ସତ୍ୟଶିଖା( ରାଇରଙ୍ଗପୁର )୨୬.୦୮ . ୨୦୨୨: ରାଇରଙ୍ଗପୁର ମାଟିର ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ତାଙ୍କ ଗସ୍ତ, ରହଣି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ପ୍ରସ୍ତୁତି ଚାଲିଛି। ରାଇରଙ୍ଗପୁର ସହରରେ ତାଙ୍କ ଗସ୍ତ ସମୟରେ ରହଣି ତଥା ଆନୁଷଙ୍ଗିକ ବ୍ୟବସ୍ଥା ନେଇ ଏକ ସ୍ୱତନ୍ତ୍ର ଗୃହ ସ୍ପେଶାଲ ସର୍କିଟ ହାଉସ ନିର୍ମାଣ ପାଇଁ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି। ଏ ନେଇ ସହର ଉପକଣ୍ଠ ରାଇରଙ୍ଗପୁର ତହସିଲର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ଲାଗି ପୂର୍ତ୍ତ ବିଭାଗ ଡାକବଙ୍ଗଳା ରାସ୍ତାରେ ମହୁଲଡ଼ିହା ମୌଜାର ଖାତା ନଂ ୧୦୩ ଓ ପ୍ଲଟ ନମ୍ବର ୧୨ରେ ମୋଟ ୫ଏକର ଜମି ଆବଣ୍ଟନ କରାଯାଇଛି। ଏ ନେଇ କେନ୍ଦ୍ରୀୟ ପିଡବ୍ଲ୍ୟୁଡି ବିଭାଗ ତରଫରୁ ସ୍ବତନ୍ତ୍ର ସ୍ଥାନ ପୌରପରିଷଦ କାର୍ଯ୍ୟାଳୟକୁ ପଠାଯାଇଛି। ଏହି ପ୍ଲାନ ଅନୁସାରେ ସେଠାରେ ରାଷ୍ଟ୍ରପତିଙ୍କ କକ୍ଷ, ଡ୍ରଇଁରୁମ୍, ସମ୍ମିଳନୀ କକ୍ଷ, ସାମନାରେ ପର୍ଟିକୋ, ପାକିଂ, ପାର୍କ ତଥା ତାଙ୍କ ଡ୍ୟୁଟିରେ ନିୟୋଜିତ ସମସ୍ତ କେନ୍ଦ୍ରୀୟ କର୍ମଚାରୀ ଓ ସୁରକ୍ଷାବାହିନୀଙ୍କ ପାଇଁ ଦୁଇଟି ପାଞ୍ଚ ମହଲା ବିଶିଷ୍ଟ ସୌଧ ନିର୍ମାଣ ହେବ ବୋଲି ଜଣାଯାଇଛି। ଖୁବ୍ ଶୀଘ୍ର ଏହି ସ୍ପେଶାଲ ସର୍କିଟ ହାଉସ କାର୍ଯ୍ୟ ତ୍ବରାନ୍ବିତ ହେଉଥିବା ଜଣାଯାଇଛି।
ରାଇରଙ୍ଗପୁରରେ ୫୦ କୋଟି ଟଙ୍କାରେ ନିର୍ମାଣ ହେବ ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର ସର୍କିଟ୍ ହାଉସ
