ସତ୍ୟଶିଖା (ନୂଆଦିଲ୍ଲୀ) ୧୮/୦୧/୨୦୨୧ : ସପ୍ତାହର ପ୍ରଥମ କାରବାର ଦିନରେ ସେୟାର ବଜାର ଲାଲ ସଙ୍କେତ ସହ ଆରମ୍ଭ ହୋଇଛି । ସୋମବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୁଚକାଙ୍କ ଅନୁଯାୟୀ ସେନସେକ୍ସ ୨୭ ଅଙ୍କ ବୃଦ୍ଧି ପାଇ ୪୯,୦୬୧ରେ ଖୋଲିଥିଲା । ସେହିପରି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୨୦ ଅଙ୍କ ବୃଦ୍ଧି ପାଇ ୧୪,୪୫୩.୩୦ରେ ଖୋଲିଥିଲା ।
କାରବାର ସମୟରେ ସେନସେକ୍ସ ଏବଂ ନିଫ୍ଟି ଉଭୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ସକାଳ ସାଢେ ୧୦.୩୦ ସୁଦ୍ଧା ସେନସେକ୍ସ ୪୭୭ ଅଙ୍କ ହ୍ରାସ ପାଇ ୪୮,୫୫୭ ଅଙ୍କକୁ ଖସିଆସିଥିଲା । ନିଫ୍ଟି ମଧ୍ୟ ହ୍ରାସ ପାଇ ୧୪,୨୬୩.୬୦ ଅଙ୍କକୁ ଖସିଆସିଥିଲା । ନେସନାଲ ଷ୍ଟକ୍ ଏକ୍ସଚେଞ୍ଜ ନିଫ୍ଟିର ପ୍ରାୟ ୭୧୦ ସେୟାରରେ ବୃଦ୍ଧି ଏବଂ ୬୬୨ଟି ସେୟାରରେ ହ୍ରାସ ପାଇଥିଲା । ଅନ୍ତରାଷ୍ଟ୍ରୀୟ ବଜାର ଏବଂ ଘରୋଇ ବଜାରରେ କାରବାରରେ ମିଶ୍ରିତ ଫଳାଫଳ ହେତୁ ସେନସେକ୍ସ ଏବଂ ନିଫ୍ଟିରେ ମଧ୍ୟ ସେଭଳି ପ୍ରଭାବ ଦେଖାଯାଉଛି ।
ଶୁକ୍ରବାର କାରବାରର ଶେଷ ଦିନରେ ନିବେଶକମାନଙ୍କ ଉତ୍ସାହ ଦେଖିବାକୁ ମିଳିନଥିଲା । ବିଶ୍ୱ ବଜାରରେ ମହଙ୍ଗାମାଡର ପ୍ରଭାବ ମଧ୍ୟ ସେୟାର ବଜାରରେ ଦେଖିବାକୁ ମିଳିଛି । ଶୁକ୍ରବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୁଚକାଙ୍କ ଅନୁଯାୟୀ ସେନସେକ୍ସ ୫୪୯.୪୯ ଅଙ୍କ ହ୍ରାସ ପାଇ ୪୯,୦୩୪.୬୭ରେ ବନ୍ଦ ହୋଇଥିଲା । ସେହିପରି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୧୬୧.୯୦ ଅଙ୍କ ହ୍ରାସ ପାଇ ୧୪,୪୩୩.୭୦ରେ ବନ୍ଦ ହୋଇଥିଲା ।