

ସତ୍ୟଶିଖା(ଭୁବନେଶ୍ୱର )୨୪.୦୫.୨୦୨୨ : ଟମାଟୋ ଫ୍ଲୁ ବା HFMD ଆକ୍ରାନ୍ତଙ୍କ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ମୋଟ ୩୬ ନମୁନାରୁ ୨୬ ଏଚଏଫଏମଡି ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସେ କହିଛନ୍ତି ।
ତାଙ୍କ କହିବା ମୁତାବକ, ୩୬ ଜଣ ସନ୍ଦିଗ୍ଧଙ୍କ ନମୁନା ଆରଏମଆରସିକୁ ପଠାଯାଇଥିଲା । ସେହି ନମୁନା ମଧ୍ୟରୁ ୨୬ ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି । ୨୬ରୁ ଭୁବନେଶ୍ୱରରୁ ୧୯, ଖୋର୍ଦ୍ଧାରୁ ୨, ପୁରୀରୁ ୩ ଓ କଟକରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ୨୬ ଶିଶୁଙ୍କ ବୟସ ୯ ବର୍ଷରୁ କମ୍ ଥିବା ସେ କହିଛନ୍ତି । ଏହା ସହ ବିଜୟ ମହାପାତ୍ର କହିଛନ୍ତି ଯେ, ‘ହାତ ଓ ମୁହଁରେ ନାଲି ଫଳି ଜ୍ୱର ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏହି ରୋଗରେ ଆକ୍ରାନ୍ତ ଥିବା ପିଲାଙ୍କୁ ୫/୭ ଦିନ ଆଇସୋଲେସନରେ ରଖନ୍ତୁ ।’
ତେବେ ଟମାଟୋ ଫ୍ଲୁରେ ପିଲାମାନଙ୍କ ଚର୍ମରେ ଲାଲ୍ ଫୁଲା ଦେଖାଯାଏ । ବେଳେବେଳେ ଏହା ଟମାଟୋ ଆକାରରେ ଦେଖାଯାଇଥାଏ । ଏହି କାରଣରୁ ଏହାକୁ ଟମାଟୋ ଫ୍ଲୁ ବୋଲି କୁହାଯାଉଛି । ଟମାଟୋ ଫ୍ଲୁ ଏକ ସଂକ୍ରାମକ ରୋଗ ଯାହା ଛୁଇଁବା ଦ୍ବାରା ବ୍ୟାପିଥାଏ । ଯଦି ଆପଣଙ୍କ ଚାରିପାଖରେ କୋହି ଏହି ରୋଗରେ ପୀଡିତ ଅଛନ୍ତି ତେବେ ତାଙ୍କଠାରୁ ଦୂରତା ରକ୍ଷା କରନ୍ତୁ । ବିଶେଷ କରି ପିଲାମାନଙ୍କୁ ଏହି ଫ୍ଲୁ ରୋଗୀଙ୍କ ନିକଟକୁ ଆସିବାକୁ ଦିଅନ୍ତୁ ନାହିଁ ।