

ସତ୍ୟଶିଖା( ଭୁବନେଶ୍ୱର )୦୫.୦୫.୨୦୨୨ : ରାଜ୍ୟ ସରକାର ଓଡ଼ିଶା ଜମି ବନ୍ଦୋବସ୍ତ ଆଇନ-୧୯୮୩ରେ ସଂଶୋଧନ କରି ପ୍ରତ୍ୟେକ ଗାଁରେ ଆବଶ୍ୟକ ହେଉଥିବା ଗୋଚର ଜମି ପରିମାଣକୁ ଶତକଡ଼ା ୫ରୁ ୩ ଭାଗକୁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ମେ’ ୨ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ସମସ୍ତଙ୍କୁ ବାସଯୋଗ୍ୟ ଜମି ଯୋଗାଇ ଦେବା ଉଦ୍ଦେଶ୍ୟରେ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ପୂର୍ବରୁ କିଛି ଗାଁରେ ବାସହୀନ ଲୋକ ଗୋଚର ଜମିରେ ବାସ କରୁଥିଲେ ମଧ୍ୟ ଆଇନଗତ ଆବଶ୍ୟକତା ଦୃଷ୍ଟିରୁ ସେହି ଲୋକମାନଙ୍କୁ ଆବଶ୍ୟକ ଘରଡ଼ିହ ପଟ୍ଟା ଯୋଗାଇ ହେଉନଥିଲା । ସେହି ବାସହୀନ ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କାଘର ଯୋଜନାରେ ଘର ମିଳୁଥିଲେ ମଧ୍ୟ ବାସଯୋଗ୍ୟ ଜମି ଅଭାବରୁ ସେହି ଲୋକମାନଙ୍କୁ ଘର କରିବାର ସୁଯୋଗ ମିଳୁନଥିଲା । ତେଣୁ ବାସହୀନ ଲୋକଙ୍କୁ ବାସଯୋଗ୍ୟ ଜମି ପ୍ରଦାନ କରିବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେହି ଗାଁର ଗୋଚର ଜମିର ପରିମାଣକୁ କମାଇ ଅଣସଂରକ୍ଷିତ କରିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି । ତେବେ ସଂରକ୍ଷିତ ଜଙ୍ଗଲର ୩ କିମି ଅଂଚଳ ମଧ୍ୟରେ ଥିବା ଗାଁଗୁଡ଼ିକ ପାଇଁ ଏହି ନିୟମ ପ୍ରଯୁଜ୍ୟ ହେବ ନାହିଁ ।
ସେହିପରି ଗ୍ରାମକଣ୍ଠ ପରମ୍ବୋକ, ନଜୁଲ, ଆବାଦୀ ଓ ଖାସମାହଲ ଜମିରେ ୨୦୧୮ ଅକ୍ଟୋବର ୨୨ ତାରିଖ ପୂର୍ବରୁ ବସବାସ କରୁଥିଲେ ସେମାନେ ପଟ୍ଟା ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ । ପୂର୍ବରୁ ୨୦୦୬ ଫେବୃୟାରୀ ୨୬ତାରିଖ ପୂର୍ବରୁ ବସବାସ କରୁଥିବା ଲୋକମାନେ ଏହି ସବୁ ଜମିର ପଟ୍ଟା ପାଇଁ ଆବେଦନ କରିପାରୁଥିଲେ । ସରକାର ମଧ୍ୟ ଏହାର ଅବଧିକୁ ଏହି ସଂଶୋଧନରେ ବଢ଼ାଇଛନ୍ତି ।