

ସତ୍ୟଶିଖା( ନୂଆପଡ଼ା )୧୦.୦୮ . ୨୦୨୨: ଲଗାଣ ବର୍ଷା ଯୋଗୁ ଭୁଶୁଡ଼ିଲା ବ୍ରିଜ୍ । ନୂଆପଡା ଜିଲ୍ଲା ଜୋଙ୍କ ନଦୀ ଉପରେ ଥିବା ବ୍ରିଜଟି ଗତ ରାତିରେ ଧୋଇ ହୋଇଯାଇଛି । ବ୍ରିଜ ଭାଙ୍ଗିବା ଯୋଗୁ ଓଡ଼ିଶା- ଛତିଶଗଡ଼ ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ଯାଇଛି।
ଲଗାଣ ବର୍ଷା ଯୋଗୁ କିଛି ଦିନ ହେବ ଜୋଙ୍କ ନଦୀ ଉପରେ ପାଣି ପ୍ରବାହିତ ହେଉଥିଲା। ଜୋଙ୍କ ନଦୀ ସୁନାବେଡ଼ା ଅଭୟାରଣ୍ୟରୁ ବାହାରିଥିବା ବେଳେ ଏହି ବ୍ରିଜ ସାରାବଙ୍ଗରୁ ଓ ଆମାନାରା ଗାଁ ମଝିରେ ରହିଛି। ଏହି ବ୍ରିଜ ଛତିଶଗଡ଼ର ଗରିଆବନ୍ଧ ଓ ମହାସମୁନ୍ଦ ଜିଲ୍ଲାକୁ ସଂଯୋଗ କରିଥାଏ। ପ୍ରତିଦିନ ଏହି ବ୍ରିଜ ଉପରେ ଶହ ଶହ ଗାଡ଼ି ଯାତାୟତ କରିଥାଏ। ତଥା ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଯାତାୟତର ଏହା ଏକ ପ୍ରମୁଖ ମାଧ୍ୟମ । ମାତ୍ର ଲଗାଣ ବର୍ଷା ଯୋଗୁ ଗତକାଲି ରାତିରେ ବ୍ରିଜଟି ଧୋଇ ହୋଇଯାଇଛି। ବ୍ରିଜର ଅପର ପାର୍ଶ୍ୱରେ ୫ଟି ପଞ୍ଚାୟତ ରହିଯାଇଥିବାରୁ ସେମାନେ ବାହ୍ୟ ଜଗତ ସହ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛନ୍ତି।