଳୋ ଝାଡଖଣ୍ଡରେ ଏହା ୮.୬ ଲକ୍ଷ ରହିଛି । ସେହିପରି ଛତିଶଗଡ଼ରେ ଏହା ୮.୯ ଲକ୍ଷ ଟଙ୍କା ଏବଂ ପଶ୍ଚିମବଙ୍ଗରେ ୭.୮୯ ଲକ୍ଷ ରହିଛି। ତେବେ ଦେଶର ଗ୍ରାମାଞ୍ଚଳମାନଙ୍କରେ ହାରାହାରି ଘର ପିଛା ସମ୍ପତ୍ତିର ମୂଲ୍ୟ ତୁଳନାରେ ଓଡ଼ିଶା ଅଧାରୁ ଟିକିଏ କମ୍ ରହିଛି। ଅର୍ଥାତ୍ ୪୦ ପ୍ରତିଶତ ରହିଛି।

ତେବେ ସାରା ଦେଶର ୧୮ଟି ମୁଖ୍ୟ ରାଜ୍ୟ ମଧ୍ୟରୁ ଓଡ଼ିଶା ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଘର ପିଛା ସମ୍ପତ୍ତି ମୂଲ୍ୟରେ ତଳେ ରହିଛି।

ସେହିପରି ଚାଷୀଙ୍କୁ ନେଇ ଏନଏସଏସଓ ଏକ ରିପୋର୍ଟ ଜାରି କରିଛି ଏନଏସଏସଓ। ଯେଉଁଥିରେ ଚାଷୀଙ୍କୁ ଆର୍ଥିକ ସହାୟତା କରୁଥିବା କାଳିଆ ଯୋଜନା ୧୦ଟି ପ୍ରମୁଖ ରାଜ୍ୟର ଯୋଜନା ମଧ୍ୟରେ ରହିଛି। ହେଲେ ଓଡ଼ିଶାର ଚାଷୀ ମାନେ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ଋଣ ବୋଝରେ ରହିଥିବା ଜଣାପଡ଼ିଛି। ରାଜ୍ୟରେ ଚାଷୀଙ୍କର ମୁଣ୍ଡପିଛା ସମ୍ପତ୍ତି ୬.୨୧ ଲକ୍ଷ ରହିଛି। ମୋଟ୍ ଚାଷୀଙ୍କ ମଧ୍ୟରୁ ୪୬.୪ ପ୍ରତିଶତ ଚାଷୀ ଋଣ ବୋଝରେ ରହିଛନ୍ତି।

ତେବେ ଚାଷୀ ଋଣ ନେବା ତାଲିକାରେ ଓଡ଼ିଶା ନବମ ସ୍ଥାନରେ ରହିଛି। ହେଲେ ମୋଟ୍ ଚାଷୀଙ୍କ ମଧ୍ୟରେ ମାତ୍ର ୨୪ ପ୍ରତିଶତ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ସରକାରୀ ଅନୁମୋଦିତ ସଂସ୍ଥାରୁ ଋଣ ନେଇଛନ୍ତି। ଯାହାକି ଚିନ୍ତାର ବିଷୟ। କାରଣ ଏବେ ବି ଗ୍ରାମାଞ୍ଚଳରେ ସାହୁକାର ବା ଜମିଦାରୀ ପ୍ରଥା ରହିଛି। ଅନେକ ସମୟରେ ଋଣ ବୋଝ ସହିନପାରି ଚାଷୀ ଆତ୍ମହତ୍ୟା କରୁଥିବାର ନଜିର ରହିଥିବା ବେଳେ ଋଣ ଆଣିଥିବା ଜମିଦାରକୁ ନିଜ ଜମି ଶାଗ, ମାଛ ଦରରେ ବିକ୍ରି କରୁଥିବା ମଧ୍ୟ ଅନେକ ସମୟରେ ଦେଖିବାକୁ ମିଳିଛି।

Show More
Back to top button