

ସତ୍ୟଶିଖା( ଭୁବନେଶ୍ୱର )୦୩.୦୫.୨୦୨୨ : ସୁନ୍ଦରଗଡ଼: ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ରୂପାୟନ ଏବଂ ସେଗୁଡ଼ିକର ସଫଳ ପରିଚାଳନା ପାଇଁ ସୁନ୍ଦରଗଡ଼ ଜିଲ୍ଲାକୁ ସ୍ୱତନ୍ତ୍ର ପୁରସ୍କାର ମିଳିଛି । ନିକଟରେ ଇଣ୍ଡିଆ ଟୁଡେ ପକ୍ଷରୁ ଭୁବନେଶ୍ୱରଠାରେ ଆୟୋଜିତ ‘ଷ୍ଟେଟ୍ ଅଫ୍ ଦ ଷ୍ଟେଟ୍ ଓଡ଼ିଶା’ କନକ୍ଲେଭରେ ଦକ୍ଷତା ବିକାଶ କ୍ଷେତ୍ରରେ ‘ବେଷ୍ଟ ଇମ୍ପ୍ରୁଭଡ ଡିଷ୍ଟ୍ରିକ୍ଟ’ ଭାବେ ସୁନ୍ଦରଗଡ଼କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ମୁଖ୍ୟ ଶାସନ ସଚିବ ଶୀଯୁକ୍ତ ସୁରେଶ ଚନ୍ଦ୍ର ମହାପାତ୍ରଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ।
ଏହି ସଫଳତା ଲାଗି ଦକ୍ଷତା ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀ ଏବଂ ସହଯୋଗୀ ଅନୁଷ୍ଠାନଗୁଡ଼ିକୁ ଜିଲ୍ଲାପାଳ ଧନ୍ୟବାଦ ଜଣାଇଛନ୍ତି। ଏହାସହ ସେ ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ କୋଚିଂ ଓ ତାଲିମ ନେଉଥିବା ଜିଲ୍ଲାର ଛାତ୍ରଛାତ୍ରୀ ତଥା ଶିକ୍ଷିତ ଯୁବକ ଯୁବତୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।
ଏହି ସ୍ୱତନ୍ତ୍ର କନକ୍ଲେଭରେ ବିଭିନ୍ନ ବର୍ଗରେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ସମ୍ମାନିତ କରାଯାଇଥିବା ବେଳେ ସୁନ୍ଦରଗଡ଼କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ବିଶେଷ ସଫଳତା ପାଇଁ ଏହି ସମ୍ମାନ ଦିଆଯାଇଛି।
ଗତ କିଛି ବର୍ଷ ଧରି ସୁନ୍ଦରଗଡ଼ ଜିଲ୍ଲାରେ ଦକ୍ଷତା ବିକାଶ କ୍ଷେତ୍ରରେ ବିଭିନ୍ନ ଅଭିନବ କାର୍ଯ୍ୟକ୍ରମ ହାତକୁ ନେଇଛି ପ୍ରଶାସନ ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀ, ବିଶେଷକରି ଖଣି ପ୍ରଭାବିତ ଅଞ୍ଚଳର ଶିକ୍ଷିତ ଯୁବବର୍ଗଙ୍କ ମଧ୍ୟରେ ନିଯୁକ୍ତି ସମ୍ଭାବନା ବଢ଼ାଇବା ଲାଗି ସେମାନଙ୍କୁ ‘ସୁଦକ୍ଷ’ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ମାଗଣା କୋଚିଂ ପ୍ରଦାନ କରାଯାଉଛି ଏଥିପାଇଁ ଜିଲ୍ଲାର ସୁନ୍ଦରଗଡ଼, ରାଉରକେଲା, ବଣାଇଁ ଓ କୋଇଡ଼ାଠାରେ ୪ଟି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି।
ସେହିପରି ଖଣି ପ୍ରଭାବିତ ଅଞ୍ଚଳର ମେଧାବୀ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ସ୍ଵପ୍ନ ସାକାର କରିବା ପାଇଁ ଆଇଆଇଟି, ଜେଇଇ, ଏନ୍ଇଇଟି, କ୍ଲାଟ୍ ଏବଂ ନାଟା ଭଳି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଲାଗି ମାଗଣାରେ କୋଚିଂ ଦିଆଯାଉଛି। ହାଇସ୍କୁଲ ଏବଂ ଯୁକ୍ତଦୁଇ ସ୍ତରରେ ପାଠ ପଢୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର କ୍ୟାରିୟର ସ୍ୱପ୍ନ ପୂରଣ ଲାଗି ଏହି ବିଶେଷ କୋଚିଂ କାର୍ଯ୍ୟକ୍ରମ କରାଯାଉଛି। ଏଥିପାଇଁ ଜିଲ୍ଲାର ସୁନ୍ଦରଗଡ଼, ରାଜଗାଙ୍ଗପୁର ଓ ରାଉରକେଲାଠାରେ ୩ଟି କେନ୍ଦ୍ର ଖୋଲାଯାଇଛି।
ଡାକ୍ତରୀ ଓ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଭଲ ନମ୍ବର ରଖିବା ପାଇଁ ସାରା ଦେଶରୁ ଅନେକ ଛାତ୍ରଛାତ୍ରୀ ରାଜସ୍ଥାନର କୋଟା ଯାଇ କୋଚିଂ ନେଇଥାନ୍ତି। କୋଟାର ସେହି ଅନୁଭୂତିସଂପନ୍ନ କୋଚିଂ ଅନୁଷ୍ଠାନ ମଧ୍ୟରୁ ଦୁଇଟି ସଂସ୍ଥାକୁ ବାଛି ସୁନ୍ଦରଗଡ଼ର ଏହି ତିନୋଟି କୋଚିଂ ସେଣ୍ଟରର ଦାୟିତ୍ୱ ଦିଆଯାଇଛି। ଫଳରେ ଜିଲ୍ଲାର ମେଧାବୀ ପିଲାମାନଙ୍କର ଭବିଷ୍ୟତର ଲକ୍ଷ୍ୟ ସୁଗମ ହୋଇପାରିବ।