
ସତ୍ୟଶିଖା (ମୁମ୍ବାଇ) ୨୧/୦୧/୨୦୨୧ : କରୋନା ଟିକା କୋଭିଶିଲ୍ଡ ପ୍ରସ୍ତୁତ କରୁଥିବା ସେରମ ଇନ୍ଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ (ଏସଆଇଆଇ)ର ଟର୍ମିନାଲ-୧ରେ ଥିବା ନୂଆ ପ୍ଲାଣ୍ଟରେ ଗୁରୁବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବାର କାରଣ ଜଣାପଡ଼ି ନ ଥିବାବେଳେ ୮ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବା ଲାଗି ଉଦ୍ୟମ ଚଳାଇଛନ୍ତି । ଏଥିରେ କେହି ମୃତାହତ ହୋଇଛନ୍ତି କି ନାହିଁ ତାହା ଜଣାପଡ଼ି ନାହିଁ । ତେବେ ଟିକା ଗଚ୍ଛିତ ରହିଥିବା ଷ୍ଟୋରେଜ୍ ନିଆଁ ଲାଗି ନ ଥିବା ସୂଚନା ମିଳିଛି ।୩୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ସେରମ ଇନ୍ଷ୍ଟିଚ୍ୟୁଟ୍ର ୫ ମହଲା ବିଶିଷ୍ଟ ଏହି ନୂଆ ପ୍ଲାଣ୍ଟରେ ଅଧିକ ପରିମାଣର କରୋନା ଟିକା କୋଭିଶିଲ୍ଡ ଉତ୍ପାଦନ କରାଯିବାର ଯୋଜନା ରହିଥିଲା । ଗତବର୍ଷ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଏହାର ଉଦ୍ଘାଟନ କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ଏହି ପ୍ଲାଣ୍ଟରେ ଟିକା ଉତ୍ପାଦନ ଆରମ୍ଭ ହୋଇ ନ ଥିଲା । ଅପରାହ୍ନ ସାଢ଼େ ୩ଟା ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇପାରି ନ ଥିବା ସୂଚନା ମିଳିଛି । ଟର୍ମିନାଲରେ ନିଆଁରେ ଫସିଥିବା ୪ ଜଣଙ୍କୁ ବାହାରକୁ ବାହାର କରାଯାଇଛି ।