ରାଜ୍ୟସ୍ୱାସ୍ଥ୍ୟ

ରାଜଧାନୀରେ ମାଡ଼ିଗଲାଣି ଡେଙ୍ଗୁ : ୧୧ଶହ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ସତ୍ୟଶିଖା(ଭୁବନେଶ୍ୱର ) ୧୩.୦୮ .୨୦୨୧:  ରାଜଧାନୀରେ କରୋନା ସହ ଡେଙ୍ଗୁ ସଂକ୍ରମଣ ମାଡ଼ିଗଲାଣି । ରାଜଧାନୀ ଭୁବନେଶ୍ୱରରୁ ଆଉ ୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିାବବେଳେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଶହ ପାର କରିଛି । ଯାହା ପାଇଁ ଏବେ ସାଧାରଣରେ ଭୟର ବାତାବରଣ ଖେଳିଯାଇଛି । ଏହି ସ୍ଥିତିରେ ଭୁବନେଶ୍ୱରରେ ଡେଙ୍ଗୁ ଓ କରୋନା ମୁକାବିଲା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ଥ ହୋଇପଡ଼ିଥିବା ନଜରକୁ ଆସୁଛି । ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମୁନଥିବାବେଳେ ଦୈନିକ ଏବେ ୫୦ରୁ ଅଧିକ ଡ଼େଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ମହାମାରୀ ପରିଚାଳନା ନାଁରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଲୋକଙ୍କୁ ଭଣ୍ଡୋଉଥିବା ଅଭିଯୋଗ ହୋଇଛି ।

ଦୈନିକ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିଏମ୍‌ସିର ଅପାରଗ ମାହାମାରୀ ମୁକାବିଲା ନେଇ ପ୍ରତିବାଦ ସାମ୍ନାକୁ ଆସୁଥିବାବେଳେ ଏବେ ରାଜଧାନୀରେ ନିଶ୍ୱାସ ନେବା ମଧ୍ୟ କଷ୍ଟ ହୋଇପଡ଼ିଛି । କ୍ରମାଗତ ଭାବେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ପ୍ରଶାସନ ଚୁପ୍ ରହିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ରାଜଧାନୀରେ ଜୁଲାଇ ମାସରେ ନୀଳାଦ୍ରିବିହାରରୁ ପ୍ରଥମ ରୋଗୀ ଚିହ୍ନଟ ହୋଇଥିଲେ । ଏବେ ପୂରା ରାଜଧାନୀ ସାରା ବ୍ୟାପୀ ଗଲାଣି । ଖାଲି ସେତିକି ନୁହେଁ, ବିଏମ୍‌ସି ଅଧୀନରେ ଥିବା ବିଭିନ୍ନ ସରକାରୀ ଏବଂ ବେସରକାରୀ ଅଫିସ୍‌ରେ ଚଢ଼ଉ କରିବା ପାଇଁ ନିର୍ଦ୍ଦେଶାବଳୀ ଜାରି ହୋଇଥିଲା ।

ବର୍ତ୍ତମାନ ସବୁ ନିୟମ ଅଳିଆ ଗଦାରେ । ଏପରି କି ବିଭିନ୍ନ ସ୍ଥାନରେ ମଶା ଧୂଆଁ ଦିଆଯାଉନଥିବା ନେଇ ଅଭିଯୋଗ ହୋଇଛି । ଯଦି ତୁରନ୍ତ ଏହା ଉପରେ ପଦକ୍ଷେପ ଗ୍ରହଣ କରାନଯାଏ ତେବେ ସ୍ଥିତି ଆହୁରି ସଙ୍ଗୀନ ହେବା ଥୟ ବୋଲି ଜନସାଧାରଣ ପ୍ରକାଶ କରିଛନ୍ତି ।
ସୂଚନାଥାଉ କି, ମଶା ବୃଦ୍ଧିର ଆଶଙ୍କା ଥିବା ୩୬ ହଜାରରୁ ଊର୍ଦ୍ଧ୍ୱ ସ୍ଥାନରେ ସଫେଇ କରାଯାଇଛି । ୩୭,୪୦୧୫ ସ୍ଥାନରେ ଏଡିସ୍ ମଶାର ଲାର୍ଭାକୁ ନଷ୍ଟ କରାଯାଇଛି । ସେହିପରି ୩୬,୯୦୭ ସ୍ଥାନରେ ପ୍ରଜନନ ଉତ୍ସ ମିଳିଥିବାବେଳେ ସେଗୁଡ଼ିକୁ ମଧ୍ୟ ବିଏମ୍‌ସି ନଷ୍ଟ କରିଛି ।

ବଡ଼କଥା ହେଲା ଏବେ ସୁଦ୍ଧା ସହରର ମୋଟ ୧୨,୮୮୬ ପରିବାରକୁ ବିଏମ୍‌ସି ସର୍ଭେଲାନ୍ସରେ ସାମିଲ କରିପାରିଛି । ଯେଉଁଥିରେ ମୋଟ ୫୩,୮୦୬ ଜଣ ନାଗରିକଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ବିଏମ୍‌ସି ନଜର ରଖିଛି । ଏବେ ମଧ୍ୟ ବିଏମ୍‌ସି ତା’ର ସର୍ଭେଲାନ୍ସ ବଢ଼ାଇବାରେ ଅକ୍ଷମ ପାଲଟିଥିବା ନଜରକୁ ଆସିଛି । ବିଏମ୍‌ସି ପକ୍ଷରୁ ସର୍ଭେଲାନ୍ସ ପ୍ରକ୍ରିୟା ଧିମା ହୋଇଥିବାରୁ ସଂକ୍ରମଣ ବୃଦ୍ଧିପାଉଥିବା ଅଭିଯୋଗ ହୋଇଛି । ଏହି ମଧ୍ୟରେ ସହରରୁ ୭୯୩ ଆକ୍ରାନ୍ତ ସୁସ୍ଥ ହୋଇସାରିଥିବା ବିଏମ୍‌ସି ସୁଚନା ଦେଇଛି । ଡେଙ୍ଗୁ ପ୍ରକୋପକୁ ରୋକିବା ପାଇଁ ବିଏମ୍‌ସି ସଫେଇ ଓ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିଥିବା ସଫେଇ ରଖିଛି ।

Show More
Back to top button