
ସତ୍ୟଶିଖା (ମୁମ୍ବାଇ) ୨୨ /୧୨/୨୦୨୦ : କରୋନା ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ମୁମ୍ବଇ ପୁଲିସ । କୋଭିଡ ନିୟମ ଉଲ୍ଲଂଘନ କରି ହୋଟେଲରେ ପାର୍ଟି କରୁଥିବା ପୂର୍ବତନ କ୍ରିକେଟର ସୁରେଶ ରାଇନା, କଣ୍ଠଶିଳ୍ପୀ ଗୁରୁ ରନ୍ଧୱା, ଅଭିନେତ୍ରୀ ସୁଜୈନ ଖାନଙ୍କ ସମେତ ୩୪ ଜଣଙ୍କୁ ପୁଲିସ ଗିରଫ କରିଛି । ତେବେ ପରବର୍ତ୍ତୀ ସମୟରେ ରାଇନା ଏବଂ ଗୁରୁ ରନ୍ଧୱା ଜାମିନରେ ଆସିଛନ୍ତି ।ସୂଚନା ଅନୁସାରେ, ମୁମ୍ବଇ ବିମାନବନ୍ଦରର ନିକଟରେ ଥିବା ଜେଡବ୍ଲ୍ୟୁ ମେରିୟଟ ହୋଟେଲ କ୍ଲବ ସୋମବାର ରାତିରେ ଏହି ପାର୍ଟି ଚାଲୁଥିଲା । ଏଥିରେ କୋଭିଡ ନିୟମ ଉଲ୍ଲଂଘନ ହୋଇଥିଲା । ପାର୍ଟିରେ ଭାଗ ନେଇଥିବା ସମସ୍ତଙ୍କ ବିରୋଧରେ ମୁମ୍ବଇରେ ଏତଲା ରୁଜୁ ହୋଇଥିଲା । ଏହା ପରେ ରାତି ପ୍ରାୟ ସାଢ଼େ ୩ଟାରେ ପୁଲିସ କ୍ଲବରେ ଚଢ଼ାଉ କରିବା ସହିତ ୩୪ ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ମଧ୍ୟରେ କ୍ଲବର ୭ କର୍ମଚାରୀଙ୍କ ସମେତ କିଛି ମହିଳା ଥିଲେ । ସେମାନଙ୍କୁ ନୋଟିସ ଦେଇ ପୁଲିସ ଛାଡ଼ି ଦେଇଛି ।
ମୁମ୍ବଇ ପୁଲିସ ସୂଚନା ଅନୁସାରେ, ପାର୍ଟିରେ ଅନେକ ସେଲିବ୍ରିଟି ଅଂଶଗ୍ରହଣ କରିଥିଲେ । କିନ୍ତୁ ଚଢ଼ାଉ ସମୟରେ ରାଇନାଙ୍କୁ ଛାଡ଼ି ଅନ୍ୟମାନେ କ୍ଲବର ପଛ ଗେଟ୍ ଦେଇ ଫେରାର ହୋଇଯାଇଥିଲେ । ରାଇନାଙ୍କ ସମେତ ଅନ୍ୟ ସେଲିବ୍ରିଟିମାନଙ୍କ ବିରୋଧରେ ଆଇପିସି ଧାରା ୧୮୮, ୩୪ ଅଧୀନରେ ମାମଲା ରୁଜୁ ହୋଇଛି । ସୂଚନାଯୋଗ୍ୟ, ମୁମ୍ବଇରେ ଏବେ ବି ଲକଡାଉନ ନିୟମ ଜାରି ରହିଛି । ନିୟମ ଅନୁସାରେ ରାତି ୧୧ଟା ପରେ କୌଣସି ପ୍ରକାର ପାର୍ଟି କିମ୍ବା ସାର୍ବଜନିକ କାର୍ଯ୍ୟକ୍ରମ ଆୟୋଜନ ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି ।