

ସତ୍ୟଶିଖା (ଭୁବନେଶ୍ୱର) ୧୧/୦୨/୨୦୨୧ : ଚିଟ୍ଫଣ୍ଡ ସଂସ୍ଥା ମାଇକ୍ରୋଫାଇନାନ୍ସ ଗ୍ରୁପ୍ ଅଫ୍ କମ୍ପାନିଜ୍ର ୧୨୮ କୋଟି ୮୬ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ଜବତ ସମ୍ପତ୍ତିରେ ଉଭୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି । ପୂର୍ବରୁ ଏହି ସଂସ୍ଥାର ୮୮ କୋଟି ୯୯ ଲକ୍ଷ ଟଙ୍କାର ବ୍ୟାଙ୍କ୍ ବାଲାନ୍ସକୁ ମଧ୍ୟ ଜବତ କରାଯାଇଥିଲା । ତେଣୁ ମୋଟ ଜବତ ସମ୍ପତ୍ତିର ମୂଲ୍ୟ ୨୧୭ କୋଟି ୮୫ ଲକ୍ଷ ଟଙ୍କା ବୋଲି ଇଡି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ମାମଲାର ତଦନ୍ତ ପ୍ରକ୍ରିୟା ଜାରି ରହିଛି ଓ ସମ୍ପତ୍ତି ଜବତ ପ୍ରକ୍ରିୟା ମଧ୍ୟ ଚାଲୁ ରହିଛି ବୋଲି ଇଡି ପକ୍ଷରୁ କୁହାଯାଇଛି । ତଦନ୍ତରୁ ଠକାମି ବାବଦରେ ମିଳୁଥିବା ପ୍ରମାଣ ଅନୁସାରେ ସମ୍ପତ୍ତି ଜବତ କରାଯାଉଛି ବୋଲି ଇଡି ସୂଚନା ଦେଇଛି ।
ସୂଚନା ମୁତାବକ, ଚିଟ୍ଫଣ୍ଡକୁ ନେଇ ବିଭିନ୍ନ ଥାନାରେ ଥିବା ସମସ୍ତ ମାମଲା ସିବିଆଇକୁ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ । ଏହି ଆଦେଶ ବଳରେ ୪୪ଟି ସଂସ୍ଥା ବିରୋଧରେ ଥିବା ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । ସେଥିରେ ଏକ ପ୍ରମୁଖ ସଂସ୍ଥା ଥିଲା ମାଇକ୍ରୋଫାଇନାନ୍ସ । କୋଲକାତା ସିବିଆଇର ଅଭିଯୋଗକୁ ଆଧାର କରି ଇଡି ମାଇକ୍ରୋଫାଇନାନ୍ସ ଲିମିଟେଡ୍ ବିରୋଧରେ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ବ୍ୟାପକ ଅର୍ଥ ହେରଫେର୍ ହୋଇଥିବା ଇଡି ପ୍ରମାଣ ପାଇଥିଲା । ଉଲ୍ଲେଖଯୋଗ୍ୟ, ଏବେ ଜବତ ହୋଇଥିବା ୧୨୮ କୋଟି ୮୬ ଲକ୍ଷ ଟଙ୍କା ମୂଲ୍ୟର ସମ୍ପତ୍ତି ଭିତରେ ମାଇକ୍ରୋଫାଇନାନ୍ସର ସ୍ଥାବର ଅସ୍ଥାବର ସମ୍ପତ୍ତି, କାମତ୍ ହୋଟେଲ୍ସ ଇଣ୍ଡିଆ ଲିମିଟେଡ୍ ଓ ଭୁବନେଶ୍ୱର ଆୟୁଷ ହସ୍ପିଟାଲ ଆଣ୍ଡ ଟ୍ରମା କେୟାର ପ୍ରାଇଭେଟ୍ ଲିମିଟେଡ୍ର ପୂର୍ବତନ ନିର୍ଦ୍ଦେଶକ ପ୍ରଶାନ୍ତ ଆଚାର୍ଯ୍ୟଙ୍କର ସମ୍ପତ୍ତି ରହିଛି ।