ଦେଶ

ବାହାଘର ବାତିଲ୍ କରି କରୋନା ରୋଗୀଙ୍କ ସେବା କଲେ ମହିଳା ଡାକ୍ତର

ଥିରୁଅନନ୍ତପୁରମ: ମାର୍ଚ୍ଚ ୨୯ ଡାକ୍ତର ଶୀଫା ଏମ୍ ମହମ୍ମଦଙ୍କ ବିବାହ ତାରିଖ ଥିଲା। କିନ୍ତୁ କନ୍ୟା ବେଶରେ ସଜେଇ ହେବା ବଦଳରେ କରୋନାରୁ ବର୍ତ୍ତିବା ପାଇଁ ଆବଶ୍ୟକ ପୋଷାକ ପିନ୍ଧି ରୋଗୀଙ୍କ ସେବା କରୁଥିଲେ ଯୁବତୀ। ଆଉ ମେଡିକାଲରେ ସହକର୍ମୀମାନେ ତାଙ୍କୁ ବିବାହ ପୋଷାକ ପରିଧାନ ସମ୍ପର୍କରେ ପଚାରିବା ପରେ ଯୁବତୀ କହିଥିଲେ ବିବାହ ଅପେକ୍ଷା ମୋ ପାଇଁ ରୋଗୀ ସେବା ବଡ଼।

ଦୁବାଇର ଜଣେ ବ୍ୟବସାୟୀଙ୍କ ସହିତ ବିବାହ କରିଥାନ୍ତେ ଏହି ଯୁବତୀ। ବାହାଘର ବାତିଲ୍ କରି ରୋଗୀଙ୍କ ସେବାରେ ଲାଗି ପଡ଼ିଛନ୍ତି କେରଳର ଯୁବ ମହିଳା ଡାକ୍ତର। ନିଜ ବିବାହକୁ ନେଇ ଏଭଳି ନିଷ୍ପତ୍ତି ନେବା ପଛର କାରଣ କରୋନା ରୋଗୀ ବୋଲି ସେ କହିଛନ୍ତି। ଦେଶରେ ଯେତେବେଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି ସେତେବେଳେ ରୋଗୀଙ୍କ ସେବା କରିବା ସେ ନିଜର କର୍ତ୍ତବ୍ୟ ବୋଲି ଭାବିଥିଲେ। ବିବାହ ଆଉ କେବେ ହୋଇପାରିବ ବୋଲି ୨୩ ବର୍ଷୀୟ ଯୁବ ଡାକ୍ତର ଶୀଫା ଏମ୍ ମହମ୍ମଦ କହିଛନ୍ତି। ସର୍ଜରୀ ଡିପାର୍ଟମେଣ୍ଟର ଏହି ଡାକ୍ତର ଏବେ କନ୍ନୁରରେ ଥିବା ପରିୟରମ ମେଡିକାଲ କଲେଜ ହସ୍ପିଟାଲର କରୋନା ରୋଗୀଙ୍କ ଆଇସୋଲେସନ ଓ୍ୱାର୍ଡରେ କାର୍ଯ୍ୟରତ।

ପ୍ରତ୍ୟେକଙ୍କ ଜୀବନରେ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ମୋ ଝିଅ ନିଜର ବ୍ୟକ୍ତିଗତ ଖୁସିକୁ ପଛରେ ରଖି ସମାଜ ପ୍ରତି ଦାୟିତ୍ତ୍ୱ ଏବଂ ପେଶାଗତ ପ୍ରତିବଦ୍ଧତାକୁ ବଜାୟୀ ରଖିଛି। ବିବାହ ସ୍ଥଗିତ ରଖିବାକୁ ପ୍ରଥମେ ଝିଅ ପରାମର୍ଶ ଦେଇଥିଲା, ଆଉ କାରଣ ଜାଣିବା ପରେ ଆମେ ସହଜରେ ସହମତ ହୋଇଥିଲୁ ବୋଲି ଶୀଫାଙ୍କ ବାପା ପିତା ମୁକକମ୍ ମହମ୍ମଦ କହିଛନ୍ତି। ନ୍ୟାଶନାଲ କଂଗ୍ରେସ ପାର୍ଟିର ନେତା ତଥା କୋଜିକୋଡେର ଏଲଡିଏଫ ଜିଲ୍ଲା ସଂଯୋଜକ ହେଉଛନ୍ତି ଡାକ୍ତର ଶୀଫାଙ୍କ ବାପା। ତାଙ୍କର ବଡ ଝିଅ ମଧ୍ୟ ଜଣେ ଡାକ୍ତର ଏବଂ ବର୍ତ୍ତମାନ କୋଜିକୋଡେ ମେଡିକାଲ କଲେଜ ଓ ହସ୍ପିଟାଲରେ ନିୟୋଜିତ ରହିଛନ୍ତି। ଶୀଫାଙ୍କ ମା ଜଣେ ଶିକ୍ଷକ। ଝିଅର ନିଷ୍ପତ୍ତି ପରେ ଆମେ ବର ତଥା ଦୁବାଇର ବ୍ୟବସାୟୀ ଅନୁସ ମହମ୍ମଦଙ୍କୁ ସମସ୍ତ କଥା କହିଥିଲୁ ସେ ମଧ୍ୟ ବିବାହ ବିଳମ୍ୱରେ କରିବାକୁ ରାଜି ହୋଇଥିଲେ ବୋଲି ମୁକକମ୍ ମହମ୍ମଦ କହିଛନ୍ତି।

ଆହୁରି ପଢ଼ନ୍ତୁ

ତେବେ ଗଣମାଧ୍ୟମକୁ ତାଙ୍କର ଏଭଳି ନିଷ୍ପତ୍ତି ବାବଦରେ ପ୍ରଥମେ ଶୀଫା କହିବାକୁ ଅନିଚ୍ଛା ପ୍ରକାଶ କରିଥିଲେ। ବହୁ ସମୟ ପରେ ପ୍ରତିକ୍ରିୟାରେ କହିଥିଲେ, ସେ ଯାହା କରିଛନ୍ତି କୌଣସି ବଡ଼ କାମ ନୁହେଁ। ଏହା ତାଙ୍କର କର୍ତ୍ତବ୍ୟ। ଏମିତି କାମ ଅନେକ କରିଛନ୍ତି। ଆଉ ସେ ଏ ବାବଦରେ ଅଧିକ କହିବାକୁ ଚାହୁଁ ନାହାନ୍ତି ବୋଲି ଆଇସୋଲେସନ ଓ୍ୱାର୍ଡରୁ ବାହାରି ଫୋନରେ କହିଥିଲେ।

‘ବିବାହ ଦିନ ମୁଁ କରୋନା ୱାର୍ଡରେ ଥିଲି ଏବଂ ମୋର କିଛି ବନ୍ଧୁ ମୋତେ ଥଟ୍ଟା କରି କହିଥିଲେ ବିବାହ ପୋଷାକ ନପିନ୍ଧି ହସ୍ପିଟାଲ ଡ୍ରେସରେ। ମୁଁ କେବଳ ମୋର କର୍ତ୍ତବ୍ୟ କରୁଛି। ଅଧିକ କିଛି କରୁନାହିଁ’। ମୁଁ ଏହା ବିଷୟରେ ଅଧିକ କହିବାକୁ ଚାହେଁ ନାହିଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, କେରଳରେ କୋଭିଡ୧୯ ସଂକ୍ରମିତଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଉଛି। ଏହାକୁ ନଜରରେ ରଖି କେରଳ ସରକାର ନିକଟରେ କନ୍ନୁରସ୍ଥିତ ପରୀୟରମ୍ ମେଡିକାଲ୍ କଲେଜ ହସ୍ପିଟାଲକୁ କୋଭିଡ୍ -୧୯ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରିଛନ୍ତି।

[ad_2]
Show More
Back to top button