

ସତ୍ୟଶିଖା(ଭୁବନେଶ୍ୱର )୦୪.୧୦ .୨୦୨୧: ଆଗକୁ ପାର୍ବଣ ଋତୁ । ତା’ପୂର୍ବରୁ ପରିବେଶ ପ୍ରଦୂଷଣକୁ ନେଇ ରାଜ୍ୟ ସରକାର ଚିନ୍ତାପ୍ରକଟ କରିଛନ୍ତି । ଗଣେଶ ପୂଜା, ଦୁର୍ଗାପୂଜା, ଲକ୍ଷ୍ମୀପୂଜା, କାଳୀପୂଜା ସାଙ୍ଗକୁ ପର୍ବପର୍ବାଣୀରେ ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ଡାକବାଜି ଯନ୍ତ୍ର, ସଙ୍ଗୀତ ଯନ୍ତ୍ର ତଥା ଅମ୍ପ୍ଲିଫାୟାର ବ୍ୟବହାର ଉପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କଟକଣା ଲଗାଇଛି । ଉଚ୍ଚ ଶବ୍ଦ ଉତ୍ପନ୍ନ କରୁଥିବା ଆତସବାଜି ବ୍ୟବହାର ଯୋଗୁଁ ଅଗ୍ନି ଓ ବିସ୍ଫୋରଣ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହେବା ସହ ଏଥିରୁ ନିର୍ଗତ ବିଷାକ୍ତ ଗ୍ୟାସ୍, ଧୂଳିକଣା ଓ ଶବ୍ଦରୁ ସ୍ବାସ୍ଥ୍ୟଗତ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ । ତେଣୁ ଡାକବାଜି ଯନ୍ତ୍ର ଓ ଉଚ୍ଚ ଶବ୍ଦ ସୃଷ୍ଟିକାରୀ ଯନ୍ତ୍ରାଂଶର ବ୍ୟବହାର ଉପରେ କଟକଣା ଜାରି ହୋଇଛି । ବିଶେଷକରି ଶିଶୁ, ବୟସ୍କ, ରୁଗ୍ଣ ଲୋକଙ୍କ ସ୍ବାସ୍ଥ୍ୟ ଓ ପରିବେଶକୁ ଦୃଷ୍ଟିରେ ରଖି ଆଗାମୀ ପାର୍ବଣ ଋତୁ ଦୀପାବଳି ଉତ୍ସବ ପର୍ଯ୍ୟନ୍ତ ଅତ୍ୟନ୍ତ ଦାୟିତ୍ଵସମ୍ପନ୍ନ ଭାବେ ନିୟମକୁ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।
ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଡାକବାଜି ଯନ୍ତ୍ର କିମ୍ବା ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ସଙ୍ଗୀତ ଯନ୍ତ୍ରାଂଶ, ଆତସବାଜିର ବ୍ୟବହାର ନିଷିଦ୍ଧ ହୋଇଛି। ସରକାରଙ୍କ ଦ୍ବାରା ଘୋଷିତ ନିରବ ଅଞ୍ଚଳ ଯଥା ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, ନ୍ୟାୟାଳୟ, ଧାର୍ମିକ ସ୍ଥଳର ଶହେ ମିଟର ପରିସୀମା ମଧ୍ୟରେ ଆପତ୍ତିଜନକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବା ଉପରେ କଟକଣା ଲାଗିଛି । ୧୨୫ ଡେସିବେଲ୍ରୁ ଊର୍ଦ୍ଧ୍ବ ଶବ୍ଦ ସୃଷ୍ଟି କରୁଥିବା ବାଣ ପ୍ରସ୍ତୁତି, ବିକ୍ରି ଓ ବ୍ୟବହାର ସମ୍ପୂର୍ଣ୍ଣ ବାରଣ ହୋଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଅମ୍ପ୍ଲିଫାୟାର ବ୍ୟବହାରକାରୀ ଅତି ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ସଙ୍ଗୀତ ଯନ୍ତ୍ରାଂଶ, ଶବ୍ଦ ବାକ୍ସ ଓ ଡିଜେଗୁଡିକର ଶବ୍ଦ ନିୟନ୍ତ୍ରଣ ଲଗାଯିବ। ଯାହାଦ୍ୱାରା ଅମ୍ପ୍ଲିଫାୟାରରୁ ସୃଷ୍ଟି ହେଉଥିବା ଶବ୍ଦର ମାତ୍ରା ୬୫ ଡେସିବେଲ୍କୁ ଅତିକ୍ରମ କରିବ ନାହିଁ । ଉପରୋକ୍ତ ନିୟମର କୌଣସି ପ୍ରକାର ଖିଲାପ ହେଲେ ଆତସବାଜି ଓ ଡାକବାଜି ଯନ୍ତ୍ର ଆଇନ ୧୯୫୮, ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ୨୦୦୦ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏ ସମ୍ପର୍କିତ ଯେକୌଣସି ଅଭିଯୋଗ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଉପ ଆରକ୍ଷୀ ଅଧୀକ୍ଷକ, ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ନିକଟରେ କରାଯାଇପାରିବ ।