ସତ୍ୟଶିଖା ୮.୦୯.୨୦୨୦ : ଡ୍ରଗ୍ସ କାରବାର ମାମଲାରେ ଛନ୍ଦି ହୋଇ ପଡ଼ିଥିବା ବଲିଉଡ୍ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରିବାକୁ ଆଜି ପୁଣି ଥରେ ଡକେଇଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଏଥରକୁ ମିଶାଇ ଏନ୍ସିବି ତୃତୀୟ ଥର ପାଇଁ ଜେରା କରିବାକୁ ରିୟାଙ୍କୁ ଡାକିଛି । ପୂର୍ବରୁ ଏନ୍ସିବି କରିଥିବା ଜେରା କାଳରେ ଡ୍ରଗ୍ସ ବେପାରରେ ସଂପୃକ୍ତି ଥିବା ନେଇ ଅନେକଙ୍କ ନାମ ସାମ୍ନାକୁ ଆସିବାରେ ଲାଗିଛି । ଜାଣିବାକୁ ମିଳିଛି ଯେ ଗତ ୨ ବର୍ଷ ମଧ୍ୟରେ ମୁମ୍ବାଇ ଏବଂ ପୁଣେ ପୁଲିସ୍ ଦ୍ୱାରା ଗିରଫ ହୋଇଥିବା ସମସ୍ତ ଡ୍ରଗ୍ ବେପାରୀ ଏବେ ଏନସିବି ନଜରରେ ରହିବେ । ଏନ୍ସିବିି ଅଧିକାରୀମାନେ ରିୟା ଚକ୍ରବର୍ତ୍ତୀଙ୍କ ବ୍ୟତୀତ ତାଙ୍କ ଭାଇ ସୌଭିକ୍ଙ୍କୁ ମଧ୍ୟ ପୁଣି ଥରେ ଜେରା ପାଇଁ ଡାକାଇବେ ବୋଲି ସୂଚନା ରହିଛି । ଏହାବ୍ୟତୀତ ଅଭିଯୁକ୍ତମାନଙ୍କର ସମସ୍ତ କଲ୍ ରେକର୍ଡକୁ ମଧ୍ୟ ଯାଞ୍ଚ୍ କରାଯିବ ।
ଯଦି ଏହି ଜେରା ସମୟରେ ରିୟାଙ୍କ ବିରୁଧରେ କୌଣସି ପ୍ରକାରର ଗୁରୁତ୍ବପୂର୍ଣ୍ଣ ପ୍ରମାଣ ହସ୍ତଗତ ହେବ ତାହାଲେ ତାଙ୍କୁ ଏନ୍ଡିପିଏସ୍ ଆକ୍ଟର ଧାରା ୨୭ଏ ଅଧୀନରେ ବୁକ୍ କରାଯିବ ବୋଲି ସୂଚନା ରହିଛି । ନିକଟ ଅତୀତରେ ରିୟା ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ ପ୍ରିୟଙ୍କା, ରାମ ମନୋହର ଲୋହିଆ ହସ୍ପିଟାଲର ଡାକ୍ତର ତରୁଣ କୁମାର ଏବଂ ଅନ୍ୟ କିଛି ଲୋକଙ୍କ ନାମରେ ଅଭିଯୋଗ ଆଣି ସେମାନେ ସୁଶାନ୍ତଙ୍କୁୁ ଭୁଲ୍ ତରିକାରେ ଡ୍ରଗ୍ସ ଦେଉଥିଲେ ବୋଲି କହିଥିଲେ । ଗତକାଲି ଏନେଇ ବାନ୍ଦ୍ରା ପୁଲିସ୍ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି ।