ବିସ୍ଫୋରଣସ୍ଥଳରୁ ମିଳିଲା ମେରୁଦଣ୍ଡ ଓ ପଞ୍ଜରା ଆଉ ମାଂସ ପିଣ୍ଡୁଳା: ସିସିଟିଭିରେ ବିସ୍ଫୋରଣ ପୂର୍ବ ଓ ପରର ଦୃଶ୍ୟ କଏଦ୍

ସତ୍ୟଶିଖା (ଭୁବନେଶ୍ୱର) ୧୦.୧୦.୨୦୨୦ : କେତେ ଜଣ ଥିଲେ ପେଟ୍ରୋଲ ପମ୍ପ୍ର ଏଲ୍ପିଜି ଟ୍ୟାଙ୍କ ପାଖରେ? କ’ଣ ଥିଲା ବିସ୍ଫୋରଣ ପୂର୍ବ ଓ ପରର ସ୍ଥିତି? ବିସ୍ଫୋରଣବେଳେ ସେଠାରେ ଉପସ୍ଥିତ ଲୋକଙ୍କର କ’ଣ ହେଲା? ଏସବୁ ଅସମାହିତ ପ୍ରଶ୍ନର ଉତ୍ତର ରହିଛି ରାଜଭବନ ଛକ ପାଖ ପେଟ୍ରୋଲ ପମ୍ପ୍ ସିସିଟିଭିରେ । ବିସ୍ଫୋରଣର ପୂର୍ବ ଓ ପର ସ୍ଥିତିର ସବୁ ଚିତ୍ର କଏଦ୍ ହୋଇ ରହିଛି ସିସିଟିଭ୍ ଫୁଟେଜରେ। ଅକ୍ଷତ ଅବସ୍ଥାରେ ଏହାର ହାର୍ଡଡିସ୍କକୁ ପୁଲିସ ଜବତ କରି ରସୁଲଗଡ଼ସ୍ଥିତ ରାଜ୍ୟ ଫୋରେନସିକ୍ ଲାବ୍କୁ ପଠାଇଛି । ରାଜଭବନ ଛକ ପାଖ ପେଟ୍ରୋଲ ପମ୍ପର ବିଭିନ୍ନ ସ୍ଥାନରେ ସିସିଟିଭି ଲାଗିଥିଲା । ପେଟ୍ରୋଲ ପମ୍ପ ପରିସରରେ ଥିବା ଏଟିଏମ୍ ମେସିନ୍ ଓ ପମ୍ପର ଛାତ ତଳେ ଲାଗିଥିବା ଦୁଇଟି ସିସି କ୍ୟାମେରା ବିସ୍ଫୋରଣସ୍ଥଳ ଆଡ଼କୁ ମୁହଁ କରିଥିଲା । ସେଥିରେ ହିଁ ସବୁକିଛି କଏଦ୍ ହୋଇ ରହିଛି ।ବିଶେଷ ସୂତ୍ରରୁ ଖବର ମିଳିଛି, ଏଲପିଜି ଗ୍ୟାସ୍ ଟ୍ୟାଙ୍କ ପାଖରେ ୪ରୁ ଅଧିକ ବ୍ୟକ୍ତି ଉପସ୍ଥିତ ଥିଲେ । ଯାହାକି ସିସିଟିଭିରୁ ଜଣାପଡ଼ିଛି । ଏହି ସିସିଟିଭି ହିଁ ଏବେ ପୁଲିସ ହାତରେ ସବୁଠୁ ବଡ଼ ତଥ୍ୟ । ବିସ୍ଫୋରଣବେଳେ ଘଟଣାସ୍ଥଳରେ କେତେ ଜଣ ଉପସ୍ଥିତ ଥିଲେ, ତାହା ଏବେ ପୁଲିସ ଜାଣିପାରିବ । ପ୍ରକୃତରେ ନିଖୋଜଙ୍କ ସଂଖ୍ୟା କେତେ, ତାହାର ଠିକ୍ ଆକଳନ କରିହେବ।ଆଉ ଏକ ବଡ଼ କଥା ହେଲା, ବିସ୍ଫୋରଣସ୍ଥଳକୁ ସୁରକ୍ଷିତ ଘୋଷଣା ପରେ ତନାଘନା ଆରମ୍ଭ ହୋଇଛି । ବିସ୍ଫୋରଣସ୍ଥଳରୁ ବୁଲ୍ଡୋଜର ଯୋଗେ ଇଟା, ମାଟି, ସିମେଣ୍ଟ ଖଣ୍ଡ କଢ଼ାଯାଇ ସଫା କରାଯାଉଛି । କାଳେ କେହି ଏହି ଭଗ୍ନାବଶେଷ ତଳେ ପୋତି ହୋଇଯାଇଥିବେ, ସେ ନେଇ ଅତି ସତର୍କତାର ସହ ଖୋଜା ଚାଲିଛି ।ଶୁକ୍ରବାର ଗୋଟିଏ ପାଶ୍ୱର୍ ମାଟି ହଟାଇ ସନ୍ଧାନ କରାଯାଉଥିବାବେଳେ କ୍ଷତବିକ୍ଷତ ମେରୁଦଣ୍ଡ ଅତି ବିଭତ୍ସ ଅବସ୍ଥାରେ ମିଳିଛି । ସେଠାରୁ ପଞ୍ଜରା ହାଡ଼ର କିଛି ଅଂଶ ମଧ୍ୟ ପୁଲିସ ପାଇଛି । କିଛି ଖଣ୍ଡବିଖଣ୍ଡିତ ମାଂସ ପିଣ୍ଡୁଳା ବି ସେଠାରୁ ମିଳିଛି । ଏଯାବତ୍ ଯେତିକି ମାଂସ ଖଣ୍ଡ ଓ ଶରୀରର ଖଣ୍ଡବିଖଣ୍ଡିତ ଅଙ୍ଗ ମିଳିଛି, ସେଥିରୁ ପୁଲିସ ସନ୍ଦେହ କରୁଛି- ହୁଏତ ବିସ୍ଫୋରଣସ୍ଥଳରେ ହିଁ ଏକାଧିକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥାଇପାରେ । ମାତ୍ର ଏବେଠାରୁ ସ୍ପଷ୍ଟ ଭାବେ କିଛି କୁହାଯାଇପାରିବ ନାହିଁ ।
ବିସ୍ଫୋରଣସ୍ଥଳରେ ଖୋଜିଖୋଜି ଚାଲିଥିବାବେଳେ ଗୋଟିଏ କୁକୁରର ମୁଣ୍ଡ ବି ମିଳିଛି । ବିସ୍ଫୋରଣସ୍ଥଳ ଓ ଆଖପାଖରୁ ମିଳିଥିବା ମାଂସ ଖଣ୍ଡଗୁଡ଼ିକର ବ୍ୟବଚ୍ଛେଦ କରାଯିବ । ପ୍ରତ୍ୟେକ ମାଂସ ଖଣ୍ଡର ପୃଥକ ଭାବେ ବ୍ୟବଚ୍ଛେଦ ହେବ । ପ୍ରକୃତରେ କେଉଁ ମାଂସ ଖଣ୍ଡ ମଣିଷର କିମ୍ବା କୌଣସି ପଶୁର ତାହା ବ୍ୟବଚ୍ଛେଦରୁ ଜଣାପଡ଼ିବ । ମାଂସ ଖଣ୍ଡରୁ ବିସ୍ଫୋରଣର ଗନ୍ଧ ଆସୁଛି କି ନାହିଁ, ତାହା ମଧ୍ୟ ଜାଣିହେବ । ଆବଶ୍ୟକ ସ୍ଥଳେ ମାଂସ ଖଣ୍ଡଗୁଡ଼ିକର ପୃଥକ ପୃଥକ ଡିଏନ୍ଏ ଟେଷ୍ଟ କରାଯିବ ।ବିସ୍ଫୋରଣସ୍ଥଳ ସମ୍ପୂର୍ଣ୍ଣ ବିପଦମୁକ୍ତ ହେବା ପରେ ରାଜ୍ୟ ଫୋରେନ୍ସିକ୍ର ୫ଜଣିଆ ଟିମ୍ ଶୁକ୍ରବାର ଘଟଣାସ୍ଥଳକୁ ଯାଇଥିଲା । ବିସ୍ଫୋରଣ ସ୍ଥଳ ଓ ଏହା ପଛପାଶ୍ୱର୍ରେ ଗଦା ହୋଇଥିବା ଭଗ୍ନାବଶେଷରୁ ଟିମ୍କୁ ମାଂସର କେତେକ ମାଂସ ଖଣ୍ଡ ମିଳିଛି । ଏହାବାଦ୍ ବିସ୍ଫୋରଣରେ ହୋଇଥିବା ଗର୍ତ୍ତରେ ପଡ଼ିଥିବା କିଛି ମାଂସ ଖଣ୍ଡ ବି ଯାଞ୍ଚ ପାଇଁ ସଂଗ୍ରହ କରାଯାଇଛି ।ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ କମିଶନରେଟ୍ ପୁଲିସ ନିଜ ଆଡୁ ଅପରାଧିକ ମାମଲା ରୁଜୁ କରି ତନାଘନା କରୁଛି । କ୍ୟାପିଟାଲ ଥାନା ପୁଲିସ କେସ୍ ନମ୍ବର ୨୦୧/୨୦ରେ ଏକ ମାମଲା ରୁଜୁ କରି ଆଇପିସି ଦଫା ୨୮୫ (ଅବହେଳା ଯୋଗୁ ଅଗ୍ନିକାଣ୍ଡରେ କ୍ଷୟକ୍ଷତି), ୩୩୭ (ଅବହେଳାରୁ ଅନ୍ୟର ଜୀବନ ପ୍ରତି କ୍ଷତି), ୩୩୮ (ଅବହେଳା ଯୋଗୁଁ କାହାକୁ ଗଭୀର କ୍ଷତ ଲାଗିବା) ଲଗାଇଛି । ଇତିମଧ୍ୟରେ ଆଇଓସିଏଲ୍ ପକ୍ଷରୁ ପୁଲିସକୁ ପେଟ୍ରୋଲିୟମ ଇଣ୍ଡଷ୍ଟ୍ରି ସିକ୍ୟୁରିଟି କୋଡ୍ ସମ୍ପର୍କିତ ଦସ୍ତାବିଜ୍ ଦିଆଯାଇଛି । ଏହି ନିୟମାବଳୀ ପାଳନ ହୋଇଛି କି ନାହିଁ? ପେଟ୍ରୋଲ ପମ୍ପରେ କ’ଣ ଅଣଦେଖା କରାଯାଇଛି? ପୁଲିସ ସେ ଦିଗରେ ମଧ୍ୟ ଅନୁସନ୍ଧାନ ଚଳାଇଛି ।ଏହାମଧ୍ୟରେ ପୁଲିସ ଜାଣିବାକୁ ପାଇଛି, ପେଟ୍ରୋଲ ପମ୍ପରେ ଥିବା ଏଲପିଜି ଗ୍ୟାସ ଟ୍ୟାଙ୍କ କାମ କୋଲକାତାର ଏକ ସଂସ୍ଥାକୁ ଦିଆଯାଇଥିଲା । ଏହାର ଅଧିକାରୀଙ୍କୁ ଡାକି ପୁଲିସ ପଚରାଉଚରା କରିଛି । ସେମାନଙ୍କ କାଗଜପତ୍ର ଯାଞ୍ଚ ଚଳାଇଛି ।
ବୁଧବାର ଅପରାହ୍ଣ ୧ଟା ବେଳେ ପେଟ୍ରୋଲ ପମ୍ପରେ ଏହି ଅଘଟଣ ଘଟିିଥିଲା । ରାଜଭବନ ଛକ ନିକଟ ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ ପମ୍ପରେ ଥିବା ଏଲ୍ପିଜି ଟାଙ୍କିରେ ପ୍ରଥମେ ଭୟାନକ ନିଆଁ ଲାଗିଥିଲା । କେହି କିଛି ବୁଝିବା ଆଗରୁ ଛାତିଥରା ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ଏଯାବତ୍ ଜଣକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣକ ଅବସ୍ଥା ସଙ୍କଟାପନ୍ନ ଅଛି । ଆଉ ଜଣେ ଚିକିତ୍ସିତ ହେଉଥିବାବେଳେ ଜଣକର ପତ୍ତା ମିଳୁନଥିବା କୁହାଯାଉଛି ।