ଦୀପାବଳିରେ ସରକାର ସାଧାରଣ ଜନତାଙ୍କୁ ଦେବେ ବଡ ଉପହାର


ସତ୍ୟଶିଖା (ନୂଆଦିଲ୍ଲୀ) ୨୧/୧୦/୨୦୨୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ଏବଂ ଅର୍ଥ ବ୍ୟାପାର( C C E A- Cabinet Committee on Economic Affairs) ବୈଠକରେ ଆଜି ବଡ ନିଷ୍ପତ୍ତି ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ବଛା ବଛା ଲୋନ ଉପରେ ସୁଧ ଛାଡ କରିବାକୁ ସହମତି ପ୍ରକାଶ ପାଇଛି । ହେଲେ କେନ୍ଦ୍ର ସରକାର ଏବେ ଏହାର ଘୋଷଣା କରିବେ ନାହିଁ କାରଣ ଏହି ମାମଲା ସଂପ୍ରତି ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି ।
ଉଲ୍ଲେଖନୀୟ ଲୋନ ମୋରାଟୋରିୟମ ଜରିଆରେ ଆପଣ କିଛି ସମୟ ନିଜର ଇଏମଆଇ ରୋକି ପାରିବେ । କରୋନା ମହାମାରୀ ସମୟରେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଲୋକଙ୍କ ପାଇଁ ରିଜର୍ଭ ବ୍ୟାଙ୍କ ଲୋନ ମୋରାଟରିୟମ ପ୍ରସ୍ତାବ ରଖିଥିଲେ । ଲୋକଙ୍କୁ ମାର୍ଚ୍ଚରୁ ଅଗଷ୍ଟ ପର୍ଯ୍ୟନ୍ତ କିସ୍ତି ଘୁଞ୍ଚାଇବା ପାଇଁ ମିଳିଥିବା ସୁଯୋଗର ଫାଇଦା ଉଠାଇଥିଲେ । ମାତ୍ର ସେମାନଙ୍କର ଅଭିଯୋଗ ଥିଲା ଯେ, ବ୍ୟାଙ୍କ ବକେୟା ରାଶି ଉପରେ ଅତିରିକ୍ତ ସୁଧ ଅର୍ଥାତ ସୁଧ ଉପରେ ସୁଧ ଲଗାଉଛି । ଏହା ପରେ ଏହି ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି । ସୂତ୍ର ଅନୁଯାୟୀ ସିସିଇଏ ବୈଠକରେ ଆଜି ଲୋନ ଉପରେ ସୁଧ ଛାଡକୁ ମଞ୍ଜୁରୀ ମିଳିଛି । ମାତ୍ର ବୈଠକରେ ବଛା ବଛା ଲୋନ ଉପରେ ହିଁ ସୁଧ ଛାଡକୁ ମଞ୍ଜୁରୀ ମିଳିଛି । ଏହାର ଫାଇଦା ୨ କୋଟି ଟଙ୍କା ପର୍ଯ୍ୟନ୍ତ ଲୋନ ନେଇଥିବା ବ୍ୟକ୍ତିଙ୍କୁ ମିଳିବ ।
ପ୍ରସ୍ତାବ ଅନୁଯାୟୀ ବଛା ବଛା ଲୋନ ଉପରେ ସୁଧ ଛାଡ କରାଯିବ । ସରକାର ସୁଧ ଉପରେ ସୁଧର ଅତିରିକ୍ତ ଗ୍ରାଟିଆ ପେମେଣ୍ଟ କରିବେ । ଏହା ପୂର୍ବରୁ ଅକ୍ଟୋବର ୧୪ରେ ସୁପ୍ରିମକୋର୍ଟ କହିଥିଲେ, କେନ୍ଦ୍ର ସରକାରଙ୍କୁ ସୁଧ ଉପରେ ସୁଧ ଛାଡ ପ୍ରସ୍ତାବ ଶୀଘ୍ର ଲାଗୁ କରିବା ଉଚିତ୍ । ଏଥିପାଇଁ କେନ୍ଦ୍ର ସରକାରଙ୍କୁ ମାସାଧିକ ସମୟ କଣ ପାଇଁ ଦରକାର । ସୁପ୍ରିମକୋର୍ଟ ଏହା ମଧ୍ୟ କହିଥିଲେ, ଯଦି ସରକାର ଏହା ଉପରେ ନିଷ୍ପତ୍ତି ନେବେ ତେବେ ଆମେ ତୁରନ୍ତ ଆଦେଶ ପାରିତ କରିବୁ । ଏହା ଉପରେ ସଲିସିଟର ଜେନେରାଲ କହିଥିଲେ ସମସ୍ତ ଲୋନ ଅଲଗା ଅଲଗା ପ୍ରକାରର ରହିଛି ତେଣୁ ଭିନ୍ନ ଭିନ୍ନ ଭାବେ ଏହାର ସଞ୍ଚାଳନ କରାଯିବ ।