

ସତ୍ୟଶିଖା(ଖଲ୍ଲିକୋଟ )୨୪.୦୫.୨୦୨୨ ): ଗାଁରୁ ଗୋଡ଼ କାଢ଼ି ସାତ ସମୁଦ୍ର ପାର ହୋଇ ସୁଦୂର କାତାର ଯାଇଥିଲେ। ମନରେ ଆଶା ଥିଲା, ଭଲ ଦି ପଇସା ରୋଜଗାର କଲେ ପରିବାର ମୁହଁରେ ଭଲରେ ଦାନା ମୁଠେ ଦେଇପାରିବେ। ସୁଖଦୁଃଖରେ ବାପାମା’ଙ୍କ ସାହାରା ପାଲଟିବେ। ହେଲେ ପରିବାରର ସାହାରା ପାଲଟିବାକୁ ଆଶା କରିଥିବା ଯୁବକଜଣକ ଏବେ ବାର ଦୁଆର ହୋଇ ଅନ୍ୟର ଆଶ୍ରା ଖୋଜୁଛି। ଭିସା, ପାସପୋର୍ଟ ଓ ମୋବାଇଲ୍ ଫୋନ୍ ହଜିଯିବାରୁ ଦୂର ଦେଶରେ ଭିକ ମାଗି ପେଟକୁ ୨ ମୁଠା ଦାନା ଯୋଗାଡ଼ କରୁଥିବା ବେଳେ ରାସ୍ତା କଡ଼ରେ ମୁଣ୍ଡ ଗୁଞ୍ଜଛନ୍ତି । ଏପରି ଦୟନୀୟ ପରିସ୍ଥିତିରେ ବିଷ୍ଣୁପ୍ରସାଦ ଡାକୁଆ ନାମକ ଯୁବକ କାତାରରେ ଦିନ କାଟୁଥିବା ବେଳେ ସେଠାରୁ ଉଦ୍ଧାର କରିବାକୁ ସରକାରଙ୍କୁ କରିଛନ୍ତି ଆକୁଳ ନିବେଦନ ।
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଶ୍ୟାମସୁନ୍ଦରପୁରର ଗଙ୍ଗା ଡାକୁଆଙ୍କ ସାନପୁଅ ବିଷ୍ଣୁପ୍ରସାଦ ଗତବର୍ଷ କାମ କରିବାକୁ କାତାର ଯାଇଥିଲେ । ସେଠାରେ ଏକ କଂପାନୀରେ ସେ ହେଲପର ଭାବେ କାମ କରୁଥିଲେ । ଦୁଇ ବର୍ଷର ଭିସା କହି ମାତ୍ର ୬ ମାସିଆ ଭିସା ଦେଇ ଠିକାଦାର ସେଠାକୁ ପଠାଇ ଦେଇଥିଲା । ଭିସା ଅବଧୀ ସରିବା ପରେ ବି ସେ ବର୍ଷେ ଯାଏ କାମ କରିଥିଲେ ।
କଂପାନୀ କିନ୍ତୁ ତାଙ୍କୁ ୬ ମାସର ଦରମା ଦେଇ ଶ୍ରମିକ କ୍ୟାମ୍ପରୁ ବାହାର କରିଦେଲା । ଅ୍ୟପକ୍ଷରେ କଂପାନୀ କ୍ୟାମ୍ପରେ ଥିବାବେଳେ ତାଙ୍କ ଭିସା, ପାସପୋର୍ଟ ଓ ମୋବାଇଲ୍ ଫୋନ୍ ହଜିଗଲା । ବିନା ଭିସା ଓ ପାସପୋର୍ଟରେ ଏଣେତେଣେ ବୁଲୁଥିବାରୁ ପୁଲିସ୍ ତାଙ୍କୁ ଉଠାଇ ନେଇଥିଲା । ଦୁଇ ମାସ ଜେଲ୍ରେ ରଖିବା ପରେ ଛାଡ଼ି ଦେଇଛି।
ଏବେ ପାଖରେ ଖାଇବାକୁ ବା ରହିବାକୁ ଟଙ୍କାଟିଏ ନାହିଁ । ରାସ୍ତାରେ ଲୋକଙ୍କ ପାଖରୁ ମାଗିକି ଖାଇବା ସହ ରାସ୍ତା କଡ଼ରେ ଶୋଇ ଜୀବନ କାଟୁଛନ୍ତି । ଏହାସହ ତାଙ୍କୁ ଫେରାଇ ଆଣିବା ଲାଗି ଅନ୍ୟ ଜଣକ ମୋବାଇଲରୁ ଭିଡିଓ କରି ନିଜ ପରିବାର ପାଖକୁ ପଠାଇଛନ୍ତି । ପୁଅର ଏ ଅବସ୍ଥା ଦେଖି ବାପାମା’ଙ୍କ ଆଖିରୁ ଲୁହ ଶୁଖୁ ନ ଥିବା ବେଳେ ପୁଅକୁ ଫେରାଇ ଆ ଣିବା ଲାଗି ଦୁହେଁ ଗୁହାରି କରିଛନ୍ତି ।
ଏନେଇ ବିଷ୍ଣୁ ପ୍ରସାଦଙ୍କ ବାପାମା’ କହିଛନ୍ତି, ଆମ ପୁଅକୁ ୨ ବର୍ଷ ପାଇଁ ନେଉଛି କହି ଠିକାଦାର ୬ ମାସ ପାଇଁ ନେଇଥିଲା। ଆମେ ଧାର, କରଜ କରି ତାକୁ ସେଠାକୁ ପଠାଇଥିଲୁ। ମାତ୍ର ଏବେ ସେଠାରେ ତା’ ପାଖରେ ଚାକିରି, ଟଙ୍କା କିଛି ନ ଥିବାରୁ ତାକୁ ଫେରାଇ ଆଣିବାକୁ ଗୁହାରୀ କରୁଛୁ।
ପରିବାର ଲୋକେ ଗଞ୍ଜାମ ଜିଲ୍ଲାପାଳ ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ନିଜ ଦୁଃଖ ଜଣାଇ ବିଷ୍ଣୁଙ୍କୁ ଗାଁ କୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି । ଏପରି ଦାଦନ ଠିକାଦାରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସ୍ଥାନୀୟ ଯୁବକମାନଙ୍କୁ କାମଧନ୍ଦା ଯୋଗାଇ ଦେବାକୁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି ହେଉଛି।