ସତ୍ୟଶିଖା (ଭୁବନେଶ୍ୱର) ୧୮/୧୨/୨୦୨୦ : କରୋନା ପାଇଁ ୨୦୨୦ରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହୋଇଛି । ଶିକ୍ଷାବର୍ଷ ଅଧା ସରି ଯାଇଥିଲେ ମଧ୍ୟ ଏବର୍ଷ କ୍ଲାସରୁମ୍ ଶିକ୍ଷା ଆଗେଇ ପାରିନାହିଁ । କେବେଠାରୁ ଆରମ୍ଭ ହେବ, ସେନେଇ ସମସ୍ତେ ଦ୍ବନ୍ଦ୍ବରେ । କେନ୍ଦ୍ର କିମ୍ବା ରାଜ୍ୟ ସରକାର କେହି ଏ ବିଷୟରେ ସ୍ପଷ୍ଟ କରିପାରୁ ନାହାନ୍ତି । ସମସ୍ତଙ୍କ ମୁହଁରେ ଏକପ୍ରକାର ତାଲା ।
ଏଭଳି ସମୟରେ ୨୦୨୧ରେ କିଭଳି ପାଠପଢ଼ା ହେବ ?, ଛୁଟି ସମୟରେ ବି କ୍ଲାସ ହେବ କି ? ଗ୍ରୀଷ୍ମ ଛୁଟି, ଦଶହରା ଛୁଟି ଆଦି ବାତିଲ୍ କରାଯିବ କି ? ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଏମିତି ଅନେକ ଆଶଙ୍କା ପ୍ରକାଶ ପାଉଥିବା ବେଳେ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ୨୦୨୧ ମସିହା ଲାଗି ଛୁଟି ତାଲିକା ପ୍ରକାଶ କରାଯାଇଛି । ୨୦୨୧ରେ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ପାଇଁ ୮୨ଦିନ ସ୍କୁଲ ଛୁଟି ରହିବ । ୩୮ ଦିନ (ମେ’ ୬ରୁ ଜୁନ୍ ୧୮ ଯାଏ) ଗ୍ରୀଷ୍ମ ଛୁଟି ରହିବ । ୮୨ ଦିନ ଛୁଟି ମଧ୍ୟରୁ ୯ ଦିନ ସ୍କୁଲରେ ଉତ୍ସବ ପାଳନ କରାଯିବ । ଯେପରିକି ସରସ୍ବତୀ ପୂଜା, ନେତାଜୀ ଜୟନ୍ତୀ, ସାଧାରଣତନ୍ତ୍ର ଦିବସ, ଉତ୍କଳ ଦିବସ, ସ୍ୱାଧୀନତା ଦିବସ, ଗୁରୁ ଦିବସ, ଗଣେଶ ପୂଜା, ଗାନ୍ଧୀ ଜୟନ୍ତୀ ଓ ଶିଶୁ ଦିବସ । ଉକ୍ତ ଦିନଗୁଡ଼ିକ ସ୍କୁଲ ଖୋଲା ରହିବ ଏବଂ ଶିକ୍ଷକ/ ଶିକ୍ଷୟିତ୍ରୀ ବିଦ୍ୟାଳୟକୁ ଆସିବେ ।