ଏମ୍ସ ପୀଡ଼ିତାଙ୍କ ଜଟିଳ ସ୍ୱାସ୍ଥ୍ୟବସ୍ତା ସମୟରେ ଏପରି ରାଜନୀତିକ ବୟାନବାଜି ଅଶୋଭନୀୟ l


ସତ୍ୟଶିଖା ୧୪/୦୭/୨୦୨୫: ବାଲେଶ୍ଵର ଏଫଏମ କଲେଜର ଛାତ୍ରୀ ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି ।ଏହି ଜଟିଳ ସମୟରେ ରାଜନୀତି କରିବା ଉଚିତ ନୁହେଁ l ଦୋଷାରୋପ କରିବା ଅପେକ୍ଷା ଝିଅଟି କିପରି ସୁସ୍ଥ ହେବ , ଏବଂ ଦୋଷୀଙ୍କୁ କିପରି କଠୋର ଦଣ୍ଡ ମିଳିବ ତା ଉପରେ ସରକାର ଗୁରୁତ୍ୱ ଦେବା ଆବଶ୍ୟକ ରହିଛି l ଝିଅଟି ଶରୀରର ୯୫ ପ୍ରତିଶତ ପୋଡିଯାଇଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି । ଫୁସଫୁସ ଓ କିଡନୀ ପ୍ରଭାବିତ ହୋଇଛି । ଏସବୁ ଭିତରେ ଏମ୍ସରେ ପୀଡ଼ିତାଙ୍କ ଡାଏଲିସିସ୍ ଆରମ୍ଭ ହୋଇଛି । ଦିଲ୍ଲୀ ଏମ୍ସର ପରାମର୍ଶ କ୍ରମେ ଚାଲିଛି ଚିକିତ୍ସା । ଭିଡିଓ କନଫରେନ୍ସିଂରେ ଦିଲ୍ଲୀ ଏମ୍ସର ବିଶେଷଜ୍ଞ ମତାମତ ନିଆଯାଇଥିଲା ।
ପୀଡ଼ିତାଙ୍କ ସୁଗାର ଲେବଲ୍ ଉପରେ ଦୃଷ୍ଟି ରଖାଯାଇଛି । ହେମୋଡାଇନାମିକ ମନିଟରିଂ କରାଯାଉଛି । ପୀଡ଼ିତାଙ୍କ ପୋଟାସିୟମ ସ୍ତର ବହୁତ କମିଯାଇଛି । କିଡନୀ କାମ କରୁନଥିବାରୁ ପରିସ୍ରା ହେଉନି । ୯୮% ଅକ୍ସିଜେନ୍ ସପୋର୍ଟରେ ଅଛନ୍ତି ପୀଡ଼ିତା । ସ୍ୱାସ୍ଥ୍ୟାବସ୍ଥା ଜଟିଳ ଥିବା ପରିବାରକୁ କୁହାଯାଇଛି । ଭିଟାମିନ-ସି, ଡି, ଏ ଓ ଜିଙ୍କ୍ ସପ୍ଲିମେଣ୍ଟ ଦିଆଯାଉଛି । ନିୟମିତ ବ୍ୟବଧାନରେ ରକ୍ତ ପରୀକ୍ଷା କରାଯାଉଛି । ଭୁବନେଶ୍ୱର ଏମ୍ସ ପକ୍ଷରୁ ସ୍ୱାସ୍ଥ୍ୟ ବୁଲେଟିନ୍ ଜାରି କରାଯାଇଛି ।ପୀଡ଼ିତାଙ୍କୁ ICU ଭେଣ୍ଟିଲେଟରରେ ରଖାଯାଇଛି । ପୀଡ଼ିତାଙ୍କ ଫୁସଫୁସ ଓ କିଡନୀ ପ୍ରଭାବିତ ହୋଇଥିବାବେଳେ ଏକ ୧୦ ଜଣିଆ ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସା କରୁଛି । ସେପଟେ ଏଫଏମ୍ କଲେଜରେ ତଦନ୍ତ କରି ଫେରିଛନ୍ତି କ୍ରାଇମବ୍ରାଞ୍ଚର ଦୁଇ ଜଣିଆ ଟିମ୍ । କ୍ରାଇମବ୍ରାଞ୍ଚର ଆଡିସନାଲ ଏସପି ଓ ଅତିରିକ୍ତ ଡିଏସପି କଲେଜରେ ପହଞ୍ଚି ଯାଞ୍ଚ କରିଛନ୍ତି ।
ଫକୀରମୋହନ ମହାବିଦ୍ୟାଳୟର ଏହି ସମ୍ୱେଦନଶୀଳ ଘଟଣାରେ କ୍ରାଇମବ୍ରାଞ୍ଚ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଘଟଣା ଦିନ କଣ ରହିଥିଲା ଘଟଣାକ୍ରମ ସେସବୁ ପଚାରି ବୁଝିବା ସହ ମାମଲା ସଂପର୍କିତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରିଛନ୍ତି । ତଦନ୍ତରୁ ଯାହା ମିଳିଛି ତାହା ଉଚ୍ଚଅଧିକାରୀଙ୍କୁ ଜଣାଇବେ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ । ପୂର୍ବରୁ ଉଚ୍ଚଶିକ୍ଷା ବିଭାଗର କମିଟି ତଦନ୍ତ କରି ଫେରିବା ପରେ ପରେ ଦୁଇ ଜଣିଆ କ୍ରାଇମବ୍ରାଞ୍ଚର କଲେଜରେ ପହଞ୍ଚି ରାତି ସାଢେ ୯ଟା ଯାଏଁ ତଦନ୍ତ କରିଥିଲେ ।