ଧର୍ମପର୍ଯ୍ୟଟନରାଜ୍ୟ

ନୀଳଚକ୍ର ବାନାରେ ଶୂନ୍ୟ ଗଣ୍ଠି

ସତ୍ୟଶିଖା(ଭୁବନେଶ୍ୱର) ୧୨ .୦୫.୨୦୨୧:  ଗତକାଲି ପୁରୀ ଶ୍ରୀମନ୍ଦିର ନୀଳଚକ୍ର ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି :ଦେଖିବାକୁ ମିଳିଛି। କାଳବୈଶାଖୀ ଜନିତ ପବନ ଓ ବର୍ଷାରେ ଶ୍ରୀମନ୍ଦିରର ମୁଖ୍ୟ ଧ୍ୱଜା ବନ୍ଧା ଯାଇଥିବା ବାଉଁଶ ନଇଁ ପଡ଼ିଥିହେଁ ଧ୍ୱଜା ଅକ୍ଷୁର୍ଣ୍ଣ ରହିଥିଲା। ସନ୍ଧ୍ୟାରେ ଚୁନରା ସେବକ ନୀଳଚକ୍ର ବାନା ପରିର୍ତ୍ତନ କରିବାପାଇଁ ଶ୍ରୀମନ୍ଦିର ଚୂଡ଼ାରେ ପହଞ୍ଚିଲେ। କିନ୍ତୁ ଶୂନ୍ୟରେ ବାନା ଗୁଡ଼ାଇ ହୋଇ ଗଣ୍ଠି ପଡ଼ିଥିବା ଦେଖିଥିଲେ।

ବରିଷ୍ଠ ଚୁନରା ସେବକ ଡକ୍ଟର ଶରତ ମହାନ୍ତି କହିଛନ୍ତି ଶ୍ରୀମନ୍ଦିର ନୀଳଚକ୍ରରେ ୧୫୧ ହାତ ବାନା ଲଗାଯାଉଥିଲା। ଅନେକ ସମୟରେ ଶୂନ୍ୟ ଗଣ୍ଠି ପଡୁଥିବା ଯୋଗୁ ୧୪ ହାତିଆ ବାନା ଲାଗୁଛି। ସେହିଦିଠାରୁ ଆଉ ଶୂନ୍ୟ ଗଣ୍ଠି ଦେଖିବାକୁ ମିଳୁନଥିଲା। ଅନେକ ବର୍ଷ ପରେ ଏହି ଘଟଣା ଦେଖିବାକୁ ମିଳିଛି।

ସେ କହିଛନ୍ତି ଯଦି ନୀଳଚକ୍ରରେ ଅତ୍ୟଧିକ ବାନା ବନ୍ଧା ହୋଇଥାଏ ତା’ହେଲେ ପ୍ରବଳ ପବନ କିମ୍ବା ଝଡ଼ବର୍ଷା ହେଲେ ଛନ୍ଦି ହୋଇଥାଏ ବା ଶୂନ୍ୟ ଗଣ୍ଠି ପଡ଼ିଥାଏ। ବାନା ଗୁଡ଼ିକ ପରସ୍ପର ବାଡ଼େଇ ହୋଇ କେଉଁଠି କେମିତି ସବୁ ଗଣ୍ଠି ପଡ଼ିଥାଏ କିଛି ବୁଝି ହୁଏ ନାହିଁ। ସାଧାରଣତଃ ଦଉଡ଼ି ଇତ୍ୟାଦିରେ ଆମେ ଯେଉଁ ଗଣ୍ଠି ପକାଉ ତାହା ଖୋଲି ହୋଇଯାଏ। କିନ୍ତୁ ଶୂନ୍ୟ ଗଣ୍ଠିକୁ ଖୋଲିବା ଆଦୌ ସହଜ ନୁହେଁ। ଏଗୁଡ଼ିକୁ ଛୁରୀରେ କାଟି ଅଲଗା କରିବାକୁ ହୁଏ। ସେ କହିଛନ୍ତି ଅନେକ ଲୋକ ଏହି ଶୂନ୍ୟଗଣ୍ଠିକୁ ନେଇ ଘରର ପ୍ରବେଶ ଦ୍ୱାରରେ ରଖନ୍ତି। ଏହାକୁ ଘରେ ରଖିଲେ ପ୍ରାକୃତିକ ଦୁର୍ବିପାକ ଓ ଗ୍ରହ ଜନିତ ବାଧାବିଘ୍ନରୁ ରକ୍ଷା ମିଳିଥାଏ ବୋଲି ବିଶ୍ୱାସ ରହିଛି।

Show More
Back to top button