ମଗାଇଲେ, ଟ୍ରକ୍ ଟ୍ରକ୍ କରୋନା କିଟ୍ ଆସିଲା ପରେ ମୁହଁ ମୋଡିଦେଲେ


ଭୁବନେଶ୍ୱର(ସତ୍ୟଶିଖା): ‘କରୋନା’ ମୁକାବିଲା ପାଇଁ ମନଇଚ୍ଛା ପିପିଇ କିଟ୍, ମାସ୍କ ଓ ଭେଣ୍ଟିଲେଟର ମଗାଇ ଅଡୁଆରେ ସରକାର। ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଆଜି ସରକାର ଅର୍ଡର ବାତିଲ ସତ୍ତ୍ୱେ ଆସିଯାଇଥିବା ସାମଗ୍ରୀ ରଖିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହାକୁ ନେଇ ସରକାରଙ୍କୁ କାଠଗଡାରେ ଠିଆ କରାଇଛନ୍ତି ବିରୋଧୀ।
ରାଜ୍ୟରେ ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦୦ ଅତିକ୍ରମ କରିଛି। ଏପରିସ୍ଥିତିରେ କୋଭିଡ୍ ଯୋଦ୍ଧାଙ୍କ ପାଖରେ କିଟ୍ ପହଞ୍ଚାଇବା ପାଇଁ ଆଜି ପୁଣି ରାଜ୍ୟକୁ ଆସିଛି ଦୁଇଟି କିଟ୍ ଭର୍ତ୍ତି ଟ୍ରକ୍। ସେହି ଟ୍ରକ୍ ଗୁଡ଼ିକ ରାଜ୍ୟ ଔଷଧ ନିଗମ କାର୍ଯ୍ୟାଳୟ ଆଗରେ ଠିଆ ହୋଇଛି। ସେଥିରେ ଆସିଛି ୩୧ଟି ଭେଣ୍ଟିଲେଣ୍ଟର। ଏସବୁ ପଞ୍ଜାବ ମୋହାଲିରୁ ଆସିଛି। ସେହିପରି ଅନ୍ୟ ଟ୍ରକଟି ତାମିଲନାଡୁରୁ ଆସିଛି। ସେଥିରେ ମାସ୍କ, ଗ୍ଲୋଭସ ଓ ଅନ୍ୟ ସଂରଞ୍ଜାମ ଆସିଛି। ଆଜି ସକାଳେ ଦୁଇଟି ଯାକ ଟ୍ରକ୍କୁ ଔଷଧ ନିଗମ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେଇନି।
ସେପଟେ ୪-୫ ଦିନ ହେବ ରସୁଲଗଡ ଶିଳ୍ପାଞ୍ଚଳରେ ଅଟକି ରହିଛି ୨୫ରୁ ଅଧିକ ଟ୍ରକ୍। ସେଥିରେ କୋଭିଡ୍ କିଟ ଆସିଛି। ସେହି ଟ୍ରକ୍ରୁ ଆଜି ପର୍ଯ୍ୟନ୍ତ ଅନ୍ଲୋଡ୍ କରାଯାଇନି। ତେବେ ରାଜ୍ୟକୁ ଆସିଯାଇଥିବା ଏହି ସରଞ୍ଜାମରୁ କାହାକୁ ରଖିବେ ଓ କାହାକୁ ଫେରାଇବେ ସେ ନେଇ ଆଜି ବସିଥିଲା ପରଚେଜ୍ କମିଟି ବୈଠକ। ସୂଚନା ଅନୁସାରେ ଏଥିରେ ନିଷ୍ପତ୍ତି ହୋଇଛି, ପିପିଇ କିଟ୍ ଆସିଥିବା ଟ୍ରକରୁ କେବଳ ସାମଗ୍ରୀ ଅନ୍ଲୋଡ୍ କରାଯିବ। ଅର୍ଥାତ କେବଳ ପିପିଇ କିଟ୍କୁ ରଖିବେ ସରକାର। ବାକି ମାସ୍କ, ଭେଣ୍ଟିଲେଟର ଓ ଅନ୍ୟ ସଂରଜାମ ଫେରାଇ ଦେବେ।
