୮ଜଣ ଶିଳ୍ପୀଙ୍କୁ ମିଳିବ ରାଜ୍ୟ ଚାରୁକଳା ପୁରସ୍କାର

ସତ୍ୟଶିଖା( ଭୁବନେଶ୍ୱର )୧୫.୦୯ . ୨୦୨୨:  ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ୨୦୨୨ ମସିହା ନିମନ୍ତେ ରାଜ୍ୟସ୍ତରୀୟ ଚାରୁକଳା ପୁରସ୍କାର ଆଜି ଘୋଷଣା ହୋଇଛି । ୮ଜଣ ଶିଳ୍ପୀଙ୍କୁ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ କରାଯିବ । ପୁରସ୍କାର ବାବଦରେ ସେମାନଙ୍କୁ ୨ଲକ୍ଷ ଟଙ୍କା ଲେଖାଁଏ, ତାମ୍ର ଫଳକ, ପ୍ରମାଣପତ୍ର ଓ ଉପଢ଼ୌକନ ମିଳିବ ।

ଓଡ଼ିଶା ଲଳିତ କଳା ଏକାଡେମୀରୁ ମିଳିଥିବା ସୂଚନା ଅନୁସାରେ, ଦେଶର ସୁନାମଧନ୍ୟ ଶିଳ୍ପୀମାନଙ୍କୁ ନେଇ ଗଠିତ ୫ଜଣିଆ ବିଚାରକ ମଣ୍ଡଳୀ ଚୂଡ଼ାନ୍ତ ପର୍ଯ୍ୟାୟ ପାଇଁ ମନୋନୀତ ହୋଇଥିବା ୧୭୩ଜଣ ଶିଳ୍ପୀଙ୍କ ମଧ୍ୟରୁ ୮ଜଣଙ୍କୁ ୨୦୨୨ ମସିହା ପାଇଁ ୪୦ତମ ରାଜ୍ୟସ୍ତରୀୟ ଚାରୁକଳା ପୁରସ୍କାର ପ୍ରଦାନ ନିମନ୍ତେ ସୁପାରିଶ କରିଥିଲେ । ମନୋନୀତ ହୋଇଥିବା ଶିଳ୍ପୀମାନେ ହେଲେ ଭାସ୍କର୍ଯ୍ୟରେ ପ୍ରତାପ ଚନ୍ଦ୍ର ଜେନା ଓ ଅସାନ୍ତ ଦାସ, ମୁଦ୍ରଣ କଳାରେ ରବିନାରାୟଣ ଗୁପ୍ତା ଓ ଟୁକୁନା ଡାକୁଆ, ଚିତ୍ରକଳାରେ ଅମିତ୍ କୁମାର ଓଝା ଓ ସିତିକାନ୍ତ ସାମନ୍ତସିଂହାର, ପାରମ୍ପରିକ ଚିତ୍ରରେ ରୋନିବାଳା ମହାପାତ୍ର ଓ ନିରଞ୍ଜନ ମୁଖି । ଏହି ଚୂଡ଼ାନ୍ତ ତାଲିକା ଲଳିତ କଳା ଏକାଡେମୀର କାର୍ଯ୍ୟକାରୀ ସମିତି ବୈଠକରେ ଅନୁମୋଦିତ ହୋଇଛି ।

ସୂଚନାଯୋଗ୍ୟ,୪୦ତମ ରାଜ୍ୟସ୍ତରୀୟ ଚାରୁକଳା ପ୍ରଦର୍ଶନୀ ନିମନ୍ତେ ଓଡ଼ିଶାର ଶିଳ୍ପୀମାନଙ୍କଠୁ କଳାକୃତିର ଫଟୋଗ୍ରାଫ ଗ୍ରହଣ କରାଯାଇଥିଲା । ଏକାଡେମୀ ପକ୍ଷରୁ ପ୍ରଦର୍ଶନୀରେ ସ୍ଥାନ ପାଇଥିବା କଳାକୃତିଗୁଡ଼ିକର ଏକ ରଙ୍ଗୀନ ଚିତ୍ରପୁସ୍ତିକା ମଧ୍ୟ ଉନ୍ମୋଚନ କରାଯିବ ।
Exit mobile version