

ସତ୍ୟଶିଖା (ନୂଆଦିଲ୍ଲୀ) ୧୦/୦୨/୨୦୨୧ : ଗତ ବର୍ଷ ଫେବୃଆରିରୁ କରୋନା ମହାମାରୀ ଭାରତରେ ବ୍ୟାପି ଯାଇଥିଲା । ମାର୍ଚ୍ଚ ଶେଷରେ ସରକାର ଲକଡାଉନ ଘୋଷଣା କରିଥିଲେ । ଏହି ଲକଡାଉନର ବିଶେଷ ପ୍ରଭାବ ପିଲାମାନଙ୍କ ଶିକ୍ଷା ଉପରେ ପଡ଼ିଥିଲା । ଏଇକିଛି ଦିନ ହେବ କରୋନା ଭାଇରସ ଟିକା ପହଞ୍ଚିଛି । ଖୁସିର କଥା ହେଉଛି କରୋନା ସଂକ୍ରମଣ ବି ଧୀରେ ଧୀରେ ହ୍ରାସ ହେବାରେ ବି ଲାଗିଛି । ଏହାକୁ ଦୃଷ୍ଟିରେ ରଖି ପିଲାମାନଙ୍କ ପାଠପଢ଼ାକୁ ପ୍ରାଧାନ୍ୟ ଦେଇ ଦିଲ୍ଲୀ ସରକାର ବିଦ୍ୟାଳୟ ଖୋଲିବା ସହିତ ନର୍ସରି ପ୍ରବେଶିକା ପରୀକ୍ଷା ତାରିଖ ମଧ୍ୟ ଘୋଷଣା କରିଛନ୍ତି । ଚଳିତ ଥର ସରକାରୀ ବିଦ୍ୟାଳୟରେ ପ୍ରବେଶ ପ୍ରକ୍ରିୟା ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ହେବ ।
ଦିଲ୍ଲୀ ଶିକ୍ଷା ନିର୍ଦ୍ଦେଶାଳୟ ଅନୁଯାୟୀ, ନର୍ସରିରେ ପ୍ରବେଶ ପ୍ରକ୍ରିୟା ଫେବୃଆରି ୧୮ ରୁ ଆରମ୍ଭ ହେବ । ନିଶ୍ଚିତ ହୋଇଥିବା କାର୍ଯ୍ୟକ୍ରମ ଅନୁଯାୟୀ, ଚଳିତ ବର୍ଷ ଘରୋଇ ବିଦ୍ୟାଳୟରେ ପ୍ରବେଶ ସମ୍ପୂର୍ଣ୍ଣ ଅନଲାଇନରେ ହେବ । ସେହିପରି ସରକାରୀ ବିଦ୍ୟାଳୟରେ ଉଭୟ ଅନଲାଇନ୍ ଓ ଅଫଲାଇନରେ ହେବ । ଫର୍ମ ପୂରଣ ପାଇଁ ଶିକ୍ଷା ନିର୍ଦ୍ଦେଶାଳୟ ଶେଷ ତାରିଖ ମାର୍ଚ୍ଚ ୪ ରଖିଥିବା ବେଳେ ପ୍ରବେଶର ପ୍ରଥମ ତାଲିକା ମାର୍ଚ୍ଚ ୨୦ରେ ପ୍ରକାଶ ପାଇବ । ଏଥିସହିତ ମାର୍ଚ୍ଚ ୨୫ରେ ଦ୍ୱିତୀୟ ତାଲିକା ପ୍ରକାଶ ପାଇବ ଏବଂ ଏପ୍ରିଲ ୧ ରୁ କ୍ଲାସ ଆରମ୍ଭ ହେବ ।
ସାଧାରଣତଃ ଦିଲ୍ଲୀରେ ପ୍ରାୟ ୧୭୦୦ବିଦ୍ୟାଳୟରେ ନର୍ସରିରେ ଭର୍ତ୍ତି ପ୍ରକ୍ରିୟା ନଭେମ୍ବର ଶେଷ ସପ୍ତାହରେ ଆରମ୍ଭ ହୋଇଯାଉଥିଲା । କରୋନା ମହାମାରୀ ଯୋଗୁଁ ଚଳିତ ଥର ଏହି ଭର୍ତ୍ତି ବିଳମ୍ବ ହୋଇଛି । କିନ୍ତୁ ଏପ୍ରିଲ ୧ରୁ କ୍ଲାସ ଆରମ୍ଭ କରିବାକୁ ବିଭାଗ ଯଥାସମ୍ଭବ ଚେଷ୍ଟା କରୁଛି । ସରକାରୀ ନିର୍ଦ୍ଦେଶ ଅନୁଯାୟୀ ନର୍ସରୀ ପାଇଁ ଚାରି ବର୍ଷ, କେଜି ପାଇଁ ପାଞ୍ଚ ବର୍ଷ ବୟସ ସୀମା ସ୍ଥିର କରାଯାଇଛି ।