ଖେଳ

ପରଲୋକରେ ମହାନ ଫୁଟବଲର ପିକେ ବାନାର୍ଜୀ

କୋଲକାତା: ଭାରତର ପ୍ରଖ୍ୟାତ ଫୁଟବଲର୍ ପିକେ ବାନାର୍ଜୀଙ୍କର ୮୩ ବର୍ଷ ବୟସରେ ପରଲୋକ ହୋଇଛି। ନ୍ୟୁମୋନିଆ କାରଣରୁ ତାଙ୍କୁ ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ହେଉଥିଲା। ଏହାଛଡ଼ା ତାଙ୍କର ହୃଦଘାତଜନିତ ସମସ୍ୟା ମଧ୍ୟ ରହିଥିଲା, ଯେଉଁକାରଣରୁ ସେ ଚଳିତ ମାସ ୨ ତାରିଖରୁ ହସ୍ପିଟାଲରେ ଲାଇଫ୍ ସପୋର୍ଟରେ ଥିଲେ। ଶୁକ୍ରବାର ମଧ୍ୟାହ୍ନ ୧୨.୪୦ ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ଝିଅ ପୌଲା ଓ ପୂର୍ଣ୍ଣା ଉପସ୍ଥିତ ଥିଲେ। ତାଙ୍କ ଭାଇ ପ୍ରସୁନ ବାନାର୍ଜୀ ତୃଣମୂଳ କଂଗ୍ରେସର ସାଂସଦ ମଧ୍ୟ ଅଛନ୍ତି।

୧୯୩୬, ଜୁନ୍ ୨୩ ତାରିଖରେ ମୋୟନାଗୁରୀରେ ଜନ୍ମିତ ବାନାର୍ଜୀ ୧୯୬୨ରେ ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ଫୁଟବଲ୍ ଦଳର ସଦସ୍ୟ ଥିଲେ। ଏହାଛଡ଼ା ସେ ୧୯୬୦ରେ ରୋମ୍ ଅଲିମ୍ପିକ୍ସରେ ଭାରତର ନେତୃତ୍ୱ ନେଇଥିଲେ ଏବଂ ଫ୍ରାନ୍ସ ବିପକ୍ଷରେ ୧-୧ ଗୋଲରେ ମ୍ୟାଚକୁ ଡ୍ର’ କରାଇଥିଲେ। ଏହା ପୂର୍ବରୁ ସେ ୧୯୫୬ରେ ମେଲବର୍ଣ୍ଣ ଅଲିମ୍ପିକ୍ସ ଟିମରେ ମଧ୍ୟ ସ୍ଥାନ ପାଇଥିଲେ ଏବଂ କ୍ୱାର୍ଟରଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ମିଳିଥିବା ୪-୨ ଗୋଲର ବିଜୟରେ ପ୍ରମୁଖ ଭୂମିକା ବହନ କରିଥିଲେ। ତାଙ୍କୁ ମଧ୍ୟ ଫିଫା ଭାରତର ସର୍ବଶ୍ରେଷ୍ଠ ଖେଳାଳିର ମାନ୍ୟତା ପ୍ରଦାନ କରିଥିଲା ଏବଂ ୨୦୦୪ରେ ବିଂଶ ଶତାବ୍ଦୀର ଅର୍ଡର ଅଫ୍ ମେରିଟ୍ ପ୍ରଦାନ କରିଥିଲା।

ସେ ନିଜ କ୍ୟାରିୟରରେ ଅଧିକାଂଶ ସମୟ ଆହତ ସମସ୍ୟାରେ ରହିଥିଲେ। ଏହି ଆହତ କାରଣରୁ ସେ ୧୯୬୭ରେ ଅନ୍ତର୍ଜାତୀୟ ଫୁଟବଲରୁ ସନ୍ନ୍ୟାସ ନେଇଥିଲେ। ସେ ଭାରତ ପକ୍ଷରୁ ୮୪ ମ୍ୟାଚ୍ ଖେଳି ୬୫ ଗୋଲ୍ ସ୍କୋର କରିଛନ୍ତି। ଅବସର ନେବା ପରେ ସେ କୋଚିଂ କ୍ଷେତ୍ରରେ ପାଦ ଥାପିଥିଲେ। ତାଙ୍କ କୋଚିଂ ବଳରେ ଟିମ୍ ଗୁଡ଼ିକ ୫୪ ଟ୍ରଫି ହାସଲ କରିଛନ୍ତି।

ଆହୁରି ପଢ଼ନ୍ତୁ

୧୯୭୭ରେ ସେ ମୋହନବାଗାନର କୋଚ୍ ଥିଲା ବେଳେ ନ୍ୟୁୟର୍କରେ ଏକ ପ୍ରଦର୍ଶନୀ ମ୍ୟାଚରେ ପେଲେଙ୍କ ପ୍ରତିନିଧିତ୍ୱରେ କସମସ୍ ଟିମ୍ ସହ ମ୍ୟାଚକୁ ୨-୨ରେ ବରାବର କରାଇଥିଲେ। ତାଙ୍କ କୋଚିଂ ସମୟରେ ଭାରତ ୧୯୭୧ରେ ସିଙ୍ଗାପୁରରେ ଆୟୋଜିତ ପେସ୍ତା ସୁକାନ୍ କପରେ ଯୁଗ୍ମ ବିଜେତା ହୋଇଥିଲା। ଏହାସହ ତାଙ୍କ ଅଧୀନରେ ଇଷ୍ଟ ବେଙ୍ଗଲ ପାଞ୍ଚଥର ସିଏଫଏଲ୍ ଟାଇଟଲ୍ ମଧ୍ୟ ଜିତିଛି। ଏହାବାଦ୍ ୧୯୭୭ରେ ତାଙ୍କ କୋଚିଂ ବଳରେ ମୋହନବାଗାନ ଆଇଏଫଏ ଶିଲ୍ଡ, ରୋଭର୍ସ କପ୍ ଓ ଡୁରାଣ୍ଡ କପ୍ ମଧ୍ୟ ଜିତିଥିଲା।

ତାଙ୍କ ପରଲୋକରେ ଭାରତୀୟ କ୍ରୀଡ଼ା ଜଗତରେ ଶୋକର ସାୟା ଖେଳିଯାଇଛି। ଭାରତୀୟ ଫୁଟବଲ ଟିମ୍ କ୍ୟାପଟେନ୍ ସୁନୀଲ ଛେତ୍ରୀ ଟ୍ୱିଟ୍ କରି ବାନାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି, ପିକେ ବାନାର୍ଜୀଙ୍କୁ ମୁଁ ଆନ୍ତରିକତାର ସହ ଶ୍ରଦ୍ଧାଞ୍ଜଳି ଜଣାଉଛି। ଫୁଟବଲ ପ୍ରତି ତାଙ୍କର ଅବଦାନ ଅତୁଳନୀୟ ରହିବ ଏବଂ ତାଙ୍କର ସଫଳତା ଭାରତୀୟ ଫୁଟବଲ୍ ପ୍ରତି ସର୍ବଦା ଚିର ହୋଇ ରହିବ।

ସେହିପରି ଏଆଇଏଫଏଫର ସଭାପତି ପ୍ରଫୁଲ୍ଲ ପଟେଲ ମଧ୍ୟ ଟ୍ୱିଟ୍ କରିଛନ୍ତି ଯେ ଜଣେ କିମ୍ବଦନ୍ତୀ ଏବଂ ଆମର ସର୍ବଶ୍ରେଷ୍ଠ ଫୁଟବଲ୍ ଖେଳାଳି ଆମକୁ ଛାଡ଼ି ଚାଲିଯାଇଛନ୍ତି। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ, ଭାରତୀୟ ଫୁଟବଲ ତାଙ୍କୁ ମିସ୍ କରିବ। ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ମୁଁ ଗଭୀର ସମବେଦନା ଜ୍ଞାପନ କରୁଛି। ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ଦଳର ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଦ୍ଧିମାନ ସାହା, ସୁଜିତ୍ ସିରକାର ପୂର୍ବତନ ଭାରତୀୟ ଡିଫେଣ୍ଡର୍ ସୁବ୍ରତ ଭଟ୍ଟାଚାର୍ଯ୍ୟ ମଧ୍ୟ ବାନାର୍ଜୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।



[ad_2]

Show More
Back to top button