

ସତ୍ୟଶିଖା(ଭୁବନେଶ୍ୱର) ୨୦.୦୭.୨୦୨୧: ଦିନକୁ ଦିନ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା ଅଡ଼ୁଆ ସୁତାରେ ଛନ୍ଦି ହୋଇ ହୋଇ ଯାଉଛି। ସୌମ୍ୟରଞ୍ଜନଙ୍କ ମୃତ୍ୟୁ କିପରି ହେଲା, ସେହି ରହସ୍ୟ ଉପରୁ ପରଦା ହଟାଇବାକୁ ପୁଲିସ୍ ନାକେଦମ ହେଉଥିବା ବେଳେ ସୌମ୍ୟଙ୍କ ପରିବାର ଲୋକେ ବୋହୂ ପୁଅକୁ ମାରି ଦେଇଛି ବୋଲି ସିଧାସିଧା ଅଭିଯୋଗ ଆଣିଛନ୍ତି। ସମ୍ପୂର୍ଣ୍ଣ ଘଟଣାରେ ସନ୍ଦେହ ଘେରରେ ଥିବା ସୌମ୍ୟଙ୍କ ପତ୍ନୀ ଶେଷରେ ପାଟି ଫିଟାଇଛନ୍ତି।
ବୋହୂର ଡିଏଫଙ୍କ ସହ ସମ୍ପର୍କ ଥିବା ସୌମ୍ୟଙ୍କ ପରିବାର ଲୋକ ଆରମ୍ଭରୁ ଅଭିଯୋଗ କରୁଥିବା ବେଳେ ଗଣମାଧ୍ୟମ ସମ୍ମୁଖରେ ନିଜ ପକ୍ଷ ରଖିଛନ୍ତି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ । ସୌମ୍ୟଙ୍କର ଅନ୍ୟ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିବା ବେଳେ ସେ ତାଙ୍କୁ ଆଇ ଲଭ ୟୁ ଲେଖିଥିବା କହିଛନ୍ତି ବିଦ୍ୟା।
ଗଣମାଧ୍ୟମକୁ ସୂଚନା ଦେଇ ବିଦ୍ୟା କହିଛନ୍ତି, ଦିନେ ସେ ମୋ ପାଖରେ ବସିଥିବା ବେଳେ ଏକ ଅଜଣା ନମ୍ବରରୁ ଫୋନ ଆସିଲା। ସେ ଫୋନ ଉଠାଇବା ପରିବର୍ତ୍ତେ ଡରିଗଲେ। ଫୋନ ରିସିଭ କାହିଁକି କରୁନା ବୋଲି ପଚାରିଥିଲି। ଏହାପରେ ବାହାନା କରି , ଚାଲ ବାହାରେ ବୁଲି ଆସିବା ବୋଲି କହିଥିଲେ ।
ଏହାପରେ ପ୍ରୋଜେକ୍ଟ ବିଷୟରେ କଥା ହେବା ପାଇଁ ଫୋନ୍ ଆସିଛି କହି ଇୟରଫୋନ ଲଗାଇ କଥା ହେଲେ । ମୁଁ ଇୟରଫୋନର ଗୋଟିଏ ତାର ଆଣି କାନରେ ଦେବାରୁ ସେ ମୋଠୁ ସଙ୍ଗେ ସଙ୍ଗେ ନେଇଗଲେ। ଫୋନ୍ରେ ଅପର ପାର୍ଶ୍ୱରୁ ଏକ ଝିଅର ସ୍ୱର ଶୁଭିଲା। ଝିଅଟି କହୁଥିଲା, କ’ଣ ସୌମ୍ୟ ମୋତେ ଭୁଲି ଗଲଣି। ଆଉ ଫୋନ୍ କରୁନା ବୋଲି ଗଣମାଧ୍ୟମ ପ୍ରତିନିଧି ସମ୍ମୁଖରେ କହିଛନ୍ତି ବିଦ୍ୟା।
ଏଥିସହ ସେ କହିଛନ୍ତି, ସୌମ୍ୟଙ୍କ ସହ ମୋର ସମ୍ପର୍କ ବହୁତ ଭଲ ଥିଲା। ଆମ ମଧ୍ୟରେ ବିବାହକୁ ନେଇ କୌଣସି ଏଗ୍ରିମେଣ୍ଟ ହୋଇ ନ ଥିଲା। ହେଲେ ତାଙ୍କ ମୋବାଇଲରେ ଥରେ ଜଣକୁ ଆଇ ଲଭ ୟୁ ଲେଖିଥିବା ଦେଖିଥିଲି। ଏହା ପରେ ବି ମୁଁ ତାଙ୍କୁ କେବେ କିଛି ଆକଟ କରି ନ ଥିଲି। ତାଙ୍କ ମୋବାଇଲ ମୁଁ ଦେଖିଲେ, ସେ ପାସୱାର୍ଡ ଚେଞ୍ଜ କରି ଦିଅନ୍ତି। ଫେସ୍ବୁକ୍ ଓପନ୍ କଲେ ଆକାଉଣ୍ଟ ଡିଲିଟ କରି ଦିଅନ୍ତି । ତାଙ୍କର କଣ୍ଟାକ୍ଟ, ହ୍ୱାଟସଆପ୍ ଚାର୍ଟ, କଲ୍ ହିଷ୍ଟ୍ରି ସବୁ ଡିଲିଟ କରି ଦିଅନ୍ତି। ତାଙ୍କ ମୋବାଇଲ ପାସୱାର୍ଡ ମୋତେ ଜଣାନାହିଁ।
ଶାଉ ଘର ଲୋକ ଆଣୁଥିବା ଅଭିଯୋଗ ଉପରେ ବିଦ୍ୟା କହିଛନ୍ତି, ଆମ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ବହୁତ ଭଲ ଥିଲା। ଶ୍ୱଶୁର, ଶାଶୁଙ୍କ ସହ ମଧ୍ୟ ସମ୍ପର୍କ ଭଲ ଥିଲା। ଏପରିକି ହସ୍ପିଟାଲରେ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ସେ ମୋତେ ଆଇ ଲଭ ୟୁ କହିଥିଲେ। ମୁଁ ବି ତାଙ୍କୁ କହିଥିଲି।
ଶ୍ୱଶୁର ଘର ଲୋକ ବ୍ୟାଚଲର ପାର୍ଟିକୁ ନେଇ ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି ବିଦ୍ୟା। । ଏଥିସହ କହିଛନ୍ତି, ବଲାଙ୍ଗିରରେ ବ୍ୟାଚଲର ପାର୍ଟି ନୁହେଁ, ବାହାଘର ପାର୍ଟି ଥିଲା। କରୋନା ଯୋଗୁ ମୋ ସାଙ୍ଗମାନଙ୍କୁ ମୋ ବାହାଘରକୁ ଡାକି ନ ଥିଲି। ତେଣୁ ସେଠାକୁ ଆମେ ଉଭୟ ଯାଇ ସାଙ୍ଗମାନଙ୍କୁ ପାର୍ଟି ଦେଇଥିଲୁ। ଏହାବାଦ ଶଙ୍ଖା ସିନ୍ଦୁର ଭାଙ୍ଗିବା ଘଟଣା ମଧ୍ୟ ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି ବିଦ୍ୟା। କହିଲେ, ଥରେ ମୋତେ ଫୋନ କରି ପାଟି କରିବାରୁ ମନଦୁଃଖରେ ବସିଥିଲି। ପଡ଼ୋଶୀ ମୋତେ ସେଠି ପାଇଥିଲେ।
କେବଳ ସେତିକି ନୁହେଁ, ସୌମ୍ୟଙ୍କୁ ନେଇକି ଯାଉଥିବା ଆମ୍ବୁଲାନ୍ସ ବାଟରେ ଅଟକିବା ଘଟଣାରେ ମଧ୍ୟ ମୁହାଁ ଖୋଲିଛନ୍ତି ବିଦ୍ୟା। ବିଦ୍ୟା କହିଛନ୍ତି, “ଆମ୍ବୁଲାନ୍ସ କେଉଁଠି ବି ଜମାରୁ ଅଟକି ନ ଥିଲି। ସେ ପ୍ରଥମେ ପାରଳାଖେମୁଣ୍ଡି ହସ୍ପିଟାଲରେ ଥିବା ବେଳେ ଯେଉଁଠି ବର୍ଣ୍ଣ ୱାର୍ଡ ଅଛି, ଭଲ ଚିକିତ୍ସା ମିଳିବ ସେଠାକୁ ରେଫର କରିବାକୁ କାକୁତିମିନତି କରିଥିଲି। ଟ୍ରିଟମେଣ୍ଟ ପାଇଁ ଟଙ୍କା ଦରକାର ଥିବାରୁ ମୁଁ ରୁମ୍କୁ ଆସି ଏଟିଏମ୍, ପର୍ସ, ବେଡସିଟ, କିଛି ପଇସା ନେଇ ଦୌଡ଼ି ଦୌଡ଼ି ଯାଇଥିଲି।” ପୁଲିସ୍ ଗତକାଲି ପଚରାଉଚରା କରିବାକୁ ଆସିଥିବା ବେଳେ ଏଟିଏମ୍ କାର୍ଡ ସିଜ କରି ନେଇଥିବା କହିଛନ୍ତି ବିଦ୍ୟା। ହେଲେ ନିଆଁ କିପରି ଲାଗିଲା ସେହି ପ୍ରଶ୍ନ ଉପରେ ପୂର୍ବ ପରି ମୁଁ କିଛି ଜାଣିନି ବୋଲି ସଫେଇ ଦେଇଥିଲେ ବିଦ୍ୟା।