ସତ୍ୟଶିକ୍ଷା ୨୬.୦୯.୨୦୨୦ : ଶନିବାର ଦିନ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ଏକ ବିବୃତିରେ କହିଛନ୍ତି ଯେ, ସେ କୌଣସି ନିଶାଦ୍ରବ୍ୟ ସେବନ କରନ୍ତି ନାହିଁ କି, ଏହାର ବ୍ୟବହାରକୁ ପ୍ରସାର ଓ ଉତ୍ସାହ ଦିଅନ୍ତି ନାହିଁ । ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ନିଶାଦ୍ରବ୍ୟ ସମ୍ପୃକ୍ତି ଘଟଣାରେ ‘ଏନ୍ସିବି’ ଯେଉଁ ବ୍ୟକ୍ତିଦ୍ବୟଙ୍କୁ ପଚରାଉଚୁରା କରିଥିଲା ସେମାନେ ତାଙ୍କର ଘନିଷ୍ଠ ସହଯୋଗୀ ବୋଲି ପ୍ରସାରିତ ଖବରକୁ ମଧ୍ୟ ସେ ଅଗ୍ରାହ୍ୟ କରିଛନ୍ତି ।
ଗତବର୍ଷ ଜୁଲାଇରେ ଜୋହରଙ୍କ ବାସଭବନରେ ‘ଡ୍ରଗ୍ ପାର୍ଟି’ ଆୟୋଜନ ହୋଇଥିଲା ବୋଲି ରାଜନେତା ମଞ୍ଜିନ୍ଦର୍ ସିଂହ ସିର୍ସା ପୁନର୍ବାର ଦାବି କରିବାରୁ ବଲିଉଡ୍ର ଡ୍ରଗ୍ ଲିଙ୍କ୍ରେ ଜୋହରଙ୍କ ନାଁ ଉଠିଛି । କିନ୍ତୁ, ସେ ଏହାକୁ ମିଥ୍ୟା ଏବଂ ଭିତ୍ତିହୀନ ବୋଲି କହି ଅଗ୍ରାହ୍ୟ କରି ଦେଇଛନ୍ତି ।
ଇନ୍ଷ୍ଟାଗ୍ରାମ୍ରେ ସେ ଦେଇଥିବା ଏକ ବିବୃତିରେ ଲେଖିଛନ୍ତି, ସାମ୍ପ୍ରତିକ ବିଦ୍ୱେଷ ପରାୟଣ ଅଭିଯାନ ଦୃଷ୍ଟିରୁ ମୁଁ ପୁଣି ଥରେ କହୁଛି ଯେ, ଏହି ଅଭିଯୋଗ ସବୁ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମିଥ୍ୟା। ପାର୍ଟିରେ ନିଶାଦ୍ରବ୍ୟ ସେବନ ହୋଇ ନ ଥିଲା। ସଂଶୟ ନ ରଖିବାକୁ ମୁଁ ପୁଣି ଥରେ କହୁଛି ଯେ, ମୁଁ ନିଶାଦ୍ରବ୍ୟ ସେବନ କରେନାହିଁ କି, ଏହାର ବ୍ୟବହାରକୁ ପ୍ରସାର ଓ ଉତ୍ସାହ ଦିଏନାହିଁ ।
ଚୋପ୍ରା ଧର୍ମ ପ୍ରଡକ୍ସନ୍ର ଅନ୍ୟ ଏକ ସଂସ୍ଥା ଧର୍ମଟିକ୍ ଏଣ୍ଟର୍ଟେନ୍ମେଣ୍ଟ୍ରେ ନଭେମ୍ବର ୨୦୧୯ରେ ଏକ ପ୍ରକଳ୍ପ ନିମନ୍ତେ ଚୁକ୍ତି ଭିତ୍ତିରେ ଯୋଗ ଦେଇଥିଲେ, କିନ୍ତୁ ତାହା ସାକାର ହୋଇ ନ ଥିଲା ।