ରାଜ୍ୟସ୍ୱାସ୍ଥ୍ୟ

କଟକରେ ପୁଣି କରୋନା ଆତଙ୍କ

ସତ୍ୟଶିଖା,(କଟକ) ୧୮.୦୩ .୨୦୨୧ :  କଟକରେ ପୁଣି ଥରେ ଦେଖାଦେଲାଣି କରୋନା ଆତଙ୍କ । ଦୀର୍ଘ ଦିନ ଧରି ଥମି ରହିଥିବା କରୋନା ମହାମାରୀ ପୁଣି ଥରେ ନିଜ ଉଗ୍ରରୂପ ଦେଖାଇବାକୁ ଆରମ୍ଭ କରିଛି।

କଟକସ୍ଥିତ ଏକ ଘରୋଇ ସାଇନ୍ସ କଲେଜର ୧୨ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହେବା ସୂଚନା ମିଳିଛି । ଘଟଣା ପରେ ସିଏମସି ପକ୍ଷରୁ ଆକ୍ରାନ୍ତମାନଙ୍କୁ କଲେଜ ହଷ୍ଟେଲ ପରିସରରେ କ୍ୱାରେଣ୍ଟାଇନରେ ରଖାଯାଇଛି। ସମସ୍ତ ଆକ୍ରାନ୍ତଙ୍କଠାରେ ଲକ୍ଷଣ ଦେଖାଦେବା ପରେ ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିଲା । ସେସବୁର ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡିଛି । ତେବେ ସେହି କଲେଜରେ ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ୍ ଟ୍ରେସିଂ କରାଯିବ ଓ ସେହି ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସିଏମସି ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ଫେବ୍ରୁଆରୀ ୨୭ରେ ଭିସୁଟ୍‌ର ମୋଟ ୨୫ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଏହା ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଥିଲା।  ତା’ପର ଦିନ ଅର୍ଥାତ ୨୮ ତାରିଖରେ ଭିସୁଟ୍‌କୁ ଶଟ୍ଡାଉନ ଘୋଷଣା କରାଯାଇଥିଲା। ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ଅନୁଷ୍ଠାନକୁ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ଭିସୁଟ୍‌ର ୧୧ଟି ହଷ୍ଟେଲକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଘୋଷଣା କରାଯାଇଥିଲା। ‘ପୁଲହ’ ହଷ୍ଟେଲର ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ‘ବଫର୍ ଜୋନ୍’ ଘୋଷଣା କରାଯାଇଥିଲା। ଅଫଲାଇନରେ ହେବାକୁ ଥିବା ପରୀକ୍ଷା ସ୍ଥଗିତ ରଖାଯାଇଥିଲା। ସମସ୍ତ ଅଫଲାଇନ୍‌ କ୍ଲାସକୁ ଅନଲାଇନ୍‌ କରିବାକୁ କୁଳପତି ଘୋଷଣା କରିଥିଲେ।

Show More
Back to top button