ନ୍ୟୁଜ୍ରାଜ୍ୟ

ବିଏମସି ଅଂଚଳରୁ ଭିକ୍ଷାବୃତ୍ତି ହଟାଇବାକୁ ପଦକ୍ଷେପ

ସତ୍ୟଶିଖା (ଭୁବନେଶ୍ୱର) ୨୨/୦୧/୨୦୨୧ : ରାଜଧାନୀକୁ ଭିକାରୀମୁକ୍ତ ସହର କରାଯିବ । ହେଲେ କୌଣସି ଭିକାରି ବେକାର ହେବେନି । ସେମାନଙ୍କର ଗୁଣ, କୌଶଳ ଓ ସାମର୍ଥ୍ୟ ଅନୁଯାୟୀ ରୋଜଗାରକ୍ଷମ କରାଯିବ । ଏଥିପାଇଁ ବିଏମ୍‌ସି ତିନିଟି ଭିକାରି ଥଇଥାନ କେନ୍ଦ୍ର କରିବ । ତିନିଟି ଜୋନ୍‌ରେ ତିନିଟି ଥଇଥାନ କେନ୍ଦ୍ର ହେବାକୁ ଥିବାବେଳେ ପ୍ରତ୍ୟେକ କେନ୍ଦ୍ରରେ ୧୦୦ ଜଣ ଭିକାରି ରହିବାର ବ୍ୟବସ୍ଥା କରାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି ।

ବିଏମ୍‌ସିର ସୂଚନା ଅନୁଯାୟୀ, ଏବେ ପୂରା ଭୁବନେଶ୍ୱରରେ କେତେ ଲୋକ ଭିକ୍ଷାବୃତ୍ତି କରୁଛନ୍ତି ତାହା ଚିହ୍ନଟ କରାଯିବ । ସେମାନଙ୍କୁ ଥଇଥାନ କେନ୍ଦ୍ରରେ ରଖି ଆବଶ୍ୟକ ପରାମର୍ଶ ଓ ଆଲୋଚନା ମାଧ୍ୟମରେ ଆତ୍ମନିର୍ଭରଶୀଳ କରାଯିବ । ଏଥିପାଇଁ ଏକ ପେଷାଦାର ସଂସ୍ଥାକୁ ନିୟୋଜିତ କରାଯିବ । ଯିଏ ଭିକାରିଙ୍କୁ ବିଭିନ୍ନ କାର୍ଯ୍ୟ ଦେବ ଏବଂ ସେମାନଙ୍କ ସାମଗ୍ରୀକୁ ବିକ୍ରି କରି ‌ତାଙ୍କୁ ଟଙ୍କା ଦେବ । ଏହାଦ୍ୱାରା ଭିକ୍ଷାବୃତ୍ତି କରୁଥିବା ବ୍ୟକ୍ତି ସ୍ଵାଭିମାନର ସହ ବଞ୍ଚିପାରିବେ ।

ପ୍ରତ୍ୟେକ ଥଇଥାନ କେନ୍ଦ୍ରରେ ବୟୋଜ୍ୟେଷ୍ଠ ବର୍ଗ, ମହିଳା ଓ ଶିଶୁ ବର୍ଗ, ଭିନ୍ନକ୍ଷମ ବର୍ଗ ରହିବ । ସେମାନଙ୍କୁ ପୃଥକପୃଥକ ରଖାଯିବ । ଏବେ ଭିକାରିମାନଙ୍କୁ ବାସହରାଙ୍କ ସହ ବିଭିନ୍ନ ଆଶ୍ରୟସ୍ଥଳୀରେ ରଖାଯାଉଥିବାବେଳେ ଖୁବ୍‌ ଶୀଘ୍ର ସେମାନଙ୍କୁ ପୃଥକପୃଥକ ରଖାଯିବ । ଏକ ପେସାଦାର ସଂସ୍ଥା ଚୟନ ପାଇଁ ଆର୍‌ଏଫ୍‌ପି ଆହ୍ବାନ ହୋଇଛି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି ।

Show More
Back to top button