ଔଷଧ ନିଗମର ତଥ୍ୟ ଅନୁସାରେ ରାଜ୍ୟକୁ ଆସିଛି ୮ ଲକ୍ଷ ୬୩ ହଜାର ପିପିଇ କିଟ୍। ଏଥିରୁ ୬ ଲକ୍ଷ ୩୬ ହଜାର ଏବେ ନିଗମର ସେଣ୍ଟ୍ରାଲ ଷ୍ଟୋରରେ ଗଚ୍ଛିତ ଅଛି। ବାକି ୨ ଲକ୍ଷ ୨୭ ହଜାର ପିପିଇ କିଟ୍ ବିଭିନ୍ନ ଜିଲ୍ଲାକୁ ପଠାଯିବ। ୪- ୫ ଦିନ ହେବ ରସୁଲଗଡ ଶିଳ୍ପାଞ୍ଚଳରେ ଠିଆ ହୋଇଥିବା ୨୫ରୁ ଅଧିକ ଟ୍ରକରୁ କେଉଁଥିରେ ପିପିଇ କିଟ୍ ଅଛି, ତାର ହିସାବ କରାଯାଉଛି ବୋଲି ସୂଚନା ଦେଇଛନ୍ତି ଔଷଧ ନିଗମର ଏମ୍ଡି। ଏପଟେ କରୋନା ମୁକାବିଲା ଉପକରଣ ପାଇଁ ଅର୍ଡର କରି ଏହାକୁ ବାତିଲ କରିବା ନିଷ୍ପତ୍ତିକୁ ସମାଲୋଚନା କରି ସରକାରଙ୍କୁ ଘେରିଛନ୍ତି ବିରୋଧୀ।
ଆହୁରି ପଢ଼ନ୍ତୁ
ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି-“ବାବୁମାନଙ୍କ ଭାଗ ଛିଡ଼ିଗଲେ ସବୁ ସାମଗ୍ରୀ ବଣ୍ଟାଯିବ। ଏହା ପଛରେ ଏକ ବଡ଼ ଧରଣର ଦୁର୍ନୀତି ହୋଇଛି। ଏ ସରକାର ରକ୍ତ ଶୋଷିବାର ମାଷ୍ଟର।”
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି-“କିଟ୍ ଆଣିବା ପାଇଁ ଅର୍ଡର ଦିଆଗଲା। ସେଥିପାଇଁ ୩୦ ଟ୍ରକ୍ ଆସି ଛିଡ଼ା ହୋଇଛି। ହେଲେ ସେମାନଙ୍କ ପାଖରୁ ସାମଗ୍ରୀ ଗ୍ରହଣ କରୁନାହାନ୍ତି। ଏଇଥିରୁ ସରକାରଙ୍କ ଅବସ୍ଥା କଣ ବୁଝା ପଡ଼ୁଛି।”
ବିରୋଧୀ ଅଭିଯୋଗ ନେଇ ବିଜେଡି କିମ୍ବା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ମୁହଁ ଖୋଲି ନାହାନ୍ତି।
ପ୍ରଶ୍ନ ଉଠୁଛି ‘କରୋନା’ ମୁକାବାଲା ପାଇଁ ଭେଣ୍ଟିଲେଟର୍ ପରି ଅତି ଆବଶ୍ୟକ ସାମଗ୍ରୀ କିଣିବାକୁ ନିଷ୍ପତ୍ତି ନେଇ ପୁଣି ସାମଗ୍ରୀ ଓଡ଼ିଶାରେ ପହଞ୍ଚିବା ପରେ ସରକାର କାହିଁକି ଆଉ ତାକୁ ନେଉନାହାନ୍ତି। ତା’ର ଉତ୍ତର କେହି ଦେଉନାହାନ୍ତି। କେତେ ଅର୍ଡର ବାତିଲ ହୋଇଛି ସେ ନେଇ ନିଗମର ପାଟି ଚୁପ୍।