ସତ୍ୟଶିଖା (ଭୁବନେଶ୍ୱର) ୧୦.୧୦.୨୦୨୦ : କେତେ ଜଣ ଥିଲେ ପେଟ୍ରୋଲ ପମ୍ପ୍ର ଏଲ୍ପିଜି ଟ୍ୟାଙ୍କ ପାଖରେ? କ’ଣ ଥିଲା ବିସ୍ଫୋରଣ ପୂର୍ବ ଓ ପରର ସ୍ଥିତି? ବିସ୍ଫୋରଣବେଳେ ସେଠାରେ ଉପସ୍ଥିତ ଲୋକଙ୍କର କ’ଣ ହେଲା? ଏସବୁ ଅସମାହିତ ପ୍ରଶ୍ନର ଉତ୍ତର ରହିଛି ରାଜଭବନ ଛକ ପାଖ ପେଟ୍ରୋଲ ପମ୍ପ୍ ସିସିଟିଭିରେ । ବିସ୍ଫୋରଣର ପୂର୍ବ ଓ ପର ସ୍ଥିତିର ସବୁ ଚିତ୍ର କଏଦ୍ ହୋଇ ରହିଛି ସିସିଟିଭ୍ ଫୁଟେଜରେ। ଅକ୍ଷତ ଅବସ୍ଥାରେ ଏହାର ହାର୍ଡଡିସ୍କକୁ ପୁଲିସ ଜବତ କରି ରସୁଲଗଡ଼ସ୍ଥିତ ରାଜ୍ୟ ଫୋରେନସିକ୍ ଲାବ୍କୁ ପଠାଇଛି । ରାଜଭବନ ଛକ ପାଖ ପେଟ୍ରୋଲ ପମ୍ପର ବିଭିନ୍ନ ସ୍ଥାନରେ ସିସିଟିଭି ଲାଗିଥିଲା । ପେଟ୍ରୋଲ ପମ୍ପ ପରିସରରେ ଥିବା ଏଟିଏମ୍ ମେସିନ୍ ଓ ପମ୍ପର ଛାତ ତଳେ ଲାଗିଥିବା ଦୁଇଟି ସିସି କ୍ୟାମେରା ବିସ୍ଫୋରଣସ୍ଥଳ ଆଡ଼କୁ ମୁହଁ କରିଥିଲା । ସେଥିରେ ହିଁ ସବୁକିଛି କଏଦ୍ ହୋଇ ରହିଛି ।ବିଶେଷ ସୂତ୍ରରୁ ଖବର ମିଳିଛି, ଏଲପିଜି ଗ୍ୟାସ୍ ଟ୍ୟାଙ୍କ ପାଖରେ ୪ରୁ ଅଧିକ ବ୍ୟକ୍ତି ଉପସ୍ଥିତ ଥିଲେ । ଯାହାକି ସିସିଟିଭିରୁ ଜଣାପଡ଼ିଛି । ଏହି ସିସିଟିଭି ହିଁ ଏବେ ପୁଲିସ ହାତରେ ସବୁଠୁ ବଡ଼ ତଥ୍ୟ । ବିସ୍ଫୋରଣବେଳେ ଘଟଣାସ୍ଥଳରେ କେତେ ଜଣ ଉପସ୍ଥିତ ଥିଲେ, ତାହା ଏବେ ପୁଲିସ ଜାଣିପାରିବ । ପ୍ରକୃତରେ ନିଖୋଜଙ୍କ ସଂଖ୍ୟା କେତେ, ତାହାର ଠିକ୍ ଆକଳନ କରିହେବ।
ବିସ୍ଫୋରଣସ୍ଥଳରେ ଖୋଜିଖୋଜି ଚାଲିଥିବାବେଳେ ଗୋଟିଏ କୁକୁରର ମୁଣ୍ଡ ବି ମିଳିଛି । ବିସ୍ଫୋରଣସ୍ଥଳ ଓ ଆଖପାଖରୁ ମିଳିଥିବା ମାଂସ ଖଣ୍ଡଗୁଡ଼ିକର ବ୍ୟବଚ୍ଛେଦ କରାଯିବ । ପ୍ରତ୍ୟେକ ମାଂସ ଖଣ୍ଡର ପୃଥକ ଭାବେ ବ୍ୟବଚ୍ଛେଦ ହେବ । ପ୍ରକୃତରେ କେଉଁ ମାଂସ ଖଣ୍ଡ ମଣିଷର କିମ୍ବା କୌଣସି ପଶୁର ତାହା ବ୍ୟବଚ୍ଛେଦରୁ ଜଣାପଡ଼ିବ । ମାଂସ ଖଣ୍ଡରୁ ବିସ୍ଫୋରଣର ଗନ୍ଧ ଆସୁଛି କି ନାହିଁ, ତାହା ମଧ୍ୟ ଜାଣିହେବ । ଆବଶ୍ୟକ ସ୍ଥଳେ ମାଂସ ଖଣ୍ଡଗୁଡ଼ିକର ପୃଥକ ପୃଥକ ଡିଏନ୍ଏ ଟେଷ୍ଟ କରାଯିବ ।ବିସ୍ଫୋରଣସ୍ଥଳ ସମ୍ପୂର୍ଣ୍ଣ ବିପଦମୁକ୍ତ ହେବା ପରେ ରାଜ୍ୟ ଫୋରେନ୍ସିକ୍ର ୫ଜଣିଆ ଟିମ୍ ଶୁକ୍ରବାର ଘଟଣାସ୍ଥଳକୁ ଯାଇଥିଲା । ବିସ୍ଫୋରଣ ସ୍ଥଳ ଓ ଏହା ପଛପାଶ୍ୱର୍ରେ ଗଦା ହୋଇଥିବା ଭଗ୍ନାବଶେଷରୁ ଟିମ୍କୁ ମାଂସର କେତେକ ମାଂସ ଖଣ୍ଡ ମିଳିଛି । ଏହାବାଦ୍ ବିସ୍ଫୋରଣରେ ହୋଇଥିବା ଗର୍ତ୍ତରେ ପଡ଼ିଥିବା କିଛି ମାଂସ ଖଣ୍ଡ ବି ଯାଞ୍ଚ ପାଇଁ ସଂଗ୍ରହ କରାଯାଇଛି ।
ବୁଧବାର ଅପରାହ୍ଣ ୧ଟା ବେଳେ ପେଟ୍ରୋଲ ପମ୍ପରେ ଏହି ଅଘଟଣ ଘଟିିଥିଲା । ରାଜଭବନ ଛକ ନିକଟ ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ ପମ୍ପରେ ଥିବା ଏଲ୍ପିଜି ଟାଙ୍କିରେ ପ୍ରଥମେ ଭୟାନକ ନିଆଁ ଲାଗିଥିଲା । କେହି କିଛି ବୁଝିବା ଆଗରୁ ଛାତିଥରା ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ଏଯାବତ୍ ଜଣକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣକ ଅବସ୍ଥା ସଙ୍କଟାପନ୍ନ ଅଛି । ଆଉ ଜଣେ ଚିକିତ୍ସିତ ହେଉଥିବାବେଳେ ଜଣକର ପତ୍ତା ମିଳୁନଥିବା କୁହାଯାଉଛି ।