

ସତ୍ୟଶିଖା(ନୂଆଦିଲ୍ଲୀ ) ୦୩.୦୬.୨୦୨୧: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଏନସିବି ତାଙ୍କ ବଡିଗାର୍ଡଙ୍କୁ ପଚରାଉଚରା କରିବା ପାଇଁ ଡାକିଛି । ପୂର୍ବରୁ ମଧ୍ୟ ସୁଶାନ୍ତଙ୍କ ବଡିଗାର୍ଡଙ୍କୁ ପଚରାଉଚରା କରାଯାଇଥିଲା। ଏହାପୂର୍ବରୁ ଏନସିବି ସୁଶାନ୍ତଙ୍କ ସେବକ ନୀରଜ ଏବଂ କେଶବଙ୍କୁ ପଚରାଉଚରା ପାଇଁ ଡକାଇଥିଲା।
ବୁଧବାର ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ହରିଶ ଖାନ ନାମକ ଜଣେ ଡ୍ରଗ୍ସ ପ୍ୟାଡଲରଙ୍କୁ ମଧ୍ୟ ଗିରଫ କରାଯାଇଛି। ବର୍ତ୍ତମାନ, ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ଏନସିବି ନିରନ୍ତର ତଦନ୍ତ ଜାରି ରଖିଛି। ଭବିଷ୍ୟତରେ ଏହି ମାମଲାରେ ଆହୁରି ଅନେକ ଗିରଫ ହେବାର ସମ୍ଭାବନା ରହିଛି। ଏହାପୂର୍ବରୁ ସିଦ୍ଧାର୍ଥ ପିଠାନିଙ୍କୁ ହାଇଦ୍ରାବାଦରୁ ଗିରଫ କରାଯାଇଥିଲା। ପିଠାନି ସୁଶାନ୍ତଙ୍କର ଜଣେ ବନ୍ଧୁ ଥିଲେ ଏବଂ ତାଙ୍କ ସହ ମୁମ୍ବାଇର ଉପନଗରୀ ବାନ୍ଦ୍ରାସ୍ଥିତ ଘରେ ରହୁଥିଲେ।
ଜୁନ୍ ୧୪ ରେ ସୁଶାନ୍ତ ସିଂ ରାଜପୁତଙ୍କ ଘରେ ତାଙ୍କ ମୃତଦେହ ମିଳିଥିଲା। ଯାହା ପରେ ମୁମ୍ବାଇ ପୋଲିସ ଏବଂ ପରେ ପାଟନା ପୋଲିସ ଦ୍ୱାରା ଏହି ଘଟଣାର ତଦନ୍ତ କରାଯାଇଥିଲା। ତେବେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତ ପରେ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ଏଥି ସହିତ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇଙ୍କ ସମେତ ଅନେକ ଲୋକଙ୍କୁ ଏହି ମାମଲାରେ ଡ୍ରଗ୍ସ ଆଙ୍ଗଲ୍ ସାମ୍ନାକୁ ଆସିବା ପରେ ନାରୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଦ୍ୱାରା ଗିରଫ କରାଯାଇଥିଲା